ଚନ୍ଦ୍ରା ମିଶ୍ର
ଏବେ ଏଠି ବରଫ ପଡ଼େ
ଆଉ ମିଳେଇ ବି ଯାଏ
ରାସ୍ତାରେ ଚାଲିଲାବେଳେ
କାଠି ଖଣ୍ଡିଏ ଗୋଟାଇ ଆଣି
ତା ମୁନରେ ତୁମ ନାଁ ଲେଖେ
ଆଉ ଭାବେ ତୁମେ ଅନନ୍ୟ ବୋଲି ।
ଶୀତ ଋତୁର ପ୍ରଥମ
ତୁଷାରପାତରେ ଭାସିଯାଏ
ମୋ ମନ ତୁମ ପାଖକୁ
ତୁମେ ଛାୟାଚିତ୍ର ତୋଳିବାବେଳେ
କେମିତି ଜାବୁଡ଼ି ଧରିଥିବ
ସେଇ କ୍ୟାମେରା ସୁନ୍ଦରୀକୁ
ନିଶ୍ଚୟ ବାରମ୍ଵାର ସିଏ ଛୁଇଁଥିବ
ତୁମ ହାତ, ଗାଲ ଆଉ ଦେହ !
ଭାବନା ସାଥିରେ ବହିଗଲା
ଆଖିରୁ ଦୁଇଟୋପା ଉଷ୍ମ ଲୁହ
ତାର ମୂଲ୍ୟ ବା କଣ ଅଛି କୁହ
ତୁମେ ଥରେ କେବେ ଆସି କୁହ
ମନରୁ ଲିଭାଇବ ମୋର କୋହ।
Comments are closed.