Latest Odisha News

କବିତା : ପୁଣି ଥରେ ଶୀଲୁ

ଶୈଳବାଳା ମହାପାତ୍ର

ଏବେ ବୁହାଟେ କାନ୍ଦିବାକୁ ହେବ
ଶୀଲୁକୁ
ଲୁହମାନେ ଅନେକ ବେଳୁ ଅପେକ୍ଷା କଲେଣି
ଆଖି କୋଣରେ
ଠସ୍ ଠସ୍ ଖସି ପଡ଼ିବ ବରକୋଳିଆ ଟୋପା
ପତା ଟିକେ ହଲ୍ ଚଲ୍ ହେଇଗଲେ l

ଶୀଲୁ ମୁହଁ ଢାଙ୍କି ଦେଲା
ପାପୁଲିରେ
ପରାଜିତ ପୃଥ୍ବୀ ଟିକକୁ
ଆଣ୍ଠୁ ଉପରେ ଆଶ୍ଵାସିଲା ବେଳକୁ
ବର୍ଷିଲା ବାଦଲ୍——
ବର୍ଷିଲା—ବର୍ଷିଲା—ଏମିତି ବର୍ଷିଲା ଯେ
ବିକଳ ଶୀଲୁର କଇଁ ଲେସି ହେଇଗଲା
ଘର ଚାରି କାନ୍ଥ କବାଟ କଡ଼ିବରଗା
ଝରକା ଡେଇଁ ପବନକୁ ସାଉଁଟିଲା
କାକୁସ୍ଥ ପଣରେ !

ପବନ ଉଡ଼େଇ ନେଲା ବର୍ଷାକୁ ସତ
ଶୀଲୁ କିନ୍ତୁ ଓଦା ହେଇସାରିଥିଲା ଗୋଟାକଯାକ
ଏଥର ଉଠିଲା ସେ ପାଲଟିବାକୁ ଓଦା ଲୁଗା
ଯୁଝିବାକୁ ଆଉ ଗୋଟେ ଦୁଃଖ !!

ଶୀଳାଚିନ୍ମୟ
ମଧୁବନ ଷଷ୍ଠ ଗଳି
ଟିକରପଡା ରୋଡ଼
ପୁରୀ
୭୦୦୮୫୮୬୫୦୧

Comments are closed.