Latest Odisha News

କବିତା : ରଥାରୁଢ ମହାପ୍ରଭୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ

ରଥାରୁଢ ହେବୁ କାଳିଆ ସାଆନ୍ତ
ଭାଇ ଭଉଣୀଙ୍କୁ ନେଇ,
ଗୁଣ୍ଡିଚା ମାଉସୀ ଅତି ସରାଗରେ
ବସିଅଛି ବାଟ ଚାହିଁ ।

ସ୍ବନେତ୍ରରେ ତୋତେ ନନ୍ଦିଘୋଷେ ଦେଖି
ହୋଇବେ ଭକ୍ତ ବିଭୋର,
ଶରଧା ବାଲିକୁ ମୁଣ୍ଡରେ ଲଗେଇ
ପାଇବେ ଖୁସି ଅପାର ।

କରୋନା ଭୟରେ ଗତ ଦୁଇବର୍ଷ
ପାଇଲେନି ଭକ୍ତ ଦେଖି,
କଟକଣା ହେଲା ରଥଯାତ୍ରା ଦିନ
ଅଛୁ ତୁହି ପ୍ରଭୁ ସାକ୍ଷୀ ।

ବିଶ୍ବନିୟନ୍ତା ତୁ ଜଗତର ନାଥ
କୋଟିରେ ଗୋଟିଏ ତୁହି,
ତୋ ପ୍ରେମେ ପାଗଳ ହୋଇବେ ଭକତ
ତୁଣ୍ଡରେ ତୋ ନାମ ନେଇ ।

ଭକତ ଭାବରେ ବନ୍ଧା ହୋଇଅଛୁ
ଯୁଗେ ଯୁଗେ ତୁ କାଳିଆ,
ଦାସିଆ ବାଉରୀ ପାଇଁ ରଖିଦେଲୁ
ରଥକୁ ବାଟରେ ଠିଆ ।

ମାଉସୀ ଘରକୁ ଯାଉଅଛୁ ତୁହି
ନନ୍ଦିଘୋଷରେ ତୁ ବସି,
ତାଳଧ୍ବଜେ ଯିବେ ବଡଭାଇ ତୋର
ଦେଇଣ ମୁରୁକି ହସି ।

ସୁଭଦ୍ରା ଭଉଣୀ ଦର୍ପଦଳନରେ
ଯିବେ ତୋର ସାଙ୍ଗେ ହୋଇ,
ମାଉସୀର ଘରେ ନଅଦିନ ରହି
ଆସିବୁ ତୁ ନିଳାଚଳ ଧାଇଁ ।

ଭଦ୍ରକ

Comments are closed.