ମଞ୍ଜୁ ରାଣୀ ବେହେରା
ନିରାଶାର ଧୂ ଧୂ ମରୁବାଲିରେ
ଆଉ ପରିତ୍ଯକ୍ତ ଏକ ଜୀବନ
ଅନେକ ଭାବନାର କୋଳାହଳ ସତ୍ୱେ
ଚାରିଆଡ଼େ ନିସ୍ତବ୍ଧ ପୁରା ଶୂନଶାନ ।
ଆଞ୍ଜୁଳାଏ ଅସହାୟତାର କିଛି ଥକ୍କାପଣ
ଆଉ ଅତୀତର ସେଇ ଅଫେରା ମୂହୂର୍ତ୍ତରୁ
କିଛି ଆହତ ସ୍ୱପ୍ନର ମୃଦୁ ଗୁଞ୍ଜରଣ।
ବାସ୍, କିଛି ଦୂର ଗଲା ପରେ ଅନୁଭବି ହୁଏ
ସେଇ ଏକାକିତ୍ଵକୁ
ଯେଉଁଠି ବସନ୍ତର ମଳୟ ପବନ
ବୈଶାଖର ଖଇ ଫୁଟା ତାତି ପାଲଟେ
ଲାଗେ ଯେମିତି ବନ୍ଧ୍ଯାତ୍ୱର ଦୋଷ କୁ ମୁଣ୍ଡରେ ବୋହି
ଆତ୍ମଗ୍ଳାନିରେ କୁହୁଳୁ ଥିବା ଏକ ଅସହାୟ ନାରୀଟେ।
ଆରେ , ଏଇ ତ ଜୀବନ!
ମୋହସିକ୍ତ ଜଞ୍ଜାଳ ଓ ସଂଘର୍ଷ ଭିତରେ
ଯେତେ ଘାଣ୍ଟି ଚକଟି ହେଲେ ବି ରହିଯାଏ
କିଛି ଅପୂରଣୀୟ ଶୂନ୍ଯସ୍ଥାନ।
ଖାଲି ଦେଖେ ଯାହା ବିସ୍ତିର୍ଣ୍ଣ ମରୂଭୁମିରେ
ନିଜକୁ ଶ୍ରୀହୀନ କରି ସାରିଥିବା ଥୁଣ୍ଟା ଗଛଟିର ଅପେକ୍ଷା ଯେମିତି
ଏକ ସବୁଜିମା ଭରା ଶିଶିର ସିକ୍ତ ସକାଳର
ତେବେ କ’ଣ ଏ ଅପେକ୍ଷାର ମଧ୍ଯ ଅନ୍ତ ନାହିଁ ?
କିଛି ଆତ୍ମିୟତାର ଆଲିଙ୍ଗନରେ ସେଇ
ତୃପ୍ତି ହୀନ ତୃଷା ମେଣ୍ଟାଇବା ପାଇଁ।
ସୋନପୁର
Comments are closed.