Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଗଙ୍ଗା ଏପାରି, ଗଙ୍ଗା ସେପାରି

୧୮୯୬ ମସିହାରେ ଜନ୍ମଗ୍ରହଣ କରିଥିବା ଜ୍ୟୋତିର୍ମୟୀ ଦେବୀ ବଙ୍ଗଳା ସାହିତ୍ୟର ଜଣେ ପ୍ରମୁଖ ଗଦ୍ୟ ବିନ୍ଧାଣୀ । ଦେଶ ସ୍ୱାଧୀନତା ପୂର୍ବରୁ ଜଣେ ସୁସାହିତ୍ୟିକା ଭାବେ ସୁନାମ ଅର୍ଜନ କରିଥିବା ଜ୍ୟୋତିର୍ମୟୀ ଭାରତ ବିଭାଜନ ପରେ ଏହି ପ୍ରସଙ୍ଗକୁ ନେଇ ଅନେକ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ । ରବୀନ୍ଦ୍ର ପୁରସ୍କାର ସମେତ ଅନେକ ସ୧ାନର ଅଧିକାରୀଣୀ ଜ୍ୟୋତର୍ମୟୀ ୧୯୮୮ ମସିହାରେ ପରଲୋକ ଗମନ କରିଥିଲେ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୨

ମୂଳ ବଙ୍ଗଳା: ଜ୍ୟୋତିର୍ମୟୀ ଦେବୀ

ଅନ୍ଧାର ରାତି । ଜଙ୍ଗଲର ଅରମା ବଣବୁଦା ଭିତରେ ପଶି ସେମାନେ ଏକମୁହାଁ ଆଗକୁ ଚାଲିଥିଲେ । ସେମାନଙ୍କୁ ଭଲ ରାସ୍ତା ମାଲୁମ ଥିଲା । କିନ୍ତୁ ଜାଣିଶୁଣି ଏଭଳି ରାସ୍ତାରେ ଯିବାକୁ ହିଁ ସେମାନେ ଶ୍ରେୟ ମଣୁଥିଲେ । ଅନ୍ତତଃ ପକ୍ଷେ ଏହା ନିରାପଦ । ସଡ଼କବାଟେ ଗଲେ ସେମାନଙ୍କ ଜୀବନ ପ୍ରତି କି ପ୍ରକାର ବିପଦ ଅଛି ତାହା ସେମାନଙ୍କୁ ଭଲଭାବେ ଜଣାଥିଲା ।

ସେଇ ଅନ୍ଧାରରେ ସେମାନେ ଆଗକୁ ଧୀରେ ଧୀରେ ଅଗ୍ରସର ହେଉଥିଲେ । ଛୋଟ ବଡ଼ ଦଳରେ, ବିକ୍ଷିପ୍ତ ଭାବେ – ସମସ୍ତଙ୍କର କିନ୍ତୁ ଲକ୍ଷ୍ୟସ୍ଥଳ ଥିଲା ଏକ । ନା, ସେମାନେ କୌଣସି ତୀର୍ଥଯାତ୍ରୀ ନ ଥିଲେ । ସେମାନେ କେଦାରବାରି କି ସାଗରମେଳ ଦେଖିବାକୁ ଯାଉ ନ ଥିଲେ । କୌଣସି ତୀର୍ଥାଟନ କରିବାକୁ ଅବା ଦୁର୍ଗମ ଭୂଇଁକୁ ଅକ୍ତିଆର କରିବା ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା । କିନ୍ତୁ ସେମାନଙ୍କ ଲକ୍ଷ୍ୟସ୍ଥଳ ଥିଲା ଅପହଞ୍ଚ । ଯେମିତିହେଲେ ସେଠାରେ ପହଞ୍ଚିବା ଲାଗି ସେମାନେ ସମସ୍ତେ ପ୍ରୟାସ ଚଳାଇଥିଲେ । ଯଦି କିଛି ଅଘଟନ ଘଟିଯାଏ? ସେମାନଙ୍କ ମହିଳାମାନଙ୍କ ଇଜ୍ଜତ ହେଉ କି ପୁରୁଷମାନଙ୍କ ଜୀବନ କିମ୍ବା ଧର୍ମକୁ ଯେମିତି ହେଲେ ସୁରକ୍ଷିତ ରଖିବାକୁ ପଡ଼ିବ । ସେମାନେ ନିଜ ସାଙ୍ଗରେ ସେମିତି କିଛି ଧନ ଦଉଲତ ନେଇ ଯାଉ ନ ଥିଲେ କିମ୍ବା ସେପରି ଧନୀ ଲୋକ ବି ନ ଥିଲେ । ବରଂ ସେମାନେ ପଛରେ ଯାହା ଛାଡ଼ି ଆସିଥିଲେ ସେସବୁ ଅଧିକ ମୂଲ୍ୟବାନ ଥିଲା – ଉର୍ବର ଚାଷଜମି ।

ପୁରୁଷମାନେ ହାତରେ ଖଣ୍ଡିଏ ଖଣ୍ଡିଏ ଠେଙ୍ଗା କି ଟାଙ୍ଗିଆ ଧରିଥିଲେ । ସମସ୍ତଙ୍କ ପିଠିରେ ଲୁଗାପଟା କି ଖାଦ୍ୟପଦାର୍ଥର ଛୋଟ ବୁଜୁଳାଟିଏ ଝୁଲୁଥିଲା । ଫୁଙ୍ଗୁଳା ଦେହ । ପିନ୍ଧାଲୁଗା କହିଲେ ଖଣ୍ଡିଏ ସରୁ ଧୋତି ଯାହା ସେମାନଙ୍କ ଅଣ୍ଟା ଚାରିକଡ଼େ ବେଢ଼େଇ ହୋଇଥିଲା । ଦଳରେ ସବୁ ମୟସର ଲୋକ ଥିଲେ – ବୁଢ଼ା, ଭେଣ୍ଡା ଓ ମଧ୍ୟବୟସ୍କ । ସ୍ତ୍ରୀଲୋକମାନେ ନିଜ କାଖରେ ଛୋଟ ଛୋଟ ପିଲାମାନଙ୍କୁ କାଖେଇ ଚାଲୁଥିଲେ । ଆଉ କେଇଜଣ ପିଲା ମାଆମାନଙ୍କ ହାତକୁ ଧରି ନିରବରେ ଆଗକୁ ଅଗ୍ରସର ହେଉଥିଲେ । କେତେଜଣ ସ୍ତ୍ରୀଲୋକଙ୍କ ମୁଣ୍ଡରେ ସେଇ ମାମୁଲି ଆସବାବର ପୁଡ଼ାଟିଏ ଲେଖାଏଁ ଥିଲା । ପିନ୍ଧା ଶାଢ଼ିର କାନିକୁ ସେମାନେ ମୁଣ୍ଡ ଉପରେ ପକାଇ ମୁହଁକୁ ଢାଙ୍କି ରଖିଥିଲେ । ସେମାନଙ୍କ ଭିତରେ ବି ସବୁ ବୟସର ମହିଳା ଥିଲେ – ଯୁବତୀ, ବୃଦ୍ଧା, କିଶୋରୀ ଓ ମଧ୍ୟବୟସ୍କା ।

ସେମାନେ ନିରବରେ ଆଗକୁ ଚାଲିଥିଲେ । କାହାରି ତୁଣ୍ଡରେ କିଛି ହେଲେ ଭାଷା ନଥିଲା । ସମସ୍ତଙ୍କ ମନକୁ ଭୟ ଗୋଟାପଣେ ଆଚ୍ଛନ୍ନ କରି ରଖିଥିଲା ।
ଜଙ୍ଗଳ ଆରମୁଣ୍ଡରୁ ହଠାତ୍ ଟ୍ରେନର ବିକଟାଳ ହ୍ୱିସିଲ୍ ଶବ୍ଦ ଶୁଭିଲା । ତା’ପରେ ପୁଳାଏ କଳାଧୂଆଁ ଆକାଶକୁ ଉଠିଲା । ଲୌହ ଶକଟର ଧଡ଼ଧଡ଼ ଶବ୍ଦ ବେଳକୁ ବେଳ ଅଧିକ ସ୍ପଷ୍ଟ ହେଉଥିଲା । ସ୍ତ୍ରୀ ଲୋକମାନେ ଏ ଶବ୍ଦ ଶୁଣି ଖୁସିରେ ହୁଳହୁଳି ପକେଇବା ଆରମ୍ଭ କଲେ । ତା’ସାଙ୍ଗକୁ ପଞ୍ଝାଏ ପୁରୁଷ ଲୋକଙ୍କ ସମବେତ କଣ୍ଠସ୍ୱର ଶୁଭିଲା – ‘ହରିବୋଲ!’ ସେମାନଙ୍କ ଭିତରୁ କେହି ଜଣେ ପୁରୁଖା ଓ ବୟସସ୍କ ଲୋକ ବିଗିଡ଼ିଉଠି ଆକଟ କଲାପରି କହିଲେ, ‘କାଇଁକି ଏମିତି ଚିତ୍କାର ଛାଡ଼ୁଛ? କିଏ କେଉଁଠି ପାଖଆଖରେ ଥିବ! ଆମ କଥା ଶୁଣି ପାରିବ… ।’

ସମସ୍ତେ ପୁଣି ତୁନି ପଡ଼ିଗଲେ । କିନ୍ତୁ ସେମାନଙ୍କ ମନରେ ଆଶା ଓ ଉତ୍କଣ୍ଠା ସେମିତିଉଜ୍ଜୀବିତ ରହିଥିଲା । ଖୁସିରେ ସେମାନେ ସତେକି କୁରୁଳି ଉଠୁଥିଲେ । ଅନ୍ଧାରୁଆ ଗିରିଗୁମ୍ଫା ଅତିକ୍ରମ କରି ସତେ ଯେପରି ସେମାନେ ଆଲୋକର ସନ୍ଧାନ ପାଇଥିଲେ! ଏଇ ଜଙ୍ଗଲ ଦେଇ ସେମାନେ କେଇରାତି ଧରି ଚାଲିଥିଲେ, ନଈନାଳ ବି ପାର ହୋଇଥିଲେ । ଟିକେଟ୍ କିଣି ଟ୍ରେନରେ ବସିବାଲାଗି ସେମାନଙ୍କୁ ତର ନ ଥିଲା । ସେମାନଙ୍କୁ ଜଣାଥିଲା, ସେମାନେ ନିଜ ଘରଦ୍ୱାର, ଧନସମ୍ପତ୍ତି, ଜମିଜମା, ଏପରିକି ପ୍ରିୟ ଭିଟାମାଟିକୁ ସବୁଦିନ ଲାଗି  ଛାଡ଼ି ଆସିଥିଲେ । ସେମାନଙ୍କ ପାଖରେ କାଣି କଉଡ଼ିଟିଏ ସୁଦ୍ଧା ନ ଥିଲା । କିଛି ବୋଲି କିଛି ନଥିଲା । କିନ୍ତୁ ଅନ୍ତତଃପକ୍ଷେ ସେମାନେ ନିଜ ଧର୍ମର ଲୋକଙ୍କ ସହ ତ ଏକତ୍ର ବସବାସ କରିପାରିବେ । ଏକା ସମ୍ପ୍ରଦାୟର ଲୋକଙ୍କ ସହିତ ସମ୍ପର୍କ ରକ୍ଷା କରିପାରିବେ । ସେମାନଙ୍କୁ ଆଉ କେହି ବୁଲା ଗାଈଗୋରୁଙ୍କ ଭଳି ତଡ଼ି ଦେବେନି । ସେମାନଙ୍କ ମାନ ସ୧ାନ, ଇଜ୍ଜତ ଓ ଜୀବନ ପ୍ରତି ଆଉ କୌଣସି ବିପଦ ରହିବନି । ସାନ ବଡ଼, ପୁରୁଷ ମହିଳା ହୋଇ ସେମାନେ ପ୍ରାୟ ଷାଠିଏଜଣ ସରିକି ଥିଲେ । ସୀମା ପାଖରେ ଥିବା ରେଳଷ୍ଟେସନ ନିକଟରେ ସେମାନେ ଏତେ ଦୂର ବାଟ ଚାଲିଚାଲି ଆସି
ପହଞ୍ଚି ଥିଲେ ।

ଆହୁରି ଅନେକ ଲୋକ ସେମାନଙ୍କ ପଛରେ ମଧ୍ୟ ଆସୁଥିଲେ । ଆରପଟ ସୀମାରେ କଡ଼ା ପହରା ବ୍ୟବସ୍ଥା ଥିଲା । ପହରାଦାରମାନେ କାହାକୁ ଛାଡ଼ୁ ନ ଥିଲେ । ସେଇ ଗାର୍ଡମାନଙ୍କ ଭିତରୁ ଜଣେ ଏ ଲୋକମାନଙ୍କୁ ପଚାରିଲା, ‘କୁଆଡ଼େ ଆସିଛ? ତୁମ ପାସ୍‌ପୋର୍ଟ କାଇଁ?’ ଏ ଲୋକମାନଙ୍କ ପାଖରେ ଅବା ପାସ୍‌ପୋର୍ଟ ଆସିବ କାହୁଁ? କିନ୍ତୁ କିଛି କାଗଜପତ୍ର କି ପାସ୍‌ପୋର୍ଟ ନ ଥାଇ ସେମାନଙ୍କ ଦଳରୁ କିଛି ଲୋକ ସୀମା ପାର ହେ।।ଇ ଆରପଟକୁ ଯାଇସାରିଥିଲେ । ଗଲା ବର୍ଷ ଠିକ୍ ଏଇ ଦିନ ।

ସେମାନଙ୍କ ଭିତରୁ କେହି କେହି କହୁଥିଲେ, ‘ ମିଆଁ ସା’ବ୍‌, କାଗଜପତ୍ର ବନେଇବା ଲାଗି ଆମକୁ ସମୟ ମିଳିଲାନି । ଦୟାକରି ଆମକୁ ଆରପଟକୁ ଯିବାକୁ ଦିଅନ୍ତୁ । ଆପଣତ ଜାଣିଚନ୍ତି, ଆମେ ଆଉ ଫେରିବୁନି ।’

ମିଆଁ ସା’ବ୍ କିନ୍ତୁ ବେଶି କିଛି କହୁ ନ ଥିଲେ । କେବଳ ଇସାରା କରି କହୁଥିଲେ, ‘ଆରପଟ ଲୋକଙ୍କୁ ପଚାର ।’ ସେମାନେ ଆରପଟକୁ ପଚାରିବା ଲାଗି ଧପାଳୁଥିଲେ ।

‘ନା, ଆମ ପାଖରେ ସେମିତି କିଛି ଅର୍ଡର ନାହିଁ । ଫେରିଯାଅ ।’ ସେମାନଙ୍କୁ ମୁହେଁ ମୁହେଁ ନାସ୍ତିବାଣୀ ଶୁଣେଇ ଦିଆଯାଉଥିଲା ।

‘ଏମିତି କେମିତି ହୋଇପାରିବ?’ ସେମାନେ ଭାବୁଥିଲେ । ସୀମାନ୍ତର ଉଭୟ ପଟେ ଠିଆ ହୋଇଥିବା ଗାର୍ଡମାନଙ୍କୁ ସେମାନେ ନେହୁରା ହେଉଥିଲେ । ହାତ ଯୋଡ଼ୁଥିଲେ । ସେମାନଙ୍କ ପାଦତଳେ ଲୋଟୁଥିଲେ । କିନ୍ତୁ ସେମାନଙ୍କର ଆଖିର ଲୁହ କି ଆକୁଳ ମିନତି ବନ୍ଧୁକଧାରୀ ପହରାଦାରମାନଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିଲା । ସେମାନଙ୍କୁ ପ୍ରମାଣପତ୍ର ଦରକାର । ବିନା କାଗଜପତ୍ରରେ ସେମାନେ କାହାକୁ ଛାଡ଼ିବେନି ଅବା ଗ୍ରହଣ କରିବେନି ।

ଉଭୟ ପଟ ଗାର୍ଡଙ୍କର ସେଇ ଏକା କଥା । ବୟସ୍କ ଲୋକମାନେ ହତାଶ ହୋଇ ସେମାନଙ୍କ ଆଡ଼ୁ ମୁହଁ ଫେରେଇ ନେଇ ସାରିଥିଲେ । ଏବେ ଯୁବକମାନେ ଗାର୍ଡମାନଙ୍କ ଆଗରେ ନେହୁରା ହେଉଥିଲେ । ହାତଯୋଡ଼ି ନିଜର ଅସହାୟପଣ ବୁଝାଇବାକୁ ଚେଷ୍ଟା କରୁଥିଲେ । ସେମାନଙ୍କ ଅବୁଝାପଣରେ ବିରକ୍ତ ହେଉ ନ ଥିଲେ । ସତ କଥାଟି ହେଲା, ଯିଏ କିଛି ଲାଞ୍ଚ ଦେଇପାରିଲା ସିଏ ସୀମା ପାରହୋଇ ଆରପଟକୁ ଯାଇପାରୁଥିଲା । ସେଇ ନ୍ୟାୟରେ ତ କେବଳ ଏଇ ଦି’ଜଣଙ୍କୁ ଛାଡ଼ି ଅନ୍ୟମାନେ ଆରପଟକୁ ଯାଇସାରିଥିଲେ । ଏବେ ସ୍ୱାମୀ-ସ୍ତ୍ରୀ ଦି’ପ୍ରାଣୀ ଷ୍ଟେସନର ଗୋଟିଏ କୋଟକୁ ଜାକିଜୁକି ହୋଇ ମନଦୁଃଖରେ ବସିରହିଥିଲେ ।

ହଠାତ୍ ଗାର୍ଡଙ୍କ ଭିତରୁ କେହି ଜଣେ ପଚାରିଲା, ‘ଆରେ, ତୋ ନାଁ କ’ଣ?’ ସେମାନେ ଦୁହେଁ ଗୋଟିଏ କୋଣକୁ ଚୁପ୍‌ଚାପ୍ ବସି ରହିଥିଲେ । ଗାର୍ଡମାନଙ୍କ ସହିତ
ମୂଲାମୂଲି କରିବାକୁ ସେମାନଙ୍କ ପାଖରେ କିଛି ସମ୍ବଳ ନ ଥିଲା । କେହି ଯଦି ସେମାନଙ୍କୁ ରୋକି ନ ଥାଆନ୍ତା, ତା’ହେଲେ କେତେବେଳୁ ସେମାନେ ସୀମା ଆରପଟେ ପାଦ ଥାପି ସାରିଥାଆନ୍ତେ । ବିଚରା ସ୍ୱାମୀ-ସ୍ତ୍ରୀ ହଳକ ଏବେ ଘୋର ସଂକଟରେ ପଡ଼ି ଯାଇଥିଲେ ।

ପ୍ରଶ୍ନଟି ଶୁଣି ଲୋକଟି ମନରେ କିଛି ପ୍ରତ୍ୟୟ ସୃଷ୍ଟି ହେଲା । ସେ ଉତ୍ତର ଦେଲା, ‘ବାବୁ, ମୋ ନାଁ ସୁଦାମ ରୁଷି ।’

‘ସିଏ ତୋର କ’ଣ ହେବ?’

‘ ମୋ ସ୍ତ୍ରୀ ହଜୁର୍ । ଆମେ କେବଳ ଦି’ପ୍ରାଣୀ । ଆମକୁ ଦୟାକରି ଆରପଟକୁ ଯିବାକୁ ଦିଅନ୍ତୁ ବାବୁ ।’

ସ୍ତ୍ରୀଟି ଯୁବତୀ, ସୁନ୍ଦରୀ ଭଳି ଲାଗୁଥିଲା । ବୟସ କୋଡ଼ିଏରୁ ଅଳ୍ପ ବେଶୀ ହେବ । ମୁଣ୍ଡରେ ଲମ୍ବା ଓଢ଼ଣା ଟାଣି, ତଳକୁ ମୁହଁ ପୋତି ସେ ବସି ରହିଥିଲା ।

ସମସ୍ତଙ୍କ ନଜର ଚାରିଆଡ଼େ ଘୂରି ବୁଲୁଥିଲା । ଗାର୍ଡମାନେ ବଢ଼ିଲା ଝିଅ ବୋହୂଙ୍କ ଆଡ଼କୁ କଣେଇ କଣେଇ ବଣ କଟାସ ଭଳିଆ ଉଣ୍ଡୁଥିଲେ । ସେମାନଙ୍କର ଦରକାର ନଗଦ ଟଙ୍କା, ନ ହେଲେ ସ୍ତ୍ରୀଲୋକ । ଦି’ପଟର ଗାର୍ଡ଼ମାନେ ଏକା ସ୍ୱଭାବର ଥିଲେ । ସେମାନେ ଥରେ ଆଖି ଘୂରେଇ ନେଇ ଜାଣି ପକାଉଥିଲେ କାହାକୁ କି ପ୍ରକାର ପ୍ରଶ୍ନ ପଚାରିବାକୁ ହେବ । କାହା ଅଣ୍ଟାରେ କେତେ ଟଙ୍କା ଅଛି ଅବା କିଏ ଅସୁବିଧାରେ ଅଛି । ତା’ପରେ ପ୍ରଶ୍ନର ପର୍ବ ଆରମ୍ଭ ହୋଇଯିବ ।

‘ତୁମ ଦି’ଜଣଙ୍କୁ ସୀମା ପାର କରେଇଦେଲେ କେତେ ଟଙ୍କା ଦେଇପାରିବ?’ ସୁଦାମ ହାତଯୋଡ଼ି ଗୁହାରି କଲାଭଳି କହିଲା, ‘ବାବୁ, ମୋ ପାଖରେ ମାତ୍ର ପାଞ୍ଚଟଙ୍କା
ଅଛି । ଆଉ କିଛି ବୋଲି କିଛି ନାହିଁ ।’

ସେମାନେ ଏକାସଙ୍ଗେ ହସି ଉଠିଲେ । ‘ଆରେ ପୁଅ, ତୁ ଆରପଟକୁ ଯାଇ ପାରିବୁନି । ଘରକୁ ଫେରିଯା’ ।’ କେହି ଜଣେ ଥଟା କରି କହିଲା ।

ଏଥର ସେମାନଙ୍କ ସମୂହ ଶ୍ୟୋନଦୃଷ୍ଟି ସୁଦାମର ପତ୍ନୀ ଉପରେ ନିବଦ୍ଧ ହେଲା । ପୁଣି ଜଣେ ପଚାରିଲା, ‘ତା’ ନାଁ କ’ଣ?’

: ‘ସିଏ ଦୁର୍ଗା ।’

ସତକୁ ସତ ସିଏ ଦୁର୍ଗା ଭଳିଆ ଦିଶୁଥିଲା ବୋଲି ସେମାନେ ଭାବୁଥିଲେ । ପୁଣି ଥରେ ମୂଲଚାଲ – ‘ତୁ ଯଦି ପଚିଶ ଟଙ୍କା ଦେଇପାରିବୁ ତା’ହେଲେ ଆମେ ତତେ ସୀମା ପାର କରେଇଦେବୁ । ତୁ ଚାଲିଚାଲି ଆର ପଟକୁ ଯାଇପାରିବୁ ।’

: ‘ମୋ ପାଖରେ ଏତେ ଟଙ୍କା କୁଆଡ଼ୁ ଆସିବ ବାବୁ?’

ଏକଥା ଶୁଣି ଦୁର୍ଗା ନିଜ ଓଢ଼ଣାକୁ ସାମାନ୍ୟ ଟେକି ସ୍ୱାମୀ କାନରେ କିଛି କହିଲା । ଆଃ, କି ସୁନ୍ଦରିଆ ମୁହଁଟିଏ! ରଙ୍ଗ ବି ସେମିତି । କିଏ ଭଲା କହିବ ସିଏ ଗୋଟିଏ
ମୋଚୀର ସ୍ତ୍ରୀ ବୋଲି?

ସୁଦାବ କହିଲା, “ମୋ ସ୍ତ୍ରୀ ଭାଇ କଲିକତାରେ ଅଛି । ତା’ପାଖରୁ ମୁଁ କିଛି ଟଙ୍କା ଉଧାର ଆଣିପାରିବି । କିନ୍ତୁ କାହା ସାଙ୍ଗରେ ମୋ ସ୍ତ୍ରୀକୁ ତା’ପାଖକୁ ପଠେଇବି?’

ଯେଉଁ କେଇଟା ଗାର୍ଡ ଦୁର୍ଗା ମୁହଁକୁ ଉଣ୍ଡୁଥିଲେ, ସେମାନେ ମୁହଁ ହଟେଇ ପାରୁ ନ ଥିଲେ । ସେମାନଙ୍କ ଭିତରୁ କେହି ଜଣେ କହିଲା, ‘କାଇଁକି, ତୁ ନିଜେ ଯାଉନୁ? ଯାଇ ଟଙ୍କା ନେଇ ଫେରିଆସିବୁ । ତୋ ସ୍ତ୍ରୀ ଏଇ ଷ୍ଟେସନ ମାଷ୍ଟରଙ୍କ ଘରେ କେଇଟା ଦିନ ରହିଯିବ ।’

ଏକଥା ଶୁଣୁ ଶୁଣୁ ସୁଦାମ ମନରେ ଛନକା ପଶିଲା । ଦୁର୍ଗାକୁ ଏକୁଟିଆ ଛାଡ଼ି ସେ ଯିବ ଆଉ ଦୁର୍ଗା ଏଠି ରହିବ- ଏ ଅଚିହ୍ନା ଅଜଣା ଲୋକଙ୍କ ପାଖରେ…
ସୁଦାମ କହିଲା, ‘ନାଇଁ ବାବୁ, ଆମେ ବରଂ ଲେଉଟିଯିବୁ ।’ ସେଦସଟି ଗଲା । ବେଳବୁଡ଼ି ରାତି ହେଲା । ରାତିରେ ଗେରସ୍ତ- ଭାରିଜା ସେଇ

ପ୍ଲାଟଫର୍ମର ଗୋଟିଏ କୋଣକୁ ତଳେ ପାଖାପାଖି ଶୋଇଗଲେ । ଦୁର୍ଗା ତା’ଶାଢ଼ି କାନିକୁ ସୁଦାମର ଧୋତି ସାଙ୍ଗରେ ଗଣ୍ଠି ପକେଇ ଦେଇ କିଛି ସମୟ ଲାଗି ଶୋଇପଡ଼ିଲା । ହେଲେ ରାତିରେ ଚାଉଁକିନା ତା’ ନିଦ ଭାଙ୍ଗିଗଲା । ଆଉ ରାତିସାରା ନିଦ ହେଲାନି ।

ଧୀରେ ଧୀରେ ସେମାନଙ୍କ ଦଳରେ ଆସିଥିବା ସବୁଲୋକ କୌଣସସମତେ ସୀମା ପାର ହୋଇଗଲେ । ଆଉ ଯେଉଁ କେତେଜଣ ଥିଲେ ସେମାନେ ସୁଦାମ ଗାଆଁର ନୁହନ୍ତି । ହେଲେ ସମସ୍ତେ ହିନ୍ଦୁ ।

ତା’ପର ଦିନ ସକାଳ ହେଲା ଓ ପୁଣି ଥରେ ବେଳ ବୁଡ଼ିଲା । ସେଇସବୁ ଏଜେଣ୍ଟମାନେ ତା’ ପାଖକୁ ଆସି ପଚାରିଲେ, ‘ଆରେ ସୁଦାମ, ତୁ ଟଙ୍କା ଯୋଗାଡ଼ କରି ଯାଉନୁ କାଇଁକି? ତୁ ଯାଇ ଟଙ୍କା ଯୋଗାଡ଼ କରି ଆଣ୍ । ତୋ ସ୍ତ୍ରୀ ଆମ ଜିମାରେ ଥାଉ । ତା’ର କିଛି ଅସୁବିଧା ହବନି ।’

ଏକଥା ଶୁଣି ଦୁର୍ଗା ଭିତରେ ଭିତରେ ଥରିଉଠିଲା । ତା’ ଦେହ ଶିତେଇଗଲା । ଏ ଲୋକମାନେ ତା’ ଭଲମନ୍ଦ ବୁଝିବେ? ଏମାନେ କିଏ କି?

ଏମିତି ଆଉ ଗୋଟିଏ ରାତି ଓ ଦିନ ବିତିଲା । ଶେଷରେ ଦୁର୍ଗ ସୁଦାବକୁ କହିଲା, ‘ତୁମେ ମତେ ଷ୍ଟେସନ ମାଷ୍ଟର ସା’ବଙ୍କ ଘରକୁ ନେଇ ଚାଲ । ସିଏ ଯଦି ତାଙ୍କ ଘରେ ମତେ ରଖିବାକୁ ରାଜି ହେବେ, ତା’ହେଲେ ମୁଁ ରହିବାରେ ଆପତ୍ତି ନାହିଁ । ଆଉ କେତେ ଦିନ ପ୍ଲାଟଫର୍ମଟା ଉପରେ ଏମିତି ପଡ଼ିରହିବା? ଷ୍ଟେସନ ମାଷ୍ଟରଙ୍କର ତ ସ୍ତ୍ରୀ ଥିବ । ତାଙ୍କରି ପାଖରେ କାମଦାମ କରି ଦିନେ ଦି’ଦିନ ମୁଁ ରହିଯିବି ।’

ଷ୍ଟେସନ ମାଷ୍ଟରଙ୍କର ଘର ସେଇ ପାଖରେ ଥିଲା । ତାଙ୍କ ଘରକୁ ଦି’ପ୍ରାଣୀ ଗଲେ । ତାଙ୍କ କ୍ୱାର୍ଟର୍ସରେ ଷ୍ଟେସନ ମାଷ୍ଟରଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଓ ସେମାନଙ୍କର ଦି’ତିନୋଟି ପିଲା ଥିଲେ । ଦୁର୍ଗା ନିଜ ମୁଣ୍ଡ ଓ ମହୁଁରେ ଓଢ଼ଣା ଲମ୍ବେଇଥିଲା । ସୁଦାବ ଷ୍ଟେସନ ମାଷ୍ଟରଙ୍କ ପାଦ ତଳେ ବସି କାନ୍ଦି କାନ୍ଦି କହିଲା, ‘ଆପଣ ମୋ ବାପଭଳି । ଦୟାକରି ମୋ ସ୍ତ୍ରୀ’କୁ ଦି’ଚାରିଟା ଦିନ ଲାଗି ଆପଣଙ୍କ ଘରେ ରହିବାକୁ ଦିଅନ୍ତୁ । ମୁଁ କଲିକତା ଯାଇ ତା’ ଭାଇଠାରୁ ଟଙ୍କା ଧରି ଜଲ୍‌ଦି ଲେଉଟି ଆସିବି । ଟଙ୍କା ଦେଇ ଆରପଟକୁ ଯିବାର ବନ୍ଦୋବସ୍ତ କରିବି ।’ କିଛି ଲୋକ ପଥର ହୋଇପାରନ୍ତି, କିନ୍ତୁ କିଛି  ଭିତରେ ବି ମାନବିକତା ଓ ଦେବତ୍ୱ ରହିଛି । ସେଇଥିପାଇଁ ତ ଏ ସଂସାର ଚାଲିଛି ।

ଏମିତିକା ଲୋକମାନଙ୍କ ଦୁଃଖ, ନିର୍ଯ୍ୟାତନା, କାନ୍ଦ ଦେଖି ଦେଖି ଷ୍ଟେସନ ମାଷ୍ଟରବାବୁଙ୍କର ଦେହସୁହା ହୋଇ ସାରିଥିଲା । ଏହା ସତ୍ତ୍ୱେ ସୁଦାମ ଓ ଦୁର୍ଗାଙ୍କ କାନ୍ଦ ଓ ନେହୁରାରେ ତାଙ୍କ ହୃଦୟ କାଇଁକି କେଜାଣି ହଠାତ୍ ତରଳିଗଲା । ସେମାନଙ୍କ ଅସହାୟପଣ ତାଙ୍କ ମନକୁ ଛୁଇଁଲା । ସେ କହିଲେ, ଠିକ୍ ଅଛି । ତୋ ସ୍ତ୍ରୀ ମୋ ଘରେ ରହିବ । ମୋ ସ୍ତ୍ରୀ ତ ଅଛି । ତା’ର କିଛି ଅସୁବିଧା ହେବନି । ହେଲେ ତୁ କେତେଦିନ ଭିତରେ ଫେରିବୁ? ଏ ଜାଗାରେ ଚୋର ବଦମାସ ହାଉଜାଉ । ମୁଁ କ’ଣ ବେଶୀ ଦିନ ସେମାନଙ୍କ ଦାଉରୁ ତାକୁ ରକ୍ଷା କରିପାରିବି? ଆଉ ସିଏ କ’ଣ ଖିଆପିଆ କରିବ? ତୁମେମାନେ ତ ହିନ୍ଦୁ ଲୋକ – ଆମ ରନ୍ଧା ଖାଦ୍ୟ ତ ତୁମେ ଛୁଇଁବନି ।’

ସୁଦାମ ଖୁସିରେ ଗଦ୍‌ଗଦ୍ ହୋଇଉଠିଲା । ସେ କହିଲା, ‘ମୁଁ ଖୁବ୍ ଜଲ୍‌ଦି ଫେରିଆସିବି । ଆପଣ ତାକୁ ନିଜ ଝିଅ ବୋଲି ଭାବନ୍ତୁ । ସିଏ କ’ଣ ଗଣ୍ଡେ ଫୁଟେଇ ଖାଇନେବ । ଆପଣଙ୍କ ପତ୍ନୀ ତ ମୋର ମା’  । ଦୁର୍ଗା ପାଖରେ ଯାହା ଚୁଡ଼ା କି ମୁଢ଼ି ଗଣ୍ଡେ ଅଛି ସେଇଆକୁ ସେ ଖାଇନେବ । ଦିନ ଦି’ଟାରେ ମୁଁ ଫେରିଆସିବି ।
ମା’ଜାନ୍‌ଙ୍କ ପାଖରେ ସିଏ ରହିଲା ।’

ଏତିକି କହି ସୁବଦାମ ନମସ୍କାରଟିଏ କରି ଏକମୁହାଁ ଚାଲିଗଲା । ସୁନ୍ଦରୀ ଦୁର୍ଗା ଷ୍ଟେସନ ମାଷ୍ଟରଙ୍କ ଘରେ ରହିଲା । ମନେମନେ ଅପେକ୍ଷା କରି ଚାଲିଥିଲା ସୁଦାମର ଫେରିବା ବାଟକୁ । ୟା’ଭିତରେ ଦି’ଦିନ ବିତି ସାରିଥିଲା । ଆଜି ତୃତୀୟ ଦିନ । ଦୁର୍ଗା ମମେମନେ ଭାବୁଥିଲା, ଆଜି ସୁଦାମ ଫେରିବ । ଯେକୌଣସି ମୁହୂର୍ତ୍ତରେ ବାହାରୁ ତା’ଡାକୁ ଶୁଭିବ । ତା’ ଭାଇମାନେ କଲିକତାରେ ଅଛନ୍ତି । ଜଣେ ମାଇଁ ବି ଅଛି । ସୁଦାମଙ୍କ ବାପାଙ୍କର ଜଣେ ଭଉଣୀ ଅଛନ୍ତି । ଟଙ୍କା ପଚିଶଟା କ’ଣ ସମସ୍ତେ ମିଶି ଯୋଗାଡ଼ କରିପାରିବେନି!

ନା, ସୁଦାମ ଯାବା ଆଜିକୁ ମିଶାଇ ପାଞ୍ଚଦିନ ବିତି ସାରିଥିଲା । ତା’ପରେ ଆଉ ପାଞ୍ଚଦିନ ବି ଗଡ଼ିଲା । ଧୀରେ ଦୁର୍ଗା ମନକୁ ଭୟ ଓ ଆଶଙ୍କା ଗ୍ରାସ କରିବା ଆରମ୍ଭ କଲା । ସୁଦାମର କ’ଣ ହେଲା? କାଇଁକି ସିଏ ଫେରୁନି? ତା’ର କିଛି ଭଲମନ୍ଦ ହୋଇନି ତ? ସେଠାରେ ଲୋକମାନେ ତାକୁ ମାରଧର କଲେ କି? ଆଜିକାଲି ଷ୍ଟେସନରେ ବୁଲଚାଲ କରୁଥିବା କେଇଟା ଲଫଙ୍ଗା ବଦମାସ ଟୋକା ଆସି ଷ୍ଟେସନ ମାଷ୍ଟରଙ୍କ ଘର ଚାରିକଡ଼େ ଚକ୍କର କାଟିବାର ତା’ ନଜରରେ ପଡ଼ିଥିଲା । ବିନା କାରଣରେ ବିବିସାହିବାଙ୍କ ସହିତ ସେମାନେ ଗପସପ ହେଉଥିଲେ । କିଛି ସମୟ କଥାବାର୍ତ୍ତା କଲାପରେ ସେମାନେ ତାଙ୍କୁ କହିଥିଲେ, ‘ବିବି ସା’ବ୍‌, ଆପଣ ନିଜ ଘରେ ଏ ହିନ୍ଦୁ ସ୍ତ୍ରୀ ଲୋକଟାକୁ କାଇଁକି ରଖିଛନ୍ତି? ତାକୁ ଘରୁ ତଡ଼ିଦିଅନ୍ତୁ । ତା’ର ଯେଉଁଆଡ଼େ ଇଚ୍ଛା ସେଇଆଡ଼େ ଯାଉ ।’ କୁଲିମାନେ ଦୁର୍ଗାକୁ ଦେଖି କଣେଇ କଣେଇ ଚାହିଁ ମୁରୁକିହସା ମାରୁଥିଲେ । ତାକୁ ଶୁଣେଇ ଶୁଣେଇ କହୁଥିଲେ, ‘ୟା’ଗେରସ୍ତ କ’ଣ ଆଉ ଫେରିବ? ପୁଣି ଟଙ୍କା ଯୋଗାଡ଼ କରି! ମାଇପକୁ ବନ୍ଧାରଖି ସିଏ
ଖସି ଚମ୍ପଟ ମାରିସାରିଛି । ଏବେ ଇଏ ଏଠି ଧନ୍ଦାକରି ଖୁବ୍ ଟଙ୍କା ରୋଜଗାର କରିବ । ଆରେ ଆମେ ଅଛୁ । କେତେ ଗ୍ରାହକ ଯୋଗାଡ଼ କରିଦେବୁ ।’ ଷ୍ଟେସନ ମାଷ୍ଟରଙ୍କ କୋଣମୁଣ୍ଡ ଘରେ ଅନ୍ଧାରରେ ବସି ଦୁର୍ଗା ସବୁ ଶୁଣେ । ତା’ କାନରେ ସବୁ ପଡ଼େ । ସେ ନିରବରେ ଆଖିରୁ ଲୁହ ଗଡ଼ାଏ । ତା’ଛାତି ଧଡ଼ଧଡ଼ ହୋଇଉଠେ । ଓଠ କମ୍ପି ଉଠେ । ସେ ଆଗକୁ ଆଉ କିଛି ଚିନ୍ତା କରିପାରେନି ।

ସେସବୁ ଲୋକମାନେ ଚାଲି ଯିବାପରେ ଦୁର୍ଗା ବିବିସା’ବଙ୍କ ଗୋଡ଼ତଳେ ପଡ଼ି ମିନତି କରେ, ‘ତୁମେ ମୋ ମା’ଭଳିଆ । ମୁଁ ତୁମକୁ ମା’ଜାନ୍ ବୋଲି ଡାକେ । ମୁଁ ନେହୁରା ହେଉଛି, ଏ ନରପିଶାଚମାନଙ୍କ ହାତରେ ମତେ ଟେକି ଦିଅନା ।’

ବିବିଜାନ୍ ତାକୁ ଅଭୟବାଣୀ ଶୁଣେଇ କହନ୍ତି, ‘ଜମା ନୁହଁ । ତୁ ମୋଟେ ବ୍ୟସ୍ତ ହଅନା’ । ତୁ ଯେମିତି ଏ ଘରେ ଅଛୁ ସେମିତି ରହିଥା ।’

ଦୁର୍ଗା ମୁହଁରେ ସିନା ବିବିଜୀ ଏକଥା କହନ୍ତି, ହେଲେ ରାତିରେ ଶୋଇଲାବେଳେ ନିରୋଳା ଦେଖି ସେ ତାଙ୍କ ସ୍ୱାମୀଙ୍କ ପଚାରନ୍ତି, ‘ସେ ଲୋକଟା କୁଆଡ଼େ ଗଲା ଯେ ଏପର୍ଯ୍ୟନ୍ତ ଫେରିଲାନି । ତା’ସ୍ତ୍ରୀକୁ ଆମ ବେକରେ ବାନ୍ଧିଦେଇ କୁଆଡ଼େ ଚାଲିଗଲା ନା କ’ଣ? ସେ ଫେରିବ ଟି?’

ମିଆଁସା’ବ୍ କହନ୍ତି, ‘ ଆଲ୍ଲାଙ୍କୁ ଜଣା । କିନ୍ତୁ ମତେ ଲାଗୁଚି ସିଏ ଫେରିବ । ଏତେ ସୁନ୍ଦର ସ୍ତ୍ରୀକୁ ଛାଡ଼ି କାଇଁକି ଭଲା ସିଏ ପଳେଇଯିବ? ଦେଖିନ, ଗଲାବେଳେ ମୋ ଗୋଡ଼ ଧରି କେତେ କାନ୍ଦୁଥିଲା । କଲିକତା ସହର । କିଏ ଜାଣିଲା, ଲୋକଟା ଉପରେ କି ବିପଦ ପଡ଼ିଥିବ! ଏମିତି ବି ହୋଇଥାଇପାରେ, ସିଏ ଟଙ୍କା ଯୋଗାଡ଼ କରିପାରୁ ନ ଥିବ । ମୁଁ ତ ତାକୁ ଛାଡ଼ି ଦେଇଥାଆନ୍ତି । କିନ୍ତୁ ଗଙ୍ଗାର ଏ ପାରି ଓ ସେପାରିରେ ଯେଉଁ ଶୁଗୁଣାମାନେ ତାଙ୍କ କଥା ତ ତୁମେ ଜାଣିଚ । ସେମାନଙ୍କୁ ଏପଣ ଲୋକଙ୍କୁ ଆଉ ସେପଟ ଲୋକଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି । ନଈର ଦି’କୂଳ ଜଗିବସିଥିବା ମହାପୁରୁଷମାନଙ୍କ ଭିତରେ କିଛି ଫରକ ନାହିଁ । ଉଭୟେ ସଇତାନ ।’

ବିବି କହନ୍ତି, ‘ବିଚାରୀ! ଏତେ କମ୍ ବୟସର ଝିଅଟା! ଏମିତିକା ଅସମୟରେ ଆମେ ଅବା କେତେଦିନ ତାକୁ ଘରେ ଆଶ୍ରା ଦେଇପାରିବା ବୋଲି ଭାବୁଚ?’

ଦୁର୍ଗା କାନରେ ପତିପତ୍ନୀଙ୍କ ସେଇ ଫୁସୁରୁଫାସୁରୁ କଥାବାର୍ତ୍ତା ପଡ଼େ । ତାକୁ ଆଉ ନିଦ ହୁଏନି । ସାରା ରାତି ସିଏ ସେମିତି ଶେଯରେ ପଡ଼ି ରହେ ।

ତା’ହେଲେ ସିଏ କରିବ କ’ଣ? ଷ୍ଟେସନ ମାଷ୍ଟର ଦମ୍ପତ୍ତି କ’ଣ ତାକୁ ଏ ଭୋକିଲା ଗଧିଆମାନଙ୍କ ମୁହଁକୁ ଠେଲିଦେବେ? ଘରୁ ତଡ଼ିଦେବେ? ପାଖ ଗାଆଁରେ କିଛି
ସ୍ତ୍ରୀଲୋକଙ୍କ ଦୁର୍ଦଶା ସିଏ ନିଜେ ଆଖିରେ ଦେଖିଚି । ସୀମା ପାଖକୁ ଆସିଲାବେଳେ ବାଟରେ ବି ଦେଖିଚି । ଦଳଦଳ ହୋଇ ଲୋକ ଘୂରି ବୁଲୁଥିବାର ତା’ ନଜରରେ ପଡ଼ିଚି । ଅସହାୟ ସ୍ତ୍ରୀଲୋକମାନଙ୍କ କାନ୍ଦବୋବାଳି ତା’ କାନରେ ପଡ଼ିଚି । ବାଟରେ ଆସିଲାବେଳେ କିଛି ପୁରୁଷ ଲୋକଙ୍କୁ ମାରି ଦିଆଯିବା ଖବର ବି ସେ ଶୁଣିଛି । ଅନ୍ୟମାନେ ପ୍ରାଣନେଇ ପଳେଇଯିବା ଦୃଶ୍ୟ ବି ସେ ଦେଖିଥିଲା । ତା’ହେଲେ…? ଦୁର୍ଗା ଦେହ ଶୀତେଇ ଉଠେ । ସେ ଭୟରେ କଳାକାଠ ପଡ଼ିଯାଏ ।

ସିଏ କାହାକୁ କିଛି ନ କହି ପଳେଇବ? ହେଲେ କୁଆଡ଼େ ଯିବ? ଏ ଭୋକିଲା ଗଧିଆଗୁଡ଼ାକ ତ ଚାରିଆଡ଼େ ଟାକି ବସିଛନ୍ତି! ବେକରେ ରସି ଲଗେଇବ? ନଈକି ଡେଇଁ ପଡ଼ିବ? ପାଖରେ ତ ନଈ ଅଛି । ନ ହେଲେ ପୋଖରୀରେ । ତା’ପର ମୁହୂର୍ତ୍ତରେ ଦୁର୍ଗା ମନରେ ଆଶା ଜାଗିଉଠେ । ନା, ସ୍ୱାମୀ ତା’ର ଫେରିଆସିବ । ସୁଦାମ ଅବଶ୍ୟ ଆସିବ ।

ଏମିତି ଆଉ କେଇ ଦିନ ଗତ ହୋଇଗଲା । ଷ୍ଟେସନ ମାଷ୍ଟର ସା’ବ୍ ଓ ତାଙ୍କ ବିବିଙ୍କୁ ବି କେମିତି ସନ୍ଦେହ ଲାଗିଲା । ସୁଦାମ ତା’ ସ୍ତ୍ରୀକୁ ଛାଡ଼ି ବୋଧହୁଏ ପଳେଇଗଲା! ଦୁର୍ଗା ଆଜିକାଲି ଆଉ ନିଜେ ରୋଷେଇବାସ କରୁ ନ ଥିଲା । ଖିଆପିଆ ବି କ୍ୱଚିତ୍ କରୁଥିଲା । ସଦାବେଳେ ସେ ସୁଦାମର ଫେରିଲା ବାଟକୁ ଚାହିଁ
ବସିଥିଲା । ଯଦି କେବେ ବିବି ତା’ ଉପରେ ବିରକ୍ତ ହୁଅନ୍ତି, ତା’ହେଲେ ଚୁଡ଼ା କି ମୁଢ଼ିରୁ ମୁଠାଏ ପାଟିକି ପକେଇ ଦେଉଥିଲା ।

ଦୀର୍ଘ ଏକୋଇଶ ଦିନ ପରେ ସୁଦାବ ଶେଷରେ ଫେରିଲା । ତା’ ଆଖି ଓ ଗାଲ କେମିତି ଭିତରକୁ ପଶିଗଲା ପରି ଲାଗୁଥିଲା । ଆଖିରେ ଆଶଙ୍କା ଓ ମନରେ ଉତ୍କଣ୍ଠା । ହେଲେ ସେ ଫେରିଥିଲା । କଲିକତା ସହରରେ ସବୁ ବନ୍ଧୁବାନ୍ଧବ ଓ ଚିହ୍ନା ପରିଚୟ ଲୋକଙ୍କ ପାଖରେ ନେହୁରା ହୋଇ ସେ ବହୁ କଷ୍ଟରେ ସେତକ ଟଙ୍କା ଯୋଗାଡ଼ କରିପାରିଥିଲା । ଟଙ୍କାତକ ଧରି ସୁଦାବ ଆସି ସେଠାରେ ପହଞ୍ଚିବା ପରେ ସିଧା ଷ୍ଟେସନ ମାଷ୍ଟର ସା’ବଙ୍କ ଗୋଡ଼ତଳେ ପଡ଼ିଯାଇଥିଲା ।

‘ସା’ବ୍‌!’

ଷ୍ଟେସନ ମାଷ୍ଟର ସା’ବ ସୁଦାମକୁ ଦେଖି ଚମକି ପଡ଼ିଥିଲେ । ଯେମିତି ସଏ ନିଜ ଆଖି ସାମ୍‌ନାରେ ସୁଦାବକୁ ନୁହେଁ, ତା’ ଭୂତକୁ ଦେଖୁଛନ୍ତି! ଏଥର ସେ ତାକୁ ବିରକ୍ତ ହୋଇ ପଚାରିଲେ, ‘ତୁ ଏତେ ଦିନ କାଇଁକି ଡେରି କଲୁ? ତୁ ତ କହିଥିଲୁ ତିନିଦିନରେ ଫେରି ଆସିବୁ ବୋଲି? ତୋର କ’ଣ ହେଲା?’

‘ବାବୁ, ଟଙ୍କା ଯୋଗାଡ଼ କରୁ କରୁ ଡେରି ହେଇଗଲା । ମତେ କ୍ଷମା କରିଦିଅନ୍ତୁ ସା’ବ୍ । ମୁଁ ଆଉ ଆପଣଙ୍କୁ କଷ୍ଟ ଦେବିନି । ମୁଁ ଆଜି ଦୁର୍ଗାକୁ ନେଇଯିବି । ସିଏ ଭଲ ଅଛି ତ?’ ଏତିକି କହି ସେ ଷ୍ଟେସନ ମାଷ୍ଟରଙ୍କ ପାଖରେ ପଚିଶ ଟଙ୍କା ଥୋଇଦେଲା ।

ଷ୍ଟେସନ ମାଷ୍ଟର କିନ୍ତୁ ସେ ଟଙ୍କାକୁ ଛୁଇଁଲେନି । ବରଂ କେମିତି ବିବ୍ରତ ହେଲାପରି କହିଲେ, ‘ତୁ ଯାଇ କିଛି ଖିଆପିଆ କର । ଆମେ ପରେ କଥାବାର୍ତ୍ତା ହେବା ।’

ସୁଦାମ ଡରିଗଲା । ସେ ଭାବିଲା, ଏବେ ଷ୍ଟେସନ ମାଷ୍ଟର ଓ ଅନ୍ୟ ଏଜେଣ୍ଟ୍‌ମାନେ ତାକୁ ଅଧିକ ଟଙ୍କା ମାଗିବେ ନାହିଁ ତ? ଯଦି ମାଗନ୍ତି ସିଏ ଆଉ ଟଙ୍କା ଆଣିବ କୁଆଡ଼ୁ? ଅଧିକ ଟଙ୍କା!

ଷ୍ଟେସନ ମାଷ୍ଟରଙ୍କ ପଛେ ପଛେ ସୁଦାବ ତାଙ୍କ ଘରକୁ ଗଲା । ଘରେ ପହଞ୍ଚିଲା ପରେ ସେ ସାହେବାଣୀଙ୍କ ପାଦ ଛୁଇଁ ପ୍ରଣାମ କଲା । ସିଏ ବି ସୁଦାମକୁ ଦେଖି କେମିତି ଅପ୍ରସ୍ତୁତ ହୋଇ ପଡ଼ିଲେ । ପଚାରିଲେ, ‘ଆରେ କେମିତି ଅଛୁ? ଏତେ ଦିନ ଧରି ଥିଲୁ କୁଆଡ଼େ?’

ସୁଦାମ ପଚାରିଲା, ‘ମା’ଜାନ୍‌, ଦୁର୍ଗା କାଇଁ?’ ଏତିକି କହି ସେ ଘରର ଚାରିଆଡ଼େ ଆଖି ବୁଲେଇ ଆଣିଲା ।

ବିବି କହିଲେ, ‘ପ୍ରଥମେ କିଛି ଖିଆପିଆ କର । ତା’ପରେ ଆମେ କଥାବାର୍ତ୍ତା ହେବା ।’

‘ଦୁର୍ଗା କ’ଣ କିଛି ରୋଷେଇ କରିନି? ମୁଁ  ଖାଇନେବି । ତାକୁ କହନ୍ତୁ, ମତେ ଦି’ଟା ଖାଇବାକୁ ଦେବ ।’

ଷ୍ଟେସନ ମାଷ୍ଟରଙ୍କ ପତ୍ନୀ ଆଉ ନିଜକୁ ସମ୍ଭାଳି ରଖି ପାରିଲେନି । ତାଙ୍କ ଆଖିରୁ ଲୁହ ଝରି ଆସିଲା । ମା’ଜାନଙ୍କର ଏପରି ଅବସ୍ଥା ଦେଖି ସୁଦାମର ମୁହଁ କଳାକାଠ ପଡ଼ିଗଲା । ତା’ ମନ ପାପ ଛୁଇଁଲା । ସେ ପଚାରିଲା, ‘ଦୁର୍ଗା କ’ଣ ଆପଣଙ୍କ ଘରେ ନାହିଁଏ ସେମାନେ କ’ଣ ତାକୁ ଉଠେଇ ନେଲେ?’

ଷ୍ଟେସନ ମାଷ୍ଟର ସା’ବ୍ ସେଇଠି ଠିଆ ହୋଇଥିଲେ । ସେ ସୁଦାମକୁ ବୁଝେଇ କହିଲେ, ‘ନା, ସେମାନେ କିଛି କରିନାହାନ୍ତି । ଦୁର୍ଗା ଆଉ ଜୀବନରେ ନାହିଁ । ମରି ସାରିଛି । ସିଏ

ପାଣିରେ ବୁଡ଼ି ଆତ୍ମହତ୍ୟା କରିଛି ।’ ସା’ବଙ୍କ ତୁଣ୍ଡରୁ ଏ କଥା ପଦକ ଶୁଣିବା ମାତ୍ରେ  ସୁଦାମ ମୁଣ୍ଡ ଘୂରେଇଦେଲା । ସିଏ ସେଇଠି ଥମ୍‌କରି ବସିପଡ଼ିଲା । ଏମିମତି କିଛି ସମୟ ଧରି ସେଠାରେ ବସି ରହିଲାପରେ ହଠାତ୍ ସେଠାରୁ ଉଠି ପଦାକୁ ଚାଲିଗଲା ।

କାହିଁକି କେଜାଣି ସୁଦାମ ଭାବିଲା, ସମସ୍ତେ ତାକୁ ମିଛ କଥା କହୁଛନ୍ତି । ଅଧିକ ଟଙ୍କା ନେବାକୁ ତାକୁ ଏମିତି ଭୂଆଁ ବୁଲାଉଛନ୍ତି । ଦୁର୍ଗାକୁ ଲୁଚେଇ ରଖିଛନ୍ତି । ନ’ହେଲେ ସେମାନେ ଦୁର୍ଗାକୁ ଫେରେଇବେନି । ସେଇ ଲୋକମାନଙ୍କ ପାଖରେ ଦୁର୍ଗା  ଅଛି । ସିଏ ମରିନି ।

ସୁଦାମ ଷ୍ଟେସନକୁ ଗଲା । ଯେତେବେଳେ ଷ୍ଟେସନ ମାଷ୍ଟର ସା’ବ୍ ନିଜ କାମରୁ ଫାଙ୍କା ହେଲେ, ସେ ତାଙ୍କ ଗୋଡ଼କୁ ଧରି ନେହୁରା ହେଲା । ମୁଣ୍ଡ କଚାଡ଼ିଲା । ତାଙ୍କ ଜୋତାକୁ ଆଣି ନିଜ ମୁଣ୍ଡ ଉପରେ ଥୋଇ ମିନତି କଲା । ଦୁର୍ଗା କେଉଁଠି ଅଛି ବୋଲି କାନ୍ଦି କାନ୍ଦି ପଚାରିଲା ।

ସୁଦାମର ଏଭଳି ଅବସ୍ଥା ଦେଖି ସେଠାରେ ଲୋକ ରୁଣ୍ଡ ହେଲେ । ଗୁମୁରି ଗୁମୁରି କାନ୍ଦି ସେ କେବଳ ସେଇ ଗୋଟିଏ କଥାକୁ ଦୋହରାଇ ଚାଲିଥିଲା । ‘ସାବ୍‌, ମୋ ଦୁର୍ଗାକୁ ମତେ ଫେରେଇଦିଅ । ମୋର ଆଉ ଏ ସଂସାରରେ କେହି ନାହିଁ ।

ଧୀରେ ଜନଗହଳି ବଢ଼ିଲା । ସୀମା ଆରପଟ ଓ ଏପଟର ଅଧିକାରୀମାନେ ଆସି ସେଠାରେ ଜମା ହେଲେ । ସମସ୍ତଙ୍କ ତୁଣ୍ଡରୁ କେବଳ ସେଇ ଗୋଯିଏ କଥା ଶୁଭୁଥିଲା, ‘ସିଏ ବେକରେ ଇଟା ବାନ୍ଧି ପାଖ ପୋଖରୀରେ ଆତ୍ମହତ୍ୟା କରିଛି । ଆମେ ସମସ୍ତେ ଦେଖିଛୁ, ଜାଣିଛୁ । ଦୁର୍ଗା ଆଉ ଜୀବନରେ ନାହିଁ । ତୁ ଯେତେେଳେ ଫେରିବାକୁ ଡେରି କଲୁ, ସିଏ ହତାଶ ହୋଇ ଆତ୍ମହତ୍ୟା କଲା ।’

ସୁଦାମ ବଲବଲ କରି ସମସ୍ତଙ୍କ ମୁହଁକୁ ଚାହିୁଁଥିଲା । କାହାରି କଥାକୁ ସେ ବିଶ୍ୱାସ କରିପାରୁ ନ ଥିଲା । ନିଜେ ଗୁଣୁଗୁଣୁ ହୋଇ କିଛି ଗପି ଚାଲିଥିଲା । ଦୁର୍ଗା ଆତ୍ମହତ୍ୟା କରିବା ଅସମ୍ଭବ ବୋଲି ସେ ଭାବୁଥିଲା । ପାଖରେ ଠିଆ ହୋଇଥିବା ଜଣେ ହିନ୍ଦୁ ଅଫିସର ତା’କାନ୍ଧରେ ହାତ ଥାପି କହିଲେ, ‘ତୁମେ ମୋ ସାଙ୍ଗରେ ଆସ । ଏବେ କ’ଣ କରିବ ବୋଲି ଭାବୁଛ? ମୁଁ ତୁମକୁ ସୀମା ଆରପଟକୁ ପଠେଇଦେବି ।’ ଆଉ ଜଣେ ମୁସଲମାନ ଅଧିକାରୀ କହିଲେ, ‘ସତ କଥା । ଦୁର୍ଗା ତ ଆଉ ଫେରି ଆସିବନି । ସେ ମରିବା ଆମେ ନିଜ ଆଖିରେ ଦେଖିଚୁ । ଏକଥା ପୁଲିସ ବି ଜାଣିଛି ।’

ସୁଦାମ କାହାକୁ କିଛି କହିଲାନି । ସେଇଠି ଚଟାଣଟା ଉପରେ ଗୁମ୍‌ହୋଇ ବସି ରହିଥିଲା । କାହାରି ମୁହଁକୁ ସୁଦ୍ଧା ଚାହୁଁ ନ ଥିଲା । ସତେ ଯେମିତି କାହାରି କଥା ତା’କାନରେ ପଡ଼ୁ ନ ଥିଲା ।

ଷ୍ଟେସନ ପାଖକୁ ଲାଗି ଜଙ୍ଗଲ । ସେଇ ଜଙ୍ଗଲିଆ ରାସ୍ତା ଦେଇ କିଛି ଲୋକ ଯା’ଆସ କରୁଥିଲେ । ସୁଦାମ ବି ସେଇ ଦିଗକୁ ଚାହିଁଲା । ସତେ ଯେମିତି ସେ ଆଖି ସାମ୍‌ନାରେ ତା’ ଦୁର୍ଗାକୁ ଦେଖି ପାରୁଥିଲା । ହଁ, ସେଇ ତ! ସେଇ ଗୋରା ଚେହେରା । ସେଇ ନାଲି ଧଡ଼ିବାଲା ଶାଢ଼ି ଖଣ୍ଡିକ ପିନ୍ଧିଚି । ପାଦରେ ଅଳତା ନାଇଚି । ଅବିକଳ ମୋ ଦୁର୍ଗା । ହଠାତ୍‌ କ’ଣ ହେଲା କେଜାଣି ତା’ ମନ ମାନିଲାନି । ନା । ସିଏ ପୁରି ଥରେ ଷ୍ଟେସନ ମାଷ୍ଟରଙ୍କ ଘର ପାଖକୁ ଦୌଡ଼ିଗଲା ।

ଖରାବେଳେ ଘରକୁ ଫେରି ଖାଇସାରିବା ପରେ ସା’ବ୍ ବିଶ୍ରାମ ନେଉଥିଲେ । ସୁଦାମ ତାଙ୍କ ପାଖକୁ ଯାଇ ପୁଣି ଥରେ ନେହୁରା ହେଲା: ‘ସା’ବ୍‌, ମୋ ଦୁର୍ଗା କେଉଁଠି ଅଛି ଆପଣ ଜାଣିଛନ୍ତି । ଦୟାକରି ମତେ ତା’ ଠିକଣା ବତେଇ ଦିଅନ୍ତୁ । ମୁଁ ତାକୁ କଲିକତାକୁ ନେଇଯିବି । ତାକୁ ନେଇ ଗଙ୍ଗାରେ ଡୁବ ପକେଇ ପବିତ୍ର କରେଇବି । ସିଏ ଆଉ ଅଚ୍ଛବ ହୋଇ ରହିବନି । ମୁଁ ତାକୁ ଛାଡ଼ି ଗଲା ଦିନ ସିଏ କେତେ କାନ୍ଦିଥିଲା, ଆପଣ ତ ନିଜେ ଦେଖିଛନ୍ତି ।’

ବିବି ସା’ବ୍ ମନ ଦୁଃଖରେ ସୁଦାମକୁ ବୁଝେଇଲେ, ‘ନାଇଁରେ ସୁଦାମ! ଦୁର୍ଗା ଆଉ ଏ ସଂସାରରେ ନାହିଁ । ମୋ ବେଟାଟା ପରା, ତୁ ନିଜକୁ ସମ୍ଭାଳ । ସିଏ ମରିସାରିଛି ।’

କାହାକୁ କିଛି ନକହି ସେଦିନ ସୁଦାମ ଲେଉଟିଗଲା ।

ତା’ପରଦିନ ସେ ପୁଣି ଆସିଲା । ଏବେ ସେ ହାତଯୋଡ଼ି ଗୁହାରି କରୁଥିଲା, ‘ମା’ଜାନ୍ । ମୁଁ ଇସଲାମ୍ ଧର୍ମ ଗ୍ରହଣ କରିବାକୁ ରାଜି ଅଛି । ତା’ହେଲେ ସେମାନେ ମତେ ମୋ ଦୁର୍ଗାକୁ ଫେରେଇ ଦେବେ ନା? ତୁମେ ଟିକେ ସେମାନଙ୍କୁ କୁହ । ଜଣେ ମୁସଲମାନ ତ ଅନ୍ୟ ଜଣେ ମୁସଲମାନର ପତ୍ନୀକୁ ତା’ ପାଖରେ ରଖି ପାରିବନି । ମା’ଜାନ୍‌! ମୁଁ ତୁମକୁ ମା’ ବୋଲି ଡାକୁଛି । ତୁମେ ସା’ବଙ୍କ ସାଙ୍ଗରେ କଥାବାର୍ତ୍ତା କର । ଦୁର୍ଗା ମରିନି । ସିଏ ମତେ ପରା ଗଲାବେଳେ କହିଥିଲା, ଜଲ୍‌ଦି ଫେରିଆସିବ ।’

ବିବି ସା’ବ୍ ବାକ୍‌ଶକ୍ତିହୀନ ହୋଇ ବସି ରହିଥିଲେ । ସେ ସୁଦାମର ସବୁ କଥା ଶୁଣୁଥିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ଚାଲିଥିଲା । ଶେଷର ସେ ଧୀର ସ୍ୱରରେ କହିଲେ, ‘ସୁଦାମ, ତୋ ମୁଣ୍ଡ ବିଗିଡ଼ି ଗଲାଣି । ତୁ କାଇଁକି ବିଶ୍ୱାସ କରୁନୁଏ ଦୁର୍ଗା ମରିସାରିଛି ।’

ଏକଥା ଶୁଣିବା ମାତ୍ରେ ସୁଦାମ ହଠାତ୍ ବସିବା ସ୍ଥାନରୁ ଉଠି ଏକମୁହାଁ ଚାଲିଲା । ଏବେ ସେ ଏଣେ ତେଣେ ଚାରିଆଡ଼େ ଘୂରି ବୁଲୁଥିଲା । ମନକୁ ମନ ଗପି ଚାଲିଥିଲା । ଯେଉଁ ବାଟେ ସେ ଆସିଥିଲା, ବୋଧହୁଏ ସେଇ ବାଟେ ଦୁର୍ଗା ଫେରିଯାଇଥିବ । ସମ୍ଭବତଃ ଏ ନରପିଶାଚଗୁଡ଼ାକ ତାକୁ ଅନ୍ୟ କେଉଁ ବାଟେ ଉଠେଇ ନେଇଥିବେ! ଏକଥା ମନକୁ ଆସିବା ମାତ୍ରେ ସୁଦାମ ଏକମୁହାଁ ସେଇ ଜଙ୍ଗଲିଆ ରାସ୍ତାରେ ଦୌଡ଼ିବାକୁ ଲାଗିଲା । ଦିନେ ନୁହେଁ, ଦି’ଦିନ ନୁହେଁ, ଏମିତି ପ୍ରତି ରାସ୍ତାରେ ଫି’ଦିନ ସୁଦାମ ଦୌଡ଼ୁଥିବା ଲୋକମାନେ ଲକ୍ଷ୍ୟ କରୁଥିଲେ ।

ସବୁଦିନ ଏମିତି ଦଳ ଦଳ ଲୋକ ସୀମାନ୍ତର ସେଇ ଷ୍ଟେସନକୁ ନିଜର ପିଲାଛୁଆ, ପୁଡ଼ାପୁଟୁଳି ଧରି ଆସୁଥିଲେ । ସୀମା ବି ପାର ହୋଇ ଯାଉଥିଲେ । ଚାରିଆଡ଼େ ଗହଳଚହଳ ଲାଗି ରହିଥିଲା । ଏଜେଣ୍ଟମାନଙ୍କ ବେପାର ବି । ଲୋକବାକଙ୍କ ଚଳପ୍ରଚଳ ସ୍ୱାଭାବିକ ହୋଇ ସାରିଥିଲା । ଟୋକା, ବୁଢ଼ା, ପିଲା, ଯୁବତୀ, ବୁଢ଼ୀ ସଭିଏଁ ଆସୁଥିଲେ । ସେମାନଙ୍କ ଭିତରେ ମୋଟୀ, ପତଳୀ, ସୁନ୍ଦରୀ ସ୍ତ୍ରୀଲୋକମାନେ ବି ଥିଲେ । କାହା ଗୋରା ପାଦରେ ନାଲି ଅଳତା ଧାର, ସୀମନ୍ତର ସିନ୍ଦୂର, ଖଇରପକା
ପାନଖିଆ ନାଲି ଓଠକୁ ନରପିଶାଚମାନେ ଉଣ୍ଡୁଥିଲେ । ଟାହିଟାପରା କରୁଥିଲେ । ସେଇସବୁ ସ୍ତ୍ରୀଲୋଙ୍କ ଭିତରେ ଅନେକ ଦୁର୍ଗା ପରି ଦିଶୁଥିଲେ । କିନ୍ତୁ ସୁଦାମ ସମସ୍ତଙ୍କ ଆଡ଼କୁ ଚାହିଁ ପୁଣି ମୁହଁ ଫେରେଇ ନେଉଥିଲା । ଦୂର ଦିଗ୍‌ବଳୟ ଆଡ଼କୁ ଚାହୁଁଥିଲା । ବେଳେବେଳେ ‘ଦୁର୍ଗା!’, ‘ଦୁର୍ଗା!’ ବୋଲି କୁହାଟଟିଏ ଛାଡ଼ୁଥିଲା ।
ଆଉ କେତେବେଳେ କୌଣସି ଜଣେ ଯୁବତୀ ପାଖକୁ ଆସି ଉଣ୍ଡୁଥିଲା ହେଲେ କେହି ଦୁର୍ଗାପରି ଦିଶୁ ନ ଥିଲେ ।

ଦିନସାରା ଏମିତି ଦୌଡ଼ି ଦୌଡ଼ି ଭୋକଉପାସରେ, କ୍ଳାନ୍ତ ମନରେ ସୁଦାମ ରାତିରେ ଷ୍ଟେସନ ପ୍ଲାଟଫର୍ମ ଉପରେ ନିଜ ଅବସନ୍ନ ଶରୀରକୁ ଲୋଟାଇ ଦେଉଥିଲା । ପୁଣି ସକାଳୁ ସକାଳୁ ଧଡ଼ପଡ଼ ହୋଇ ଉଠି ସୂର୍ଯ୍ୟ ଉଇଁବା ଆଗରୁ ଦୁର୍ଗା ସନ୍ଧାନରେ ବାହାରି ପଡ଼ୁଥିଲା ।

ଫର୍ଚ୍ଚା ହେବା ଆଗରୁ ସେ ଷ୍ଟେସନ ଛାଡ଼ି ଚାଲିବା ଆରମ୍ଭ କରିଦେଉଥିଲା । ତା’ ମନରେ ବିଶ୍ୱାସ ଥିଲା ତା’ଦୁର୍ଗାକୁ ସେ ପାଇବ …

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

 

Leave A Reply

Your email address will not be published.