Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୯

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନାମ ମାହାତ୍ମ୍ୟ ଆଲୋଚନା ଜାରି ଥିବା ସମୟ ରେ ଅନେକ ପ୍ରଶ୍ନ କଲେ କେଉଁ ନାମ କୀର୍ତ୍ତନ ସବୁଠାରୁ ଉତ୍ତମ। କେହି କେହି ଉତ୍ତର ମଧ୍ୟ ଦେଲେ କୃଷ୍ଣ ନାମ ଅଥବା “ହରେ କୃଷ୍ଣ “କୀର୍ତ୍ତନ ସବୁଠାରୁ ଶ୍ରେଷ୍ଠ.। ଆମେ ମଧ୍ୟ ପୂର୍ବ ଆଲୋଚନାରେ କହିଥିଲେ ମହା ନାମ ମନ୍ତ୍ର ହେଲା ଶ୍ରୀଚୈତନ୍ୟ ଙ୍କ ଦ୍ୱାରା ପ୍ରବର୍ତ୍ତିତ “ହରେ ରାମ ଓ ହରେ କୃଷ୍ଣ “, ବର୍ତ୍ତ ମାନ ଏହି ଦୁଇ ନାମ ମନ୍ତ୍ରକୁ ଶ୍ରୀଜଗନ୍ନାଥଙ୍କ ସହ ଯୋଗ କରି ବିଭିନ୍ନ ସାଧକ ଓ କବିମାନେ ଶାସ୍ତ୍ରରେ କ’ଣ ବର୍ଣ୍ଣନା କରିଛନ୍ତି ତାହା ଅନୁଧ୍ୟାନ କରିବା।

“ଜଗନ୍ନାଥ ଚରିତ୍ରାମୃତ “କହେ ସଂସ୍କୃତରେ “ହରେ ବଲଭଦ୍ରସ୍ୟ ସୁଭଦ୍ରା ରାମ କଥ୍ୟତେ, କୃଷ୍ଣ ନାମ ଜଗନ୍ନାଥ, ହରେ ସୁଦର୍ଶନ ଅପି । ” ଯାହା ଓଡ଼ିଆ ଭାଷାରେ ଏଭଳି ବର୍ଣ୍ଣିତ ହୋଇଛି “ହରେ ଅଟନ୍ତି ବଲଭଦ୍ର, ସୁଭଦ୍ରା ରାମ ରୂପେ ଭାବ, କୃଷ୍ଣ ନାମଟି ଜଗନ୍ନାଥ ଆର ହରେ ସୁଦର୍ଶନାନ୍ତ ।” ସେହି ଜଗନ୍ନାଥ ଚରିତ୍ରାମୃତରେ ପୁଣି ଗୁରୁ, ଶିଷ୍ୟ ଓ ଦେବତା ଭାବକୁ ନେଇ ଏହି ମନ୍ତ୍ରକୁ ପ୍ରକାଶ କରାଯାଇଛି। ଯଥା “ହରେ ଶିଷ୍ୟ ବଳଭଦ୍ର ରାମ ଗୁରୁ ସୁଭଦ୍ରିକା, କୃଷ୍ଣ ସର୍ବ ଜଗନ୍ନାଥ ଭିନ୍ନ ଜାୟତେ ତ୍ରିଭି।”

କବି ଦିବାକର ଦାସଙ୍କ ଭାଷାରେ “ଶିଷ୍ୟ ଅଙ୍ଗରେ ବଳଦେବ, ଗୁରୁ ଅଙ୍ଗେ ସୁଭଦ୍ରା ଭାବ ଦେବତା ଅଙ୍ଗେ ଜଗନ୍ନାଥ, ଏକତ୍ୱ ଭାବ ତିନି ତତ୍ତ୍ୱ ।” ତେଣୁ ସଦଗୁରୁ ନାମ କୀର୍ତ୍ତନ ମଧ୍ୟ ନାମ ମାହାତ୍ମ୍ୟ ର ଅନ୍ୟତମ ଅଙ୍ଗ। ଯେହେତୁ ଆମେ ଶ୍ରୀଜଗନ୍ନାଥ ତତ୍ତ୍ୱର ଆଲୋଚନା ଜାରି ରଖିଛେ ତେଣୁ ସାଧକ କବି ଯଶୋବନ୍ତ ଦାସଙ୍କ ହରେକୃଷ୍ଣ ମନ୍ତ୍ରକୁ ଚତୃଦ୍ଧl ମୂର୍ତ୍ତିରେ ଭେଦାଣକୁ ମଧ୍ୟ ଜାଣି ନେବା “ହ “-ହ ଅକ୍ଷର ଭଦ୍ର ଶାଖା, ଗୁପତ ରୁପ ଏ ରାଧିକା “ରେ “-ରେ ଅକ୍ଷର ଯେ ବଳଦେବ, ରେବତୀ ପତି ଅନୁଭବ । “କୃ “-କୃ ଅକ୍ଷର କୃଷ୍ଣ ଦେହୀ, ଶ୍ରୀଜଗନ୍ନାଥ ଯାହା କହି । “ଷ୍ଣ “-ଷ୍ଣ ଯେ ସୁଦର୍ଶନ ପୁଣ, ଯେମନ୍ତେ ଚତୃର୍ଥ ପ୍ରମାଣ।

ଶେଷରେ ଏତିକି କହିବା ଯେ “ହରି ନାମ ଅଟଇ ରତି, ରାମ ନାମ ହୋଏ ପୀରତି, କୃଷ୍ଣ ନାମ ସ୍ମୃତି ଅଟଇ, ନାମରେ ତିନି ପ୍ରେମ କହି ।” ହରି ନାମ ଅଟଇ ରତି, ରାମ ନାମ ହୋଏ ପୀରତି, କୃଷ୍ଣ ନାମ ସ୍ମୃତି ଅଟଇ, ନାମରେ ତିନି ପ୍ରେମ କହି। ”

ଆପଣଙ୍କ ମନର ଭାବ, ପ୍ରଭୁ ପ୍ରେମ ଓ ନାମ ଜପର ଅଭିଳାଷ ହିଁ ନିଜେ ସୂଚେଇ ଦେବ ଆପଣ କେଉଁ ନାମ ଭଜିବେ, ଅବା ପ୍ରଭୁଙ୍କୁ କେଉଁ ନାମରେ ଡାକିବେ (ପାର୍ଥନା କରିବେ )। କାରଣ ସେ ଯେ ସର୍ବନାମ, ଆସନ୍ତୁ ଆରାଧନାରେ ଗାଇବା “ଜଗନ୍ନାଥ ନାମ ଗୋଟି ହୃଦରେ ସାଇତି, ବିତାଇବି ଏ ଜୀବନ ଦେଇ ପାଦେ ମତି।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.