Latest Odisha News

କବିତା : ଶ୍ରୀ ଅପାରଗ ଉବାଚ

କାମଦେବ ମହାରଣା

ପିଲାଦିନରୁ ହିଁ ଏମିତି ହିନସ୍ତା ମୁଁ।
ନା ରୂପରେ ନା ଗୁଣରେ
ନା ପାଠରେ ନା ଶାଠରେ
ନା ମିଛରେ ମାହିର
ନା ସତରେ ସୌଦାଗର
ଏମିତି ଶବ୍ଦ ଯୋଡୁ ଯୋଡୁ
ବାହାରି ପଡ଼େ ପଦେ ଅଧେ
ତାକୁ କିଏ କହିବ କବିତା,
ନା ମୁଁ କବି!

ଏମିତି ଆସେନି ବୋଲି କିଛି
ନିଦ ଏଡେଇ ଚାଲିଯାଏ ସ୍ବପ୍ନ
ବାଟ ହୁଡେ ଫୁଲଶର
ମାଡ଼ିବସେ ଘନଘୋର ଅନ୍ଧାର
ଗୁମ୍ଫା ଭିତରେ ଅନ୍ଧ ପବନ ମୁଁ
ଦେଖେନି କିଏ ହୀରା
କିଏ ଖାଣ୍ଟି ପଥର।

କେହି ଡାକିଲେ ଉଚ୍ଛନ୍ନ ପାଦ
ହେଉ ନିଆଁ କି ନଈ
ଡେଇଁ ପଡ଼େ
ପଦ୍ମ ନାଡେ ଛନ୍ଦା ପାଦ ଖୋଲୁ ଖୋଲୁ
ପାଣି ପିଇ ଯାଏ

ଚିହ୍ନି ପାରିଲିନି ହୋ
ମାଟି ଭିତରେ କଳା ଧଳା ଗୋଲାପୀ
ମୁଁ ତ ମଞ୍ଜିପୋତିବା ଲୋକ
ସବୁଜ ମାୟାରେ ବାଡ଼ ଭାଙ୍ଗିବା ଲୋକ
ଏ ବାଦ ପ୍ରମାଦ ମେଳି ବେଙ୍ଗେଳା
ମୋ ପାଇଁ ଚିରକାଳ ଅମଡ଼ା, ଅସହଜ।

ମତେ ଆସେନି ଭାବ ଭାଗ
ହେଇ ପାରିନି ଧାଡ଼ି ଭିତରେ ମେଣ୍ଢା
ପତ୍ର ସନ୍ଧିରେ ଏଣ୍ଡୁଅ
ଲେଖିପାରିନି ଘୃଣା ବୋଳା କବିତା
ଗାଇ ଶିଖିନି ବାରୁଦ ଵୃତ୍ତେ ଗୀତ।

ଆସେନି ବୋଲି ମିଛ ହସ
ତେଲମରା ଶବ୍ଦଚାଷ
ମୁଁ କଣ ଭାଗଶେଷ !
ଦରବାରେ ନିଷିଦ୍ଧ ?

ଯାନ୍ତ୍ରିକ ବିଭାଗ
ପୂର୍ବତଟ ରେଳପଥ
ପୁରୀ -୨

Comments are closed.