Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’  

” ତେବେ ବ୍ରାହ୍ମଣଙ୍କର ପୁତ୍ର ହୋଇ ମଧ୍ୟ ଲଙ୍କେଶ୍ୱରଙ୍କୁ ଅସୁର କୁହାଯାଏ କାହିଁକି? ”

” ଏହା ଜାଣିବା ପାଇଁ ତୁମକୁ ଆମ ବଂଶର ପୂର୍ବପୁରୁଷଙ୍କ ବୃତ୍ତାନ୍ତ ଜାଣିବା ନିହାତି ଆବଶ୍ୟକ । ”

” କୁହନ୍ତୁ ନା କାକୀ! ମୋର ଜିଜ୍ଞାସା ବଢ଼ି ଯାଉଛି। ”

” ଜିତେନ୍ଦ୍ରିୟ ଋଷି ଵିଶ୍ରବାଙ୍କର ପ୍ରଥମ ପତ୍ନୀ ହେଲେ ମହାମୁନି ଭରଦ୍ୱାଜଙ୍କର କନ୍ୟା ଇଡ଼ବିଡ଼ା। ତାଙ୍କ ପୁତ୍ର ହେଲେ ବୈଶ୍ରବଣ ବା କୁବେର। ଦୈତ୍ୟରାଜ ସୁମାଳିଙ୍କର କନ୍ୟା କେକସୀ ହେଲେ ଋଷିଙ୍କର ଦ୍ଵିତୀୟ ପତ୍ନୀ। ତାଙ୍କ ଗର୍ଭରୁ ଜାତ ହେଲେ, ତିନିଗୋଟି ପୁତ୍ର ରାବଣ,କୁମ୍ଭକର୍ଣ୍ଣ ଓ ବିଭୀଷଣ ଏବଂ କନ୍ୟା ସୂର୍ପଣଖା। ”

” ଆପଣ ତ ଗନ୍ଧର୍ବକନ୍ୟା। ”

” ହଁ , ମୁଁ ଗନ୍ଧର୍ବ କନ୍ୟା। ମାତା କେକସୀ ଯେହେତୁ ଅସୁରକନ୍ୟା ସେଥିପାଇଁ ଆମ ବଂଶକୁ ଅସୁର ବଂଶ କୁହାଯାଏ। ”

” ଏବେ ମୋତେ ଲଙ୍କା ନଗରୀ ନିର୍ମାଣର ଇତିହାସ କୁହନ୍ତୁ। ‘
” ଋଷି ଵିଶ୍ରବା , ସପତ୍ନୀକ ଆସିଥିଲେ ଲଙ୍କାର ପ୍ରତିଷ୍ଠା କାର୍ଯ୍ୟ ପାଇଁ। ଲଙ୍କାର ଐଶ୍ୱର୍ଯ୍ୟ ଦେଖି କେକସୀଙ୍କର ମନରେ ଲୋଭ ସୃଷ୍ଟି ହେଲା। ତେଣୁ ସେ ଦକ୍ଷିଣାରେ ଲଙ୍କା ମାଗିବା ପାଇଁ ସ୍ୱାମୀ ବିଶ୍ରବାଙ୍କୁ ପ୍ରବର୍ତ୍ତାଇଲେ। ପତ୍ନୀର ଜିଦ୍ ଆଗରେ ହାରିଗଲେ ଋଷି ଵିଶ୍ରବା ”

” ତା’ ପରେ କ’ଣ ହେଲା ? ସତରେ ସେ ଲଙ୍କାକୁ ଦକ୍ଷିଣା ରୂପେ ମାଗି ପାରିଲେ ? ”

” ହଁ, ମାଗିଲେ। ଋଷିଙ୍କର ମତିଭ୍ରମ ଦେଖି କ୍ରୋଧରେ ଜଳି ଉଠିଲେ ମାତା ପାର୍ବତୀ। ସଙ୍ଗେ ସଙ୍ଗେ ଅଭିଶାପ ଦେଇ କହିଲେ, ବ୍ରାହ୍ମଣ ହୋଇ ଏପରି ଲୋଭ !! ତୁମେ କିମ୍ବା ତୁମର ପୁତ୍ର କେହି ହେଲେ ଲଙ୍କାର ବୈଭବ ବା ଲଙ୍କା ନଗରୀକୁ ଭୋଗ କରି ପାରିବ ନାହିଁ। ତୁମ ବଂଶର ବିନାଶ ତୁମ ସମ୍ମୁଖରେ ହୋଇଯିବ। ”

” ତା’ ପରେ !! ”

” ତା ‘ ପରେ ଆଉ କ’ଣ ! ଅଭିଶପ୍ତା ଲଙ୍କା ନଗରୀ ଛାଡି ଶିବ ପାର୍ବତୀଙ୍କ ସହ ସମସ୍ତ ଦେବତା, ବ୍ରାହ୍ମଣ ସେଠାରୁ ଚାଲିଗଲେ। ଵିଶ୍ରବା ଋଷି ମଧ୍ୟ ଆଉ ସେଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କଲେନାହିଁ। ସପତ୍ନୀକ ନିଜ କୁଟୀରକୁ ଫେରି ଆସିଲେ। ”

” ତେବେ ଲଙ୍କା ନଗରୀକୁ ପିତା ରାବଣ, ଆସିଲେ କିପରି ? ”

ସେ ଅନେକ କଥା। ଧନର ଦେବତା କୁବେର ସେତେବେଳେ ନିଜେ ରହିବା ନିମିତ୍ତ ସ୍ଥାନର ଅନ୍ୱେଷଣରେ ଥିଲେ। ଋଷି ଵିଶ୍ରବା ତାଙ୍କର ଜ୍ୟେଷ୍ଠ ପୁତ୍ର କୁବେରଙ୍କୁ ନିଜର ସାମ୍ରାଜ୍ୟ ସ୍ଥାପନ ପାଇଁ ଲଙ୍କା ନଗରୀକୁ ଦେଇଦେଲେ। କୁବେରଙ୍କ ନିକଟରେ ସ୍ୱର୍ଣ୍ଣ ନିର୍ମିତ ପୁଷ୍ପକ ବିମାନ ମଧ୍ୟ ଥିଲା। ଏସବୁ ଦେଖି ମାତା କେକସୀ ଈର୍ଷ୍ୟାରେ ଜଳୁଥିଲେ ଏବଂ ଉଚିତ ସମୟର ପ୍ରତୀକ୍ଷାରେ ଥିଲେ। ଜ୍ୟେଷ୍ଠ ଭ୍ରାତା ରାବଣ ଯେତେବେଳେ କଠୋର ତପସ୍ୟା ପରେ ଅମିତ ଶକ୍ତିଶାଳୀ ହେଲେ , ତାଙ୍କୁ ପ୍ରରୋଚିତ କଲେ କୁବେରଙ୍କ ନିକଟରୁ ପୁଷ୍ପକ ବିମାନ ଓ ଲଙ୍କା ଛଡ଼େଇ ଆଣିବା ପାଇଁ।

କ୍ରମଶଃ….

Leave A Reply

Your email address will not be published.