Latest Odisha News

ବିଶେଷତାରେ ବିଘ୍ନରାଜ

ପ୍ରିୟ କୁନି ପିଲାମାନେ

ଆଜି ହେଉଛି ଗଣେଶ ପୂଜା । ତୁମେମାନେ ତ ଆଜି ପୂଜା କରିବ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଏହାର ଅର୍ଥ ଆମେ କୌଣସି ଦେବାଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ଗଣେଶଙ୍କର ପୂଜା କରୁ। କାରଣ ଗଣେଶ ବିଘ୍ନବିନାଶକ ଭାବରେ ସବୁ ଅସୁବିଧାର ସମାଧନ କରିଥାନ୍ତି।

ପିଲାମାନେ ତୁମେ ପୂଜା କରିବା ସମୟରେ ଗଣେଶଙ୍କର ବିଶାଳ ଶରୀରକୁ ନିଶ୍ଚିତ ଭାବରେ ଅନୁଧ୍ୟାନ କରିଥିବ। ଗଣେଶଙ୍କର ପ୍ରତ୍ୟେକ ଅଙ୍ଗ ଏକ ବିଶେଷ ସୂଚନା ପ୍ରଦାନ କରିଥାଏ । ଗଣେଶଙ୍କୁ ମଙ୍ଗଳମୂର୍ତ୍ତି ବି କୁହାଯାଏ।  ଆଜି ଆମେ ଜାଣିବା ଗଣେଶଙ୍କର ଶରୀରର ବିଭିନ୍ନ ଅଙ୍ଗ ଏବଂ ତାର ବିଶେଷତା ବିଷୟରେ।

ତୁମେମାନେ ଦେଖିଥିବ ଗଣେଶଙ୍କର ମୁଣ୍ଡଟି ବହୁତ ବଡ଼। ବଡ଼ ମୁଣ୍ଡ  ଅର୍ଥ ପ୍ରଖର ବୁଦ୍ଧି ଅର୍ଥାତ ବହୁତ ବୁଦ୍ଧିମାନ ଯାହାକି ସଠିକ ମାର୍ଗଦର୍ଶନ କରିବାରେ ସହାୟକ ହୁଏ। ଗଣେଶଙ୍କର ଛୋଟ ଆଖି ଆମକୁ ଶିଖାଏ ଯେ କୌଣସି ବି ବସ୍ତୁର କ୍ଷୁଦ୍ରଅଂଶକୁ ବି ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାଦ୍ବାରା ଆମେ ପ୍ରତ୍ୟେକ ଜିନିଷର ମୂଲ୍ୟ ବୁଝିପାରିବା।

ଗଣେଶଙ୍କର ଲମ୍ବାକାନ ଆମକୁ ସବୁକିଛି ଶୁଣିବାପାଇଁ ପ୍ରେରିତ କରିବା ସହ ସବୁବେଳେ ସତର୍କ ରହିବା ପାଇଁ କହିଥାଏ। କୌଣସି ବିଷୟରେ ଯେତେ ଅଧିକ ଆମେ ଶୁଣିବା ସେ ବିଷୟରେ ସେତେ ଅଧିକ ଜାଣିପାରିବା। ତୁମେମାନେ ଗଣେଶଙ୍କର ଶୁଣ୍ଢ ନିଶ୍ଚୟ ଦେଖିଥିବ। ଗଣେଶଙ୍କର ଶୁଣ୍ଢ ସବୁବେଳେ ଦୋହଳିତ ଅବସ୍ଥାରେ ଥାଏ। ଏହାର ଅର୍ଥ ହେଉଛି ଆମେ ସବୁବେଳେ ସକ୍ରିୟ ରହିବା ଆବଶକ। ସକ୍ରିୟତା ହିଁ ଆମକୁ ଆସନ୍ନ ବିପଦରୁ ରକ୍ଷା କରିଥାଏ।

ତୁମେମାନେ ଜାଣ ଗଣେଶଙ୍କର ଗୋଟିଏ ନାଁ ହେଉଛି ଲମ୍ବୋଦର। ଉଦର ଅର୍ଥାତ ପେଟ।  ଗଣେଶଙ୍କର ବଡ଼ ପେଟରେ ସବୁ ଖରାପ ହଜମ ହୋଇଯାଇ ଭଲ ହୋଇଯାଏ ଏବଂ ଜୀବନରେ ସବୁବେଳେ ଉଦାର ହୋଇ ରହିବା ପାଇଁ ଶିକ୍ଷାଦିଏ।

ଗଣେଶଙ୍କର ଗୋଟିଏ ଦାନ୍ତ ଅକ୍ଷୁର୍ଣ୍ଣ ରହିଥିବାରୁ ଏକଦନ୍ତ ବୋଲି କୁହାଯାଏ । ପୂର୍ବରୁ ତାଙ୍କର ଦୁଇଟି ଦାନ୍ତ ଥିଲା । କିନ୍ତୁ ପର୍ଶୁରାମଙ୍କ ସହ ଯୁଦ୍ଧ ସମୟରେ ଗୋଟିଏ ଦାନ୍ତ ଭାଙ୍ଗିଯାଇଥିଲା। ସେଇ ଭଙ୍ଗା ଦାନ୍ତରେ ଗଣେଶ ପୁରା ମହାଭାରତ ରଚନା କରିଥିଲେ। ଏହାର ଆମକୁ ପ୍ରତ୍ୟେକ ଜିନିଷର ସଦୁପଯୋଗ ଶିଖାଇଥାଏ। ଅନ୍ୟ ଏକ ଦନ୍ତ ଆମକୁ ଏକାଗ୍ରତାର ଶିକ୍ଷାଦିଏ।

ତୁମେମାନେ ଜାଣିଥିବ ଗଣେଶଙ୍କର ଅସ୍ତ୍ର ହେଉଛି ଫାଶ ଆଉ ଅଙ୍କୁଶ।  ଅଙ୍କୁଶ ହେଉଛି ଜାଗ୍ରତ ହେବାର ପରିଚୟ ଏବଂ ଫାଶ ନିୟନ୍ତ୍ରଣର ସୂଚକ। ଯଦି ଆମେ କିଛି କରିବା ବେଳେ ହାରିଯାଉ ତାହେଲେ ଆମକୁ ଅଙ୍କୁଶ ଲାଗିଲା ଭଳି ଜାଗ୍ରତ ହେବା ଦରକାର । ଜାଗ୍ରତ ହେବା ଦ୍ୱାରା ଆମର ଶକ୍ତି ଅନେକ ପରିମାଣରେ ବଢ଼ି ଯାଏ ସେଥିପାଇଁ ଫାଶ ଆମକୁ ନିୟନ୍ତ୍ରଣ କରିବା ଶିଖାଏ।

ତୁମମାନଙ୍କ ମନରେ ନିଶ୍ଚୟ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ଗଣେଶ ଏତେ ବଡ଼ ହୋଇ ଗୋଟେ ଛୋଟିଆ ମୂଷାକୁ କାହିଁକି ବାହନ କଲେ ? ମୂଷା ଛୋଟ ଜୀବଟିଏ ହେଲେ ମଧ୍ୟ ତାର ମୁନିଆଁ ଦାନ୍ତରେ କୌଣସି ବି ଜିନିଷକୁ ଟିକି ଟିକି କରି କାଟିଦେଇଥାଏ। ଏହାର ଅର୍ଥ ହେଉଛି ଗଣେଶ ଜ୍ଞାନର ଭଣ୍ଡାର ହୋଇଥିବା ବେଳେ ମୂଷା ଅଜ୍ଞାନର ରଜ୍ଜୁକୁ କାଟି  ଅଲଗା କରିଦେଇଥାଏ।

ପିଲାମାନେ ତୁମେମାନେ ଏବେ ନିଶ୍ଚୟ ବୁଝିପାରିଥିବ ଗଣେଶଙ୍କର ବିଶେଷତା ବିଷୟରେ । ଆମେ ସ୍ୱଚ୍ଛମନ ଓ ହୃଦୟର ସହ ତାଙ୍କର ଆରାଧନା କରିବା ଓ ବିଦ୍ୟା, ବୁଦ୍ଧିର ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା।

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ଏକ କିଛି ବିଷୟରେ।

Leave A Reply

Your email address will not be published.