Latest Odisha News

କବିତା : ହେ କୃଷ୍ଣ

ନିରୁପମା ପତି

ଶ୍ରୀକୃଷ୍ଣ ମାଧବ ଗୋବିନ୍ଦ କେଶବ
ମଦନମୋହନ ବ୍ରଜ ଗୋସାଇଁ,
ଧର୍ମ ସଂସ୍ଥାପକ ସତ୍ୟ ପ୍ରବର୍ତ୍ତକ
ବ୍ୟାପ୍ତ ଚରାଚର ଜଗତ ସାଇଁ।

ଭାଦ୍ରଅଷ୍ଟମୀରେ ଶୁଭ କୃଷ୍ଣ ପକ୍ଷେ
ରୋହିଣୀ ନକ୍ଷତ୍ରେ ଜନମ ନେଲ,
କଂସ କାରାଗାରେ ଅଷ୍ଟମ ଗର୍ଭରେ
ଦେବକୀ ମାତାଙ୍କ କୋଳ ମଣ୍ଡିଲ।

ରାଧାଙ୍କ ଜୀବନ ଯଶୋଦା ନନ୍ଦନ
କାଳୀୟଦଳନ ବକାନିଧନ,
ସୁଦାମାର ମିତ ନନ୍ଦରାଜା ସୁତ
ପ୍ରହଲ୍ଲାଦ ରକ୍ଷକ ଭକ୍ତ ମୋହନ।

ପ୍ରଭୁ ନିରାକାର ହେ ମୂରଲୀଧର
ଗୋପପୁରବାସୀ ବାଙ୍କବିହାରୀ,
ଗୋପାଳ ବଲ୍ଲଭ ବିଷ୍ଣୁ ପଦ୍ମନାଭ
ଦ୍ଵାପର ଯୁଗରକଲ୍ୟାଣକାରୀ।

ପୁତନାବିଦାରି ରୁକ୍ମିଣୀ ଉଦ୍ଧାରି
ଗୋପୀଗୋପାଳଙ୍କ ମନ ମୋହକ,
ଶଙ୍ଖ ଚକ୍ରଧାରୀ ବିଷ୍ଣୁ ତ୍ରିପୁରାରି
ମହାଭାରତର ମହାନାୟକ।

ଗଜ ଉଦ୍ଧାରଣ ଦ୍ରୋପଦୀ କଷଣ
ମୃଗୁଣୀ ସ୍ତୁତିର ମାନ ରଖିଲ,
ସତ୍ତ୍ଵ ରଜ ତମ ପୁରୁଷ ଉତ୍ତମ
ପାପ ଅନ୍ୟାୟର ମୂଳ ନାଶିଲ।

ଗରବ ଗଞ୍ଜନ ହେ ମଧୁସୂଦନ
ଦଶ ଅଵତାରେ ଵରିଲ କୀର୍ତ୍ତି,
ସତ୍ୟ ଧର୍ମ ନ୍ୟାୟ କର୍ତ୍ତବ୍ୟ ନିଷ୍ଠାରେ
ସକଳ ଆରାଧ୍ୟ ହେ ବିଶ୍ବ ମୂର୍ତ୍ତି।

କାମ, କ୍ରୋଧ ହିଂସା ଦ୍ୱେଷର ବିଲୟ
ଜଗତ ହିତରେ ମୋ ଭକ୍ତି ଚିତ୍ତ,
ତଵ ଆଶିଷରେ କୃଷ୍ଣମୟ ହେଉ
ଶ୍ରୀ ଚରଣେ ଘେନ ମୋ ପ୍ରଣିପାତ।

ସାଂସ୍କୃତିକ ସମ୍ପାଦିକା
ସୁନାଫୁଲ ସାହିତ୍ୟ ସଂସଦ
ରାଉରକେଲା

Leave A Reply

Your email address will not be published.