Latest Odisha News

BREAKING NEWS

କବିତା : ସକାଳ ଜଣାଣ

ଗୋଦାବରୀଶ ଦାସ

ଗୁଣ୍ଡିଚା ମାଉସୀ ଜଗିଥାଲୋ ଵସି
ଚାହିଁଥା ଶରଧା ବାଲି
ଭାଇ ଭଉଣୀଙ୍କୁ ସଙ୍ଗତରେ ଘେନି
କାଳିଆ ଆସିବ କାଲି।

ସାଜିଲାଣି ରଥ ଉଡିଲାଣି ନେତ
ସିଂହଦ୍ବାରେ ତିନିରଥ
ପଣ୍ଡା ପଢିଆରି ପକାଇଲେ ହୁରି
ଜୟଜୟ ଜଗନ୍ନାଥ।

ବରଷକେ ଥରେ ଘୋଷ ଯାତରାରେ
ଆସିବେଲୋ ଝୁଲିଝୁଲି
ଭକତ ମେଳରେ ମହା ଆଡମ୍ବରେ
ଆସିବେ ତୋଘରେ ବୁଲି।
ଗୁଣ୍ଡିଚା ମାଉସୀ ଜଗିଥାଲୋ ବସି
ଚାହିଁଥା ଶରଧା ବାଲି ।

ରଖିଥା ଯୋଗାଡି ପୋଡପିଠା ପୋଡି
ରହିବେଲୋ ନବଦିନ
ଲାଗିବ ଗହଳି ଭକତଙ୍କ ମେଳି
କରିବେ ପ୍ରଭୁ ଦର୍ଶନ।

ଭଲମନ୍ଦ ଦେଇ ଦେବୁଲୋ ତୋଷାଇ
ଯିବୁନାହିଁ କେବେ ଭୁଲି
ଛାଡି ଶ୍ରୀମନ୍ଦିର କାଳିଆ ଠାକୁର
ଆସିବେ ତୋଘରେ ବୁଲି।
ଗୁଣ୍ଡିଚା ମାଉସୀ ଜଗିଥାଲୋ ବସି
ଚାହିଁଥା ଶରଧା ବାଲି…

ଭକ୍ତ ପ୍ରାଣଧନ ଜଗତ ଜୀବନ
ସ୍ବଦେହେ ଆସିବେ ଚାଲି
କେତେ ଭାଗ୍ୟ ତୋର ଧନ୍ୟ ତୋ ମନ୍ଦିର
ଦୁଆର ରଖିଥା ଖୋଲି।
ଗୁଣ୍ଡିଚା ମାଉସୀ ଜଗିଥାଲୋ ବସି
ଚାହିଁଥା ଶରଧା ବାଲି….

ଶଙ୍ଖମୂଳ, ରଣପୁର, ନୟାଗଡ

Leave A Reply

Your email address will not be published.