ବଳରାମ ପୂଜାରୀ
ଅନେକ ଅପାସୋରା ଅସମ୍ପୂର୍ଣ୍ଣକୁ
ମୁକ୍ତ କରୁଥିଲି ମୁଁ ,
ବାହୁଡୁଥିଲେ ଟିକ୍ ଟିକ୍ କରୁଥିବା
ଛାତିଏ ଛାତିଏ ବତୁରା ସ୍ମୃତି,
ଭିଡିମୋଡି ହେଉଥିଲେ, ଆଉକିଛି
ଅନନ୍ୟା ଅତିତ , ବାହୁନୁଥିଲେ
କିଛି ପ୍ରଶ୍ନିଳ ପ୍ରବାହ,
କିଛି!!ମୋତେ ନିଃଶବ୍ଦ କରୁଥିଲେ ତ !!
କିଛି ମୂହୁର୍ତ୍ତମାନଙ୍କୁ ମୁଁ
ପିନ୍ଧାଉଥିଲି ,ନିର୍ବାଣର କବଚ କୁଣ୍ଡଳ ।।
ମୁଠା ମୁଠା ପରମାୟୁମାନଙ୍କୁ
ଲେସୁଥିଲି ,କଣ୍ଟା ଭରଷାରେ
ଓହଳିଥିବା ଭଙ୍ଗା କାନ୍ଥର
କ୍ୟାଲେଣ୍ଡର୍ ଛାତିରେ ,
ଦଳ ଦଳ ମୂହୁର୍ତ୍ତ ସବୁ
ବୋହିନେଉଥିଲେ ମୋ ଅର୍ଜିତ ଆୟୁଷ ,
କିଛି କିଛି ଉଡାନ୍ ଭରୁଥିଲେ ,
ମୂମୂର୍ଷୁ ମୂହୁର୍ତ୍ତର ଅଗ୍ନିଡେଣା ,
ଗୋଟିଏ ହୁଙ୍କାରରେ ସିଧା
ମହାକାଶ ମୁହାଁ ??
ଖୋଜିବାକୁ ମୋ,ପାଇଁ ସୁରକ୍ଷିତ ସ୍ୱର୍ଗଟିଏ ।।
ନୀରବତାର ନିମନ୍ତ୍ରଣରେ
ଭିଜୁଥିଲେ ଅନେକ ଆବର୍ତ୍ତନ ଓ ପରିକ୍ରମଣ,
ସମୟ ର ସଂଜ୍ଞା ଖୋଜୁଥିଲେ
ଅନେକ ଅତିତ, ଭବିଷ୍ୟତ ଓ ବର୍ତ୍ତମାନ ମାନେ
ଆଣ୍ଠୁ ମାଡ଼ି ବସିପଡିଥିଲା
ସମୟ !!
ନିଜ ଆଖିରେ ଦେଖୁଥିଲା
ଭସ୍ମ ପାଲଟୁଥିବା ,ତମାମ ମଉଳା ମୂହୁର୍ତ୍ତ ମହୋତ୍ସବକୁ ।।
ଏକମାତ୍ର ରାଜସାକ୍ଷୀ ମୁଁ ,
ଅତି ନିକଟରୁ ଦେଖିଛି
ସମୟର ଖୋଳପା ଛଡା ଦିହ,
କେବେ, ମୁଁ ତା କବଳରେ ତ ?
କେବେ ,ତାକୁ ବନ୍ଦୀ କରେ ମୁଁ,
ଏଇ ଛାଇ ଆଲୁଅର ଖେଳରେ
କେବେ ସେ ପୂର୍ଣ୍ଣମାସୀ ତ ?
ମୁଁ ସାଜେ , ନିରୀହ ପୂର୍ଣ୍ଣାହୁତିର ମୁଠାଏ ସର୍ବୌଷଧି ।।
Comments are closed.