ଭାରତୀ ସରିତା ମହାନ୍ତି
ଭାରି କଷ୍ଟ ଲାଗେ ରକ୍ତ ପର ହେଲେ
ଏ କି ଅବା ଭାଗ୍ୟ ଦୋଷ?
ଦୋଷ ନ କରିବି ଦୋଷୀ ସାଜେ ମୁଁ ଯେ
ଏହା ମୋ’ର ଅବାଶୋଷ।
ଭାରି କଷ୍ଟ ଲାଗେ ଆଖି ଦୁଇ ଯେବେ
ଖୋଜି ବୁଲେ ଅତୀତକୁ
ଅତୀତ ଇଶାରା ଦିଏ ବର୍ତ୍ତମାନ
ସଦା କଷ୍ଟ ସହିବାକୁ।
ଭାରି କଷ୍ଟ ଲାଗେ ମମତାର ମୂଲ
କରେ ଯେବେ ଲୋକ ହସା
ଆଶା ବାଡ଼ି ଯେବେ ହଜିଯାଏ ତେବେ
ବଦଳି ଯାଏ ତ ଦିଶା।
ଭାରି କଷ୍ଟ ଲାଗେ ତ୍ୟାଗ ବଳିଦାନ
ଯେବେ ହୁଏ ଅକାରଣ
ଜୀବନ ଦେଖାଏ ଅନେକ କାହାଣୀ
ରହିବାକୁ ହୁଏ ମୌନ ।
ଭାରି କଷ୍ଟ ଲାଗେ ଅଭିନୟ ମୋ’ର
ଆଖି ଥାଇ ଅନ୍ଧ ପାଇଁ
କାନ ଥାଇ କାଲ ପୁଣି ମୁକ ସାଜି
ସଦା ଦୁଃଖ ଭୁଗୁ ଥାଇ।
ଭାରି କଷ୍ଟ ଲାଗେ ପଛକୁ ଫେରିଲେ
ମିଠା ସେଇ ଅନୁଭୂତି
ସମୟ ଚକ୍ରର ପରିବର୍ତ୍ତନରେ
ଦେହରୁ କମଇ ଶକ୍ତି।
ଭାରି କଷ୍ଟ ଲାଗେ ଭୋକିଲା ପେଟରେ
ମାରୁଥାଏ କେହି ନାତ
ମହାଭାରତର ଶକୁନି ସବୁଠି
କରିଥାଏ କରାୟତ ।
ଭାରି କଷ୍ଟ ଲାଗେ ଭାଙ୍ଗିଗଲେ ନୀଡ଼
ଅଦିନିଆ ଝଡ଼ ପାଇଁ
କିଏ ବା ବୁଝିବ ସେଦିନର କଷ୍ଟ
ସାକ୍ଷୀ ସେ ଜଗତ ସାଇଁ।
ଭାରି କଷ୍ଟ ଲାଗେ ମନେ ପଡେ ଯେବେ
ସେଇ ଉଜାଗର ରାତି
ଆଜି ବୋଝ ଲାଗେ ସନ୍ତାନ ମାନଙ୍କୁ
ହୁଅନ୍ତି କାହିଁ ବିରକ୍ତି।
ଭାରି କଷ୍ଟ ଲାଗେ ଅବିବେକୀ ସବୁ
କିଏ ବା ଭଲ ମଣିଷ
ନାମ ମାତ୍ର ସିଏ ଶ୍ରେଷ୍ଠ ଜୀବଟିଏ
କାର୍ଯ୍ୟ ତା’ ଅତି ନୃଶଂସ ।
ଭାରି କଷ୍ଟ ଲାଗେ ଯେବେ ବିଶ୍ୱାସର
ରକତ ସାଜେ ଭାଗାରୀ
ଗର୍ବ ଅହଂକାରେ ହୋଇ ବଶୀଭୂତ
ସାଜେ ସେ ଶ୍ରେଷ୍ଠ ବଇରୀ।
ଭାରି କଷ୍ଟ ଲାଗେ ମାଆ ମାଟି ଆମ
ପାଏ ଯେବେ ଅପମାନ
ବୃଦ୍ଧାଶ୍ରମ ପାଇଁ ବାପା ମା’ ସ୍ଥାନ
କରି ଥା’ନ୍ତି ନିରୂପଣ ।
ଭାରି କଷ୍ଟ ଲାଗେ ଭାଙ୍ଗିଲେ ସପନ
ଅନୁଭବୀ ଯିଏ ଜାଣେ
ଲୋତକର ଧାର ଆପଣା ଯାହାର
କବିତାରେ ବସି ଭଣେ।
ଭାରି କଷ୍ଟ ଲାଗେ ନିଆଁ ନ ଥାଇ ବି
ଉଠିଥାଏ ଯେବେ ଧୂଆଁ
ଅମୂଲ୍ୟ ଜୀବନ ହୁଏ ଛାରଖାର
ମନ ହୁଏ ଅମାନିଆ ।
ଭାରି କଷ୍ଟ ଲାଗେ ଏ ଦୁନିଆ ରୀତି
ନାରୀ ହେଲେ ନିର୍ଯ୍ୟାତିତ
କେତେବେଳେ ବାପା କେତେବେଳେ ସ୍ୱାମୀ
କେତେବେଳେ ପୁଅ ନାତ ।
ଭାରି କଷ୍ଟ ଲାଗେ ଥକିଥିବା ପାଦ
ପ୍ରହାର ଯେବେଳେ ଖାଏ
ଭାଗ୍ୟ ଦୋଷ କହି ସଫଳତା ପାଇଁ
ପ୍ରୟାସ ତା’ ଜାରୀ ରହେ।
ଭାରି କଷ୍ଟ ଲାଗେ ସେଇ ବୃଦ୍ଧବସ୍ଥା
ଶୈଶବ ତା’ ଫେରି ଆସେ
ଲୋଭ ସମ୍ବରଣ କରି ପାରେ ନାହିଁ
ଛୋଟ ପିଲା ପରି ରୁଷେ।
ଭାରି କଷ୍ଟ ଲାଗେ ସମ୍ପତ୍ତି ପାଇଁକି
ଭାଗ ହୁଏ ବାପା ମାଆ
ଆହାର ନିଦ୍ରା ତା’ ହଜି ଯାଇଥାଏ
ସାହା ତା ଜଗତ ନାଆ।
ଭାରି କଷ୍ଟ ଲାଗେ ସତ କଥା କହି
ମିଥ୍ୟା ଆରୋପ ଲାଗିଲେ
ଅକ୍ଷୟ ହେଉ ପୁଣ୍ୟ ଜଗତ ଗାଇ
ଧରମ ରାସ୍ତାରେ ଚାଲେ।
ଭାରି କଷ୍ଟ ଲାଗେ ଜଳି ଜଳି ଯେବେ
ଅନ୍ୟକୁ ଦିଏ ଆଲୋକ
ଜୀବନ ହୁଅଇ ଅନ୍ଧକାର ମୟ
ହଜି ବି ଯାଏ ବିବେକ।
ଭାରି କଷ୍ଟ ଲାଗେ ହାତ ଗଢ଼ା ଏହି
ମନ୍ଦିର ହୋଇଲେ ଖାଲି
ଦେବତା ରାକ୍ଷସ ଏକା ସଂଗେ କେବେ
ବାଟ ନ ପାରନ୍ତି ଚାଲି।
ଭାରି କଷ୍ଟ ଲାଗେ ଧର୍ମ ଅନ୍ଧ ଆଜି
ଅଧର୍ମର ହୁଏ ଜୟ
ସଂସାର ନାବରେ ପାଦ ଟଳମଳ
ମନେ ରହେ ସଦା ଭୟ।
ଭାରି କଷ୍ଟ ଲାଗେ ଅଭୟ କବଚ
ମାଆର ପଣତ ଆଜି
ଛୋଟ ପଡିଗଲା ସନ୍ତାନଙ୍କ ପାଇଁ
ଅଦିନରେ ଗଲା ହଜି।
ଭାରି କଷ୍ଟ ଲାଗେ ପାଚେରୀ ଉଠିଲେ
ମନ ଅଗଣାରେ ଯେବେ
କାଚ ପରି ଭାଙ୍ଗି ହୁଏ ଚୁର ମାର
ଯୋଡି ହୁଏ ନାହିଁ କେବେ।
ଭାରି କଷ୍ଟ ଲାଗେ ପୂନେଇଁ ରାତିଟା
ହୁଏ ଯେବେ ଅନ୍ଧକାର
ବାଦଲର ଦୋଷ ନା ଭାଗ୍ୟ ଦୋଷ ଏଠି
ଶୃଗାଳ କରେ ବିଚାର।
ବାଲିଆପାଳ
ବାଲେଶ୍ୱର
Comments are closed.