Latest Odisha News

BREAKING NEWS

କବିତା : ଶକ୍ତି ସ୍ୱରୂପା ମାଆ

ରମାକାନ୍ତ ନାୟକ

ଶରତର ଶିଶିରଭିଜା
ଧରିତ୍ରୀର କୋଳେ
କାଶତଣ୍ଡି ହସିଉଠିଲାଣି
ନଈପଠା ବିଲ ବଣ
ପାଟ ଗହିରିରେ,
ମଳୟ ପବନେ ଟାହିଆ ପରି
ଦୋହଲି ଦୋହଲି ଚାମର ବୁଲାଇ
ଆଶ୍ଵିନର ଇଷ୍ଟଦେବୀଙ୍କୁ
ସ୍ୱାଗତ କଲାଣି ।

ନିର୍ମଳ ଆକାଶେ ସୁନୀଳ ବରଣେ
ଶୁଭ୍ର ବସ୍ତ୍ର ପରିଧାନେ
ସଜେଇ ହେଲାଣି ପ୍ରକୃତି
ମାଆଙ୍କ ସ୍ୱାଗତର ଆଶେ ।

ଧରିତ୍ରୀର କୋଳେରେ
ଶୁଭ ଶଙ୍ଖ ଧ୍ୱନିରେ ଆଗମନ ହେବେ
ମା ଶକ୍ତି ସ୍ୱରୂପା
ସଜ୍ଜ ହେଲେଣି |

ହେଲେ ମା..
ତୁ କେଉଁଠି ରଖିବୁ ପାଦ
ଏମାଟି ଭିଜିଛି ରକ୍ତଛିଟାରେ
ଗଣଧର୍ଷଣରେ ନାରୀର ଆର୍ତ୍ତଚିତ୍କାରରେ
କେଉଁଥିରେ ଗଢ଼ିବୁମା’
ତୋ ପବିତ୍ର ମୃଣ୍ମୟ ଶରୀର
କଳୁଷିତ ଭରା ଏ ପୃଥୁଵୀର
କେଉଁ ମାଟିରେ ମା ।

ତଥାପି ତମେ ଆସ ଦେବୀ
ଶକ୍ତି ସ୍ୱରୂପିଣୀ ସନାତନୀ
ସହରେ ଗ୍ରାମେ ଉତ୍କଳରେ
ଭାରତଭୁଖଣ୍ଡେ ଘରେ ଘରେ
ଜାଗୋ ମାଆ ଅସୁର ବିନାଶିନୀ
ଶତ ଶତ ନାରୀର ଅନ୍ତରେ
ଶକ୍ତିଭରିଦିଅ ଅସୁର ନିଧନେ
କନ୍ୟା ଭୃଣ ହତ୍ୟା ବନ୍ଦ କର
ବନ୍ଦକର ଯୌନ ଅତ୍ୟାଚାର
ତମେ ଆସ କାଶତଣ୍ଡୀର
ଶୁଭ୍ର ପବିତ୍ର ଆଵାହନେ
ତୋ ଆଗମନେ ହଟିଯାଉ ଅମାଅନ୍ଧକାର ।

ଆସ ମାଆ..
ଦେଖି ଯାଅ,
ଆମର ଦୁର୍ଗା ଏହି ଦେବଭୂମିରେ
ଆର୍ଯ୍ୟବର୍ତ୍ତେ ଭାରତବର୍ଷେ
ନଗ୍ନ ଯୌନ ଯନ୍ତ୍ରଣା ଭୋଗେ
ଆମର ଦୁର୍ଗା ସ୍ମାର୍ଟ ସହରେ
ପ୍ଲାଷ୍ଟିକ ବୋତଲ ଗୋଟେ
ଆମର ଦୁର୍ଗା ମଦରଟେରେସା
କୋରାନା ଯୋଦ୍ଧା ପାଲଟେ
ଆମର ଦୁର୍ଗା ନିର୍ଭୟା ପରି ଝରାଫୁଲ ଅବା ମମିତା
ଯୌନଫାଶେ ଆଖି ବୁଜିଦିଏ
ହୋଇ ନିର୍ଯାତିତା
ଦୁର୍ବଳ ଶାସନ ଅବା କଳଙ୍କିତ
ମନ୍ତ୍ରୀ ଶାସକ ହାତେ
ଆମର ଦୁର୍ଗା ମୌନ ହୋଇଯାଏ
ଏଇ ସ୍ୱାଧୀନ ଦେଶେ
ରାଜନୀତିର ସୁଡ଼ଙ୍ଗଭିତରେ
ଦଙ୍ଗା ଫିସାଦେ ଫଶେ ।
ଆସ ମାଆ ଶକ୍ତି ପ୍ରଦାୟନୀ
ତମ ଆଗମନେ ଭରିଯାଉ ଉର୍ଜ୍ଜା ଆମ
ନାରୀଙ୍କ ହୃଦୟରେ
ନାଶିବାକୁ ଆସୁରିକ ଶକ୍ତି
ଏକବିଂଶ ଶତକରେ

ପଦ୍ମାମାୟା ପୁରୀ, ଶ୍ୟାମରାଈ ପୁର, ଭଦ୍ରକ

Leave A Reply

Your email address will not be published.