ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷା ଶିକ୍ଷକ ସାଜି ବକ୍ତା
କହଂତି ଅନର୍ଗଳ କଥା
ଶୁଣାଂତି ଅଲୋଡ଼ା ବକ୍ତୃତା
ତେଣୁ ହୋଇଛି ଦୁରବସ୍ଥା
ଛାତ୍ର ନ କଲେ ଲେଖାଭ୍ୟାସ
ମନକୁ ଜ୍ଞାନର ପ୍ରବେଶ
ଅଯଥା ହୁଏ ବିଳଂବିତ
ପିଲାଏ ହୁଅଂତି ଦଂଡିତ
ଶ୍ରୁତଲିଖନ, ହସ୍ତାକ୍ଷର
ପଡ଼ୁନି ଆଉ ଦରକାର
ଶୁଦ୍ଧ ଓଡ଼ିଆ ଲେଖା ପାଇଁ
ଆଗ୍ରହ ଦେଖା ଯାଉନାହିଁ
ଦଶମ ଶ୍ରେଣୀ ହେଲେ ପାର
ଓଡ଼ିଆ ନୁହେ ଦରକାର
ଏପରି ବୁଝିଲେ ସରବେ
ଭାଷା ଉନ୍ନତ ହେବ କେବେ ?
ଶିକ୍ଷକଗଣ ଅସଂତୁଷ୍ଟ
ଶିକ୍ଷାର୍ଥୀ ନୁହଂତି ଆକୃଷ୍ଟ
ସ୍ବଭାଷା ହେଲେ ସୁଦ୍ଧା ନଷ୍ଟ
କାହା ମନରେ ନାହିଁ କଷ୍ଟ
ହେଲେ ହେଁ ସ୍କୁଲ୍ କୋଠା ଗଢ଼ା
ହେଉନି ଠିକ୍ ପାଠପଢ଼ା
ପଡ଼ିଛି ଶିକ୍ଷକ ମରୁଡ଼ି
ତେଣୁ ଭାଷା ପାରୁନି ବଢ଼ି
ସୁଜ୍ଞାନ ହୋଇଲେ ଦୁର୍ଲଭ
ସେଠାରେ ଅନ୍ନର ଅଭାବ
ଦେଖାଇଥାଏ ପ୍ରାଦୁର୍ଭାବ
କିଏ ଏ କଥା ବିଚାରିବ ?
ଭବିଷ୍ଯତର ମୂଳଦୁଆ
ହେଲେ ହେଁ ଏ ମାଟିର ଛୁଆ
ହୁଅଂତି ଯେଣୁ ଉପେକ୍ଷିତ
ଏ ଜାତି ହେଉନି ଉନ୍ନତ