ଭାରତୀ ସରିତା ମହାନ୍ତି
ହୃଦ ଉପବନ ହେଉଛି ଦହନ
ଅତୀତର ସ୍ମୃତି ଯାଉଛି ଭାସି
ଶୋକ ସନ୍ତାପିତ ଦରଦୀ ହୃଦୟ
ପ୍ରିୟର ଅପେକ୍ଷା କରିଛି ବସି।
ପ୍ରୀତି ପୁଷ୍ପ ମାଳ ଯାଉଛି ମଉଳି
ଗଭାର ଗଜରା ହେଉଛି ବାସି
ସୁବାସିତ ଫୁଲ ଆଜି ବାସହୀନ
ଅଭିମାନେ ପ୍ରିୟା ବସିଛି ରୁଷି।
ପାଦର ପାଉଁଜି ଆଜି ଶବ୍ଦହୀନ
ମଉନ ବ୍ରତକୁ କରେ ଧାରଣ
ଜୀବନ ଜଞ୍ଜାଳେ ନାହିଁ ପ୍ରତିକ୍ରିୟା
ସମୟ ବତାଏ ସେ ବଳବାନ।
ଚିନ୍ତନେ ଚିତ୍ରିତ ସ୍ମୃତି ପ୍ରତିଛବି
ନୟନରୁ ବହେ ସେ ବାରିଧାର
ଅକଣ୍ଠେ ଅଧର ବିନା ପ୍ରତିବାଦେ
ସ୍ଵାଦ ଚାଖିଥାଏ ସୁଖ ଦୁଃଖର।
ପ୍ରଣୟର ଗାଥା ହୃଦ ପାଏ ବ୍ୟଥା
ହୋଇଛି ଆଜି ତା’ ପରିବର୍ତ୍ତନ
ଲହୁଣୀ ପରିକା ନରମ ହୃଦୟ
ପରିସ୍ଥିତି ପାଇଁ ହୁଏ କଠିନ।
ପାଇ ପଦାଘାତ ନୁହେଁ ସେ ବିବ୍ରତ
ପଥର ହୋଇଛି ସାରା ଶରୀର
ପଥର ଖୋଜିଲା ଶ୍ରେଷ୍ଠ କାରିଗର
ଖୋଲିଯିବ ନିଶ୍ଚେ ତା’ ଭାଗ୍ୟ ଦ୍ଵାର।
ଏକଇ ପଥର କଷ୍ଟ ସହି ସହି
ପୂଜା ପାଉଥାଏ ମନ୍ଦିରେ ବସି
ତୁଠ ପଥରରେ ମଣିଷ ନିଜର
ସଫା କରୁଥାଏ ପାଦକୁ ଘସି।
ମନରେ ସଂକଳ୍ପ ନେଲା ସେ ପଥର
କାରିଗର ଠାରୁ ପାଇ କଷଣ
ନିରାଶା ମନରେ ଆଶା ସଂଚାରିଣ
ପ୍ରଭୁଙ୍କର ଦାନ କରେ ଗ୍ରହଣ।
ଅନ୍ଧକାର ରାତି ଯିବ ଅପସରି
ଦୁଃଖ ଅବସାଦ ହୋଇବ ତେବେ
ଜୀବନ ଯନ୍ତ୍ରଣା ହେବ ଉପଶମ
ମଶାଣି ଠିକଣା ମିଳିବ ଯେବେ।
Comments are closed.