ମଞ୍ଜୁଲତା ସାହୁ
ଯାହାକୁ ଏ ମନ ଯେତିକି ଚାହୁଁଛି
ସେ ସେତେ ଦୂରେଇ ଯାଏ,
ଦିଏ ସେ ଯାହାକୁ ଅସରନ୍ତି ସୁଖ
ସେ ସେତେ କନ୍ଦାଉ ଥାଏ ।
ମନେ ନୁହଁ ଯିଏ ମନରେ ରହଇ
ସେ ସହଜେ ଭୁଲି ଯାଏ,
ହୃଦୟ ଭିତରେ ରହିଥାଏ ଯିଏ
ସେ ତ ହୃଦ ଭାଙ୍ଗିଦିଏ ।
ଖୋଜିବାର ଆଶା ରଖି ଯାହା ଠାରେ
ନିଜକୁ ହଜାଉ ଥାଏ,
ଖୋଜିବା ବାହାନା କରି ସେ ଭିଡ଼ରେ
ଜାଣି ନିଜେ ହଜିଯାଏ ।
ଆପଣା ଡୋରୀରେ”ଆମେ” ର ବନ୍ଧନେ
ଯାହାକୁ ସେ ରଖିଥାଏ,
ସେ ଡୋରୀ ଛିଣ୍ଡାଇ ଚିରକାଳ ସେହୁ
‘ମୁଁ’ ହୋଇ ରହିଯାଏ ।
ବୁଝି ହୁଏ ନାହିଁ ହୃଦୟ କୁ ଥରେ
ସେ ଯେ କ’ଣ ଚାହୁଁଥାଏ,
ଏତେ ଭାବ ପୁଣି ଯୋଡେ ସେ ଯା ସାଥେ
ସେ ସମ୍ପର୍କ ଭାଙ୍ଗିଦିଏ ।
କାମାକ୍ଷାନଗର
Comments are closed.