Latest Odisha News

କବିତା : ଆହେ ଗଜାନନ

ନିରୁପମା ପତି

ଆହେ ଗଜାନନ ପାର୍ବତୀ ନନ୍ଦନ
ବିଘ୍ନ ବିନାଶନ ଗଣପତି ,
ରକ୍ତବର୍ଣ୍ଣ ତୁମେ ପାଶଙ୍କୁଶ ଧାରୀ
ସର୍ବ ସିଦ୍ଧିଦାତା ରମ୍ୟକାନ୍ତି ।(୧)

ପ୍ରଭୁ ଏକଦନ୍ତ ପାର୍ବତୀ କୁମର
ଗଜେନ୍ଦ୍ର ବଦନ ଲମ୍ବୋଦର,
ରିଦ୍ଧି-ସିଦ୍ଧିଦାତା ହେ ବିଶ୍ଵ କରତା
ଗିରିଜା ତନୟ ପ୍ରିୟବର।(୨)

ଭାଦ୍ର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ
କୋଟି ପ୍ରଭାସମ ଜନମିଲ,
ଜନନୀ ଆଦେଶେ ସଭିଙ୍କୁ ହରାଇ
ପିତା ହସ୍ତେ ପ୍ରାଣ ବିସର୍ଜିଲ ।(୩)

ମୂଷିକ ବାହନ ହେ ଶିବନନ୍ଦନ
ଶ୍ରୀ ଗଣେଶ ବିଶ୍ଵ ଅଧିପତି,
ବିଦ୍ୟା, ବୁଦ୍ଧି,ଜ୍ଞାନ, ଯଶ ପରାଭବ
ଅଷ୍ଟ ବିନାୟକ ମହାଯତି ।(୪)

ପଞ୍ଚ ଦେବତାଙ୍କ ମଧ୍ୟେ ତବ ସ୍ଥାନ
ଲଡୁ ମୋଦକରେ ହୁଅ ପ୍ରିତ,
ବକ୍ର ତୁଣ୍ଡ ବିଭା ମହାକାୟ ଆଭା
ଶରତ ବିମଳେ ସୁଶୋଭିତ।(୫)

ତବ କୃପା ବରି ପଙ୍ଗୁ ଲଙ୍ଘେ ଗିରି
ସିଦ୍ଧି ପ୍ରଦାୟକ ଗଣାଧିଶ,
ଅଜ୍ଞାନ ଅନ୍ଧାର ଦୂର କର ଆଜି
ବିଦ୍ୟାର୍ଥଙ୍କ ଶିରୀ ହେ ବିଘ୍ନେଶ।(୬)

ତବ ଜ୍ଞାନାଲୋକେ ଉଜ୍ଜିବତ କରି
ସକଳ ଅଜ୍ଞାନ ନିଅ ହରି,
ଗଣେଶାୟ ନମ୍ଃ ଉଚ୍ଚାରି ବଦନେ
ଦୁଃଖ ଅବସାଦ ଦୂର କରି। (୭)

ଆହେ ଗଣନାଥ ଜ୍ଞାନ-ଗନ୍ତାଘର
କେ କଳି ପାରବ ତୁମ ସତ୍ତା,
ସ୍ତବ, ସ୍ତୋତ୍ର ମନ୍ତ୍ର ପୂଜା ଉପାସନା
ଜାଣେନା କିଛି ମୁଁ ବିଦ୍ୟା ଦାତା । (୮)

ଶିକ୍ଷୟିତ୍ରୀ ,ଆର୍,ଇ,ସି, କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ
,ଏନ୍ଆଇ ରାଉରକେଲା

Leave A Reply

Your email address will not be published.