Latest Odisha News

BREAKING NEWS

୧୯୮୧ ବିହାର ରୁ ୨୦୨୩ ବାଲେଶ୍ୱର: ଭାରତର ବଡ଼ ବଡ଼ ଟ୍ରେନ୍ ଦୁର୍ଘଟଣାରେ ଯାଇଛି ଶତାଧିକ ଜୀବନ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ସାରା ଦେଶକୁ ଦୁଃଖ ଦେଇଛି। ଖାଲି ଦେଶ କାହିକି କାନାଡ଼ା ତାଇୱାନ୍‌ରେ ମଧ୍ୟ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ସେଠାକାର ସରକାର। ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ସ୍ପଷ୍ଟ ହୋଇ ନଥିବା ବେଳେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ହୋଇଥିବା କୁହାଯାଉଛି। ୯୦୦ ଆହତ ହୋଇଥିବା ସୂଚନା ମିଳୁଛି।

ଗତକାଲି(୨୦୨୩ ଜୁନ ୨) ସନ୍ଧ୍ୟା ୭.୩୦ ମିନିଟ୍‌ ସମୟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ତେବେ ଭାରତର ଟ୍ରେନ୍ ଦୁର୍ଘଟଣା ଇତିହାସରେ ଏହା ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ମଧ୍ୟରେ ଗୋଟିଏ କହିଲେ ଅତ୍ୟୁକ୍ତି ହେବନି। ଏହା ପୂର୍ବରୁ ମଧ୍ୟ ଭାରତରେ ବଡ଼ ବଡ଼ ଟ୍ରେନ୍‌ ଦୁର୍ଘଟା ଘଟିଛି। ଶତାଧିକ ଲୋକଙ୍କ ଜୀବନ ଯାଇଛି। ଦେଶରେ ବଡ଼ ଟ୍ରେନ୍ ଦୁର୍ଘଟଣାଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।

୬ ଜୁନ ୧୯୮୧: ଏହି ବର୍ଷ ଦେଶର ସବୁଠାରୁ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଏ। ବିହାରରେ ଏକ ଯାତ୍ରୀ ଭିଡ଼ଥିବା ପାସେଞ୍ଜର ଟ୍ରେନ୍‌ ବାଘମତି ନଦୀକୁ ଖସିପଡ଼ିଥିଲା। ଏଥିରେ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।  ସେହି ସମୟରେ ବିହାର ଘୂର୍ଣ୍ଣିବାତ୍ୟା ହୋଇଥିବା ବେଳେ ପାସେଞ୍ଜର ଟ୍ରେନ୍‌ଟି ବାଲଘାଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ୯ଟି ବଗି ଖସିପଡ଼ିଥିଲା। ଟ୍ରେନ୍‌ଟି ମାନ୍‌ସୀ ଟୁ ଶହର୍‌ସା ଯାଇଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

ଲୋକଙ୍କର କୁଢ଼ କୁଢ଼ ଶବ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲା। ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୦୦୦ ହେବ ବୋଲି କୁହାଯାଇଥିଲା। ୧୯୮୧ ମସିହାରେ ସର୍ବାଧିକ୍ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ବର୍ଷର ପ୍ରଥମ ୯ ମାସରେ ପ୍ରାୟ ୫୨୬ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା।

୮ ଜୁଲାଇ ୧୯୮୮: କେରଳର ଅସ୍ଥାମୁଡ଼ି ହ୍ରଦ ଉପରେ ଦେଇଯାଇଥିବା ପେରୁମନ ପୋଲ ଉପରୁ ତଳକୁ ଖସିପଡ଼ଥିଲା ଆଇସଲ୍ୟାଣ୍ଡ ଏକ୍ସପ୍ରେସ୍‌ର ୧୦ଟି ବଗି। ମୌସୁମୀ ଆଗମନରେ ହ୍ରଦର ଅଥଳଥଳ ପାଣିଥିଲା। ହ୍ରଦରେ ଭାସିଥିଲା ଯାତ୍ରୀଙ୍କ ମୃତଦେହ। ଏଥିରେ ୧୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଟ୍ରେନ୍‌ଟି ବେଙ୍ଗାଲୁରୁରୁ ଥିରୁଭନନ୍ତପୁରମ ଯାଉଥିଲା।

୨୦ ଅଗଷ୍ଟ ୧୯୯୫: ଉତ୍ତର ପ୍ରଦେଶ ଫିରୋଜାବାଦରେ ଦୁଇଟି ଟ୍ରେନ୍ ଧକ୍କା ହେବାରୁ ୩୫୦ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ରାତି ପ୍ରାୟ ୨.୫୫ ସମୟରେ ଏହି ଦୁର୍ଘଟଣା ହୋଇଥିଲା। ପ୍ରଥମେ କାଳନ୍ଦୀ ଏକ୍ସପ୍ରେସ୍‌ ଏକ ନୀଳଗାଇକୁ ଧକ୍କା ଦେଇ ଅଟକି ଥିବା ବେଳେ ପୁରୀ ଆଡ଼ୁ ଯାଉଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ତାକୁ ଧକ୍କା ଦେଇଥିଲା।

୨ ଅଗଷ୍ଟ ୧୯୯୯: ରାତି ପ୍ରାୟ ୧.୪୫ ସମୟରେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଗାଈଶାଳ ରେଳ ଷ୍ଟେସନ ଠାରେ ନୂଆ ଦିଲ୍ଲୀରୁ ଆସୁଥିବା ଅବଧ ଆସାମ ଏକ୍ସପ୍ରେସ୍‌ ଓ ବ୍ରହ୍ମପୁତ୍ର ମେଲ୍ ମଧ୍ୟରେ ଧକ୍କା ହୋଇଥିଲା। ସିଗ୍‌ନାଲ୍‌ରେ ତ୍ରୁଟି ଯୋଗୁ ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍ ଆସୁଥିଲେ। ଯାହା ଧକ୍କାର କାରଣ ହୋଇଥିଲା। ଏଥିରେ ୩୦୦ ଜଣଙ୍କର ଜୀବନ ଯାଇଥିଲା।

ଅକ୍ଟୋବର ୨୦୦୫: ଆନ୍ଧ୍ରପ୍ରଦେଶର ବେଲୁଗୋଣ୍ଡା ଠାରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଯାଇଥିବା ଟ୍ରାକ୍‌ ଦେଇ ଏକ ପାସେଞ୍ଜର ଟ୍ରେନ୍ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଭୋର. ୪.୧୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୯୧ ଆହତ ହୋଇଥିଲେ। ୧୫ ବଗି ବିଶିଷ୍ଟ ଏହି ଟ୍ରେନ୍‌ରେ ୭ଟି ବଗି ପାଣିରେ ବୁଡ଼ି ରହିଥିଲା। ଜଳାଶୟ କୂଳ ଦେଇଥିବା ଏକ ବ୍ରିଜ୍‌ରେ ଟ୍ରେନ୍ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

୧୦ ଜୁଲାଇ ୨୦୧୧: ହାଉଡ଼ା କାଲ୍‌କା ମେଲ୍‌ ଲାଇନଚ୍ୟୁତ ହେବାରୁ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଦିନ ୧୨.୨୦ ମିନିଟ୍‌ରେ ମାଲୱାନ ନିକଟରେ ଟ୍ରେନ୍‌ର ୧୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ହାଉଡ଼ାରୁ କାଲ୍‌କା ଯାଉଥିବା ସମୟରେ ମାଲୱାନ ଠାରେ ଏହି ଦୁର୍ଘଟଣା ଘଟିଥିଲା।

୨୦ ନଭେମ୍ବର ୨୦୧୬: ଉତ୍ତର ପ୍ରଦେଶ କାନପୁର ଫୋଖ୍ରିଆନ ଠାରେ ଇନ୍ଦୋର- ପାଟନା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ପାଖାପାଖି ୩ୟ.୧୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଜାନୁଆରୀ ୨୦୧୭: ଆନ୍ଧ୍ରପ୍ରଦେଶରେ ମଧ୍ୟ ଏଭଳି ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅକ୍ଟୋବର ୨୦୧୮:  ପଞ୍ଜାବ ଅମୃତସରରେ ରାବଣପୋଡ଼ି ମହୋତ୍ସବ ଆୟୋଜିତ ହୋଇଥିଲା। ହଜାର ହଜାର ଲୋକ ଏକତ୍ରିତ ହୋଇ ମଜା ନେଉଥିଲା। ଟ୍ରେନ୍ ଟ୍ରାକ୍ ଉପରେ ବି ଲୋକଙ୍କ ଭିଡ଼ ଜମିଯାଇଥିଲା। ସନ୍ଧ୍ୟା ସମୟରେ ଏକ ପାସେଞ୍ଜର ଟ୍ରେନ୍‌ ଟ୍ରାକ୍ ଛିଡ଼ା ହୋଇଥିବା ଯାତ୍ରୀଙ୍କୁ ଦଳି ଦେଇ ଚାଲିଯାଇଥିଲା। ଏଥିରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।

Leave A Reply

Your email address will not be published.