Latest Odisha News

BREAKING NEWS

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ

ବାହୁଡୁଥିଲେ
ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ?
ଖୋଳପା ଛଡେଇ ଆୟୁଷମାନେ
ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ?
ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ
ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ,
ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ ଓ
ଅନଭିଜ୍ଞ ଅହଂକାର,
ମଉଳୁ ଥିଲେ
ମହଣ ମହଣ ସହନଶୀଳତା ,
କିଏ ଜଣେ ବାଟକଢାଉଥିଲା
ମିଞି ମିଞି ମଶାଲରେ ମୋ
ଅଳ୍ପାୟୁଷ ଖପୁରୀର ଠିକଣା ?
ଥକ୍କା ହରାମଜରା ମନଃସ୍ତତ୍ତ୍ୱସବୁ
ଆଉଜେଇ ହୋଇଥିଲେ ମୋ କାକୁସ୍ଥ କାନ୍ଧରେ ?
ପରଖୁଥିଲେ ?

ମୋ ଆରାଧ୍ୟ ଯୁଝିବାପଣର
ନିର୍ଣ୍ଣାୟକ ନିଷ୍ଠା ଓ ଧୈର୍ଯ୍ଯଚ୍ଯୁତ
ସ୍ଥିତାବସ୍ଥା ର ‘ସିଧା ପ୍ରସାରଣ ‘।

ରଙ୍ଗଛଡା ଚିରୁଡାଏ
ଅପହୃତ ମଳିଛିଆ କଣ୍ଠସବୁ
ବୋଲୁଥିଲେ ?
ଧ୍ୱଂସାଭିମୁଖି ସ୍ତୁପର ଶେଷଅଙ୍କର
ସ୍ତୁତିନାଦ ?
ସ୍ଥାଣୁ ପାଲଟୁଥିଲେ ମୋ ନିର୍ଣ୍ଣାୟକ ନିର୍ଦ୍ଧାରଣର
ନିୟୁତ ନିୟୁତ ନିଘୋଢ ନିୟତି
ପାରିଧିରୁ ଫେରିଆସୁଥିଲେ
ସମଗ୍ର ଅକ୍ଷୌହଣୀ ସେନା ଓ କ୍ଷତାକ୍ତ ସେନାଧ୍ୟକ୍ଷ ?
ପ୍ରାରବ୍ଧ ଓ ଅର୍ଜିତ ଆୟୁଷ
ଭିତରେ ଘୋର ଘୋମାଘୋଟ
ବାଟ ଫିଟୁଥିଲା ତୃତୀୟ ତୃଟିପୂର୍ଣ୍ଣ ନିଷ୍ପତ୍ତି ?
ଆଉ କିଛି ମୂହୁର୍ତ୍ତମାନଙ୍କୁ ଦିଆଯାଉ
କିଛି କ୍ଷଣ ବଞ୍ଚି ଯିବାର
ଗୋଟିଏ ବିଭୋର ଆୟୁଷପଣ ?

ସ୍ତବ୍ଧ ହେଉଥିଲେ ସ୍ତୁପ କାନ୍ଥର ସ୍ଥପତି ?
ଧୂଳିସାତ ହେଉଥିଲା ଧୂଳିଭର୍ତ୍ତି ଚିତ୍ରଗୁପ୍ତର ପଞିକା ?
ଲମ୍ବା ଲମ୍ବା ପାଦ ପକାଇ ଆଗକୁ ବଢୁଥିଲେ
ପଞ୍ଚଭୂତ ଷଡଚକ୍ର ସପ୍ତଅମୃତ ଓ ଅଷ୍ଟାୟୁଧ୍ଧ
କଳା କଳା ଛାଇରେ ଲେଖାହେଉଥିଲା
ଗର୍ଭଗୃହର ଶୀଳାଲେଖ ଓ
ନାଟ ମଣ୍ଡପର ‘ନୈରୁତ୍ତ ନିର୍ଣ୍ଣୟ’
ତୁଣୀରକୁ ଫେରୁଥିଲେ ତୃତୀୟ ପାଣ୍ଡବଙ୍କ
ଗାମ୍ଭୀର୍ଯ୍ୟ ଗାଣ୍ଡୀବର ଶେଷ ହୁଂକାର ।

ସ୍ତୁପ ଖୋପରେ ଓହଳି ଥିଲେ
ଅଜସ୍ର ପରିଚିତ ପରମାୟୁ ଓ ଅପରିଚିତ ମୃତ୍ୟୁ ?
ଟଳମଳ ସ୍ତୁ କୁ ଢେରା ଦେଇଥିଲେ କିଛି
ନିରପରାଧ ବରାଦିଆ କାନ୍ଦୁରା କାନ୍ଧ ?
ଆଣ୍ଠେଇଥିଲା ଭଗ୍ନ ଦ୍ୱାରର ଦୟନୀୟ ଦ୍ୱାରପାଳ ?
ଭୁଷୁଡୁଥିଲା ସ୍ତୁପ ଓ ସ୍ତୁପକୁ ଆବୋରି ଥିବା
ତମାମ ଖଣ୍ଡେ ପଟେ ପଲସ୍ତର ଛଡା ମେରୂଖୁଣ୍ଟି ?
ମହାଯାତ୍ରା ଆରମ୍ଭ କରିସାରିଥିଲେ ?
ସ୍ତୁପ ଓ ସ୍ତୁପ ସ୍ତୁତିବାଦରେ ଆଶ୍ରିତ ଥିବା
କିଛି ଅନାହତ ଅଶ୍ରୃଭିଜା ଅଙ୍ଗୀକାର
ଆକାଶ ମୁହାଁ ହୋଇସାରିଥିଲେ
ଅଳ୍ପାୟୁଷର ଆହ୍ନିକ ଆହ୍ୱାନ ?
ବିଦୀର୍ଣ୍ଣ ବିଭୀଷିକାର ଘର୍ଘର ଗର୍ଜନାରେ
ପ୍ରକମ୍ପିତ ଆକାଶ ଗଙ୍ଗା,
ବିଶ୍ୱ ବ୍ରହ୍ମାଣ୍ଡର ଅନ୍ତିମ ଆର୍ତ୍ତନାଦ,
ବହ୍ନିବ୍ରହ୍ମର ବ୍ରହ୍ମସ୍ତ୍ରୌତ ବ୍ରହ୍ମାସ୍ତ୍ର ।

Leave A Reply

Your email address will not be published.