ସସ୍ମିତା ମହପାତ୍ର
ଜୀବନରେ କେତେ ଅତୀତ ଯନ୍ତ୍ରଣା ମଣିଷକୁ ଜାଳୁଥାଏ ।
ବୟସ ବଢିଲେ ଗଡିଗଲେ କିବା ସେ ବାସନା ଚାଲିଯାଏ ।।
ଯେ ଯାହା କରିଛି ଯେପରି ସର୍ଜିଛି ତା ମନ ସେପରି ବାସେ ।
ଅତୀତର ଜ୍ବାଳା ନୁହେଁ ପ୍ରଶମିତ ସବୁ ସଂସାର ବିନାଶେ ।।
ଚର୍ମ ଧୁଡୁ ଧୁଡୁ ଧବଳ କେଶ ଯେ ବାହାରେ ଦିଶଇ ବୃଦ୍ଧ ।
ମଣିଷ ଭିତରେ ଆଖିଠାର ମାରି ଜଗି ବସିଥାଏ ଗୃଦ୍ଧ ।।
ଶିକାର ସୁଯୋଗ ପାଇଗଲେ ଟିକେ ଡହଳ ଜୀବଟା ଜାଗେ ।
ବୟସ ଗଡିଲେ ହୋଇବ ବା କିସ ଯା ରସନା ରସ ମାଗେ ।।
ରହ ଆରେ ମନ ଟିକେ ଥୟ ଧର ଆଗରେ ଜଗିଛି କାଳ ।
ଅତୀତକୁ ତୋର ମନେପକାଇ ତୁ ତୋ ପାଦ ନିଜେ ସମ୍ଭାଳ ।।
ଯେତେ ପଢିଲେ ତୁ ପୋଥି ଭାଗବତ ତୋ ଠାରେ ଭାବ ଅଭାବ ।
ପ୍ରକୃତି ତୋହର ମାୟା କବଳିତ ଶୁଭେ ସ୍ବାର୍ଥପର ରାବ ।।
ଲୋକ ଦେଖାଣିଆ ପୂଜା ପାଠ ଧର୍ମ ସବୁ ତୋ ମିଛି ମିଛିକା ।
ଭୁଲି ଯାଇଛୁ କି ଚତୁର କାଉଟା ଖାଏ ଆବର୍ଜନା ଏକା ।।
କେତେ ତୁ ଚାତୁରୀ ରଙ୍ଗରେ ରଙ୍ଗାଉ ବାହାରେ ତୋର ଦୁନିଆ ।
ହେଲେ ତୁ କେବଳ ମୁଠାଏ ପାଉଁଶ ଜଳିଲେ ତୋ ଜୁଇ ନିଆଁ ।।
ଆରେ ବାଇମନ ବେଳହୁଁ ସମ୍ଭାଳ ତୋର କପଟିଆ ମନ ।
ସବୁ କାଳ କର୍ମ ତୋହର ଦେଖନ୍ତି ଶୂନ୍ୟରେ ରମାରତନ ।।
ପୁରୁଣା ଭୁବନେଶ୍ୱର
Comments are closed.