ଭାରତ ମାଝୀ
କିଆରିରେ ବାଇଗଣ ତୋଳୁଥିବା ଦିଅର,
କବାଟ କଣରେ କୁଞ୍ଚ ସଜାଡୁଥିବା ଭାଉଜ,
ଦାଣ୍ଡରେ ଗୁଡାଖୁ ଘଷୁଥିବା ବଡ଼ମା’,
ହାଟରୁ ସଉଦା ଧରି ଫେରୁଥିବା ସାନଭାଇ,
ଗ୍ରାମ୍ୟବ୍ୟାଙ୍କ ବାରଣ୍ଡାରେ ପର୍ଚି ଲେଖୁଥିବା ବାପା-
ଏମାନଙ୍କ ଭିତରୁ କାହାକୁ କିମ୍ବା ଏମାନଙ୍କୁ ସମସ୍ତଙ୍କୁ
ମାରିପାରେ ସର୍କାର୍-ର ଗୁଳି,
ସମତଙ୍କ ଛାତି ଉପରେ ତା’ର ବନ୍ଧୁକ ନଳୀ।
ମା’ର ଆଲୁରୁମାଲୁରୁ ଟିଣ ସିନ୍ଦୁକରେ
ସର୍କାର୍ ଶୁଙ୍ଘିପାରେ ଆର୍.ଡି.ଏକ୍ସ.ର ଗନ୍ଧ
ପୁଅର ବସ୍ତାନି ଭିତରେ ପାମ୍ପଲେଟ୍, ପୋଷ୍ଟର୍
ଆମ ଗାଁର ଘୁମୁରା ଗୁରୁଙ୍କୁ କହିପାରେ ଦେଶଦ୍ରୋହୀ,
ଟିଉସନ୍ ଖୋଜୁଥିବା ଓଡିଶୀ ସାରଙ୍କୁ
ମାନିପାରେ ଗୁପ୍ତଚର,
ସର୍କାର୍ ଯେତେବେଳେ ଯାହା ସହ ଖେଳିପାରେ ଖେଳ,
କ୍ଷେତ, ପଡା, ବାସଘର, ମନ୍ଦିର
ଚଷମା ପୋଛି ଅନାଏ ଈଶ୍ବର!
ସବୁକିଛି କରିପାରେ ସର୍କାର୍
ଝୋଝୋ ଚତୁର୍ମାସ୍ୟାରେ
ଟ୍ରକ୍-ରେ ନଦିଦେଇପାରେ ଗାଁ, ବସ୍ତା ପରି,
ମୋ ହାତ କହି ଆଉ କାହା ହାତର ସଇରେ
ଛଡେଇନେଇପାରେ ଘର,
ମନଇଚ୍ଛା ଗୋଟେ ନାଁ ଦେଇପାରେ-
ଅପରାଧୀ, ଅଭିଯୁକ୍ତ, ଆସାମୀ, ମାଓବାଦୀ ବା ଅର୍ବାନ୍ ନକ୍ସଲ୍,
ସବୁକିଛି କରିପାରେ ସର୍କାର୍
ଘରକୁ ବନେଇପାରେ ଜେଲଘର
ବିନା ପାଣିରେ ଡଅଁର,
ବିକିଦେଇପାରେ କ୍ଷେତ, ଖଣି ଓ ଜଙ୍ଗଲ ।
ହୁଇସିଲ୍, ସାଇରନ୍, ଟଡକ୍ ଟଡକ୍ ବୁଟ୍
ବାୟୋନେଟ୍, ଧାରା ଶହେ ଚଉରାଳିଶ
ଲାଠି, ଗୁଳି
ଗୋରଡାରେ ସବୁ ପଲିସ୍!
ସର୍କାର୍ ସବୁ କରିପାରେ,
କଲିଜା, ପାପୁଲି, ଥନ
ଆଖି, ଅନ୍ତନଳୀ, ଲିଙ୍ଗ
କାଟି ନେଇପାରେ!
ନ୍ୟୁଜ ପ୍ରିଣ୍ଟ କ୍ୟାମେରା
ଫାଳିକିଆ, ଦି’ଫାଳିଆ, ତିନି ଫାଳିଆ ଜିଭ
ସବୁକିଛି ଖର୍ଦି କରିପାରେ,
ସବୁ ଭୂମି ବଧ୍ୟଭୂମି
ରକ୍ତପାତ ଜାତୀୟ ଖେଳ
ଜାଣେ ସର୍କାର୍,
ଜାଣେ, ସେ ଗୋଟେ ଗଣତନ୍ତ୍ରବିହୀନ କୋଳାହଳ!
ଏତେପରେ ବି କହ ତ ସର୍କାର୍,
ତତେ ଡରୁନଥିବା ଲୋକକୁ
ତୋର କାଇଁ ଏତେ ଡର?
Comments are closed.