ସ୍ମୃତି ରଞ୍ଜନ ତ୍ରିପାଠୀ
ତା’କୁ ମାଜିବୁନି କେବେ
କିଶୋରୀ ଛନ୍ଦର ତାଳେ ତାଳେ
ସରି ସରି ଯିବ ଭାବ
ସରୁଥିବ ଗୋଟିଏ ରାତିର
ଅସ୍ଥିର ତୁଳୀ
ସରି ଆସୁଥିବ କବିତା,
ମୋଗଲ ମୀନାରର
କାନଭାଷ ତଳେ ପଡୁଥିବ ପୂର୍ଣ୍ଣଛେଦ
ଆଇକୋଉ ରାଜା କାନ୍ଧରେ
ସମର୍ପିତ ହେଉଥିବ
ସମ୍ମୋହନର ପହିଲି ବାରତା
ଅମୁହାଁ ଦେଉଳ ରେ ଖଞ୍ଜା ସରିଥିବ
ସଞ୍ଜବତୀ
ହସୁଥିବ କଇଁ
କାହା ପ୍ରତାରଣାର ଛାଇ ଫାଙ୍କରେ।
ନିଃଶ୍ୱାସକୁ ବୋଲକରା କରିବୁନି,
ସନ୍ଧିପତ୍ରରେ ଏ ଯାଏଁ ମୁଲଚାଲ ହେଇନି ଦେହର
ମନ ଓଢଣାରେ ଏବେ ବି କାୟରତ
ରାତି ଆଉ ରତି
ଭାଙ୍ଗନୀ ଏ ଯାଏଁ
ମାଟି ପଲଙ୍କର ଗାଢ଼ ନିଦ।
ଆଉ ଶଙ୍ଖୁଳେଇବୁନି ଆତିଥ୍ୟ
ଦେହକୁ ସଜାଡି ରଖିବୁ
ଶେଷ ବିଛେଦର ପରିଚୟ କରି,
ହୋଇପାରେ
ନୀରିହ ନୀରବତାର କାହାଣୀ ଆଲିଙ୍ଗନ କରିପାରେ
ଘରମୁହାଁ ଅସ୍ତିତ୍ୱକୁ,
ସେ ଦେହ ଦେଉଳକୁ।
ଖଣ୍ଡିଉଡା ଶାବକ ଏବେ
ନିଃସର୍ତ୍ତରେ ବାଢିଲେଣି
ଅଭିମାନର ସ୍ବାକ୍ଷର,
ଏବେ ଖୋଜିବାକୁ ହେବ
ଦେହ ଦେଉଳର ସଂଜ୍ଞା
ନିବୁଜ, ନିଃସ୍ତେଜ
ସମୟର ଅଳନ୍ଧୁ ସାଥିରେ ।
ଆ! ଫେରିଆ
ଘଡିର କାଚସ୍ତମ୍ଭ ବାହାରେ
ଏବେ ବି ବନ୍ଦ
ସେ ଦୋ ମୁହଁ ଘଣ୍ଟା ମିନିଟର
ଟିକ୍ ଟିକ୍ ଖେଳ
ନୀରବରେ ଶଯ୍ୟା ପାରୁଥିବା ଗୋଟେ ପ୍ରହର
ତୋ ପାଇଁ ବନ୍ଧା ଏ ଦେହ ,
ଦେଉଳ ଭିତରେ ଗୁଞ୍ଜନ ଇର୍ଷାର
ଦେଉଳ ଚାରିପଟେ
ଅଭିଯୋଗର ପାର୍ଶ୍ୱ ପ୍ରତିଛବି ପ୍ରେମର
ସମ୍ପର୍କର ଶେଷ ନଦୀ ତୀରେ
ଖାସ ତୋ ପାଇଁ ଅପେକ୍ଷାରତ ଆଉଗୋଟେ ପ୍ରତୀକ୍ଷାର
ଦେହ ଦେଉଳ।।
ଜଟଣୀ, ଖୋର୍ଦ୍ଧା
Comments are closed.