Latest Odisha News

BREAKING NEWS

ଗଳ୍ପ : ପୋଡ଼ା ରୁଟି

ସସ୍ମିତା ମହାନ୍ତି 

ପୋଡ଼ା ରୁଟି କ’ଣ ସତରେ ସୁଆଦିଆ !!

ପିଲାଦିନୁ ଏ ପ୍ରଶ୍ନ ମୋ ମନକୁ ଆଲୋଡିତ କରେ କାରଣ ମୋ ବୋଉ ସବୁବେଳେ ଆମକୁ ଭଲ ରୁଟି ଖାଇବାକୁ ଦେଇ ନିଜେ ଦାଗ ଲାଗିଥିବା ବା ପୋଡ଼ି ଯାଇଥିବା ରୁଟି ଖାଏ। କେବଳ ପୋଡ଼ା ରୁଟି ନୁହେଁ ପୋଡ଼ି ଯାଇଥିବା ପିଠା, ପାମ୍ପଡ, ଭଜା ସବୁ ଖୁସି ମନରେ ଖାଏ ଓ ଆମେ ପଚାରିଲେ ତାକୁ ଏସବୁ ଭଲଲାଗେ ବୋଲି କୁହେ। ଆମେ ଭାଇଭଉଣୀ ଯେତେ ମାଗିଲେ ବି ଆମକୁ ଦିଏନି। ମୁଁ ବାପାଙ୍କ ଆଗରେ ଫେରାଦ ହୋଇ କୁହେ ବୋଉ ଭାରି ଚାଲାକ, ନିଜେ ରୋଷେଇ କରୁଛି ବୋଲି ସବୁ ଭଲ ଜିନିଷ ଏକା ଖାଉଛି ଆମକୁ କାହାକୁ ଦେଉନି।ବାପା ହସିଦେଇ କୁହନ୍ତି କେଡ଼େ ହୁଣ୍ଡିଟେ, ତୁ ଆମର ପଢାପଢିରେ ମନଦେ। ବୋଉ ତା’ର ଯାହା ଇଚ୍ଛା ଖାଉ।

ମୋ ମନ କିନ୍ତୁ ବୁଝେନି।ଥରେ ଆଈ ଆମ ଘରକୁ ଆସିଥାଏ।ତା ପାଖରେ ଶୋଇ ଗପ ଶୁଣୁଶୁଣୁ ପଚାରିଲି ବୋଉ କ’ଣ ପିଲାଦିନୁ ପୋଡ଼ା ରୁଟି ଖାଇବାକୁ ଭଲପାଏ ?

ମୋତେ ଚାହିଁ ଆଶ୍ଚର୍ଯ୍ୟ ହୋଇ ଆଈ କହିଲା କାଇଁ କ’ଣ ହେଲା ?

ମୁଁ ତାକୁ ସବୁକଥା କହିବାରୁ ସେ କହିଲା, ତୋ ବୋଉ ପିଠା କି ପରଟା ନହେଲେ ଖାଇବାକୁ ବସୁ ନଥିଲା। ତାକୁ ଏବେ ବୋଧେ ଏସବୁ ଖାଦ୍ୟ ଭଲ ଲାଗୁଥିବ।ଝିଅବେଳ ସ୍ବଭାବ ବାହା ହେଲା ପରେ ଅନେକ ବଦଳିଯାଏ। ତୁ ବାହାହେଲେ ବଳେ ଜାଣିବୁ।

ବୋଉ କେତେବେଳୁ ଆସି ଆମ ପାଖରେ ଠିଆହୋଇ ଚୁପଚାପ୍ ସବୁ ଶୁଣୁଥିଲା ମୋ ମୁଣ୍ଡକୁ ଆଉଁସି ଦେଇ କହିଲା ଆଈକୁ ଶୋଇବାକୁ ନଦେଇ କେତେ କଥା ପଚାରୁଛୁ ?

ମୁଁ ଧୀରେ ଧୀରେ ବଡ଼ ହେଉଥିଲି। କଲେଜ ପଢ଼ା ଶେଷ କରି ପିଜି କରିବାକୁ ହାଇଦ୍ରାବାଦ ଆସିଲି। ହଷ୍ଟେଲ ସୁବିଧା ନଥିବାରୁ ଆପାର୍ଟମେଣ୍ଟରେ ଭଡ଼ା ନେଇ ରହିଲି। ହାତରେ ରାନ୍ଧି ଖାଇବାକୁ ହୁଏ। ମୁଁ ଏମିତିରେ ଭାତ ଖାଇବାକୁ ଭଲପାଏ ନାହିଁ। ଦୁଇ ବେଳା ରୁଟି ଖାଏ। ଏଠି କିନ୍ତୁ ଲୋକମାନେ ଭାତ ପ୍ରିୟ। ବିଭିନ୍ନ ପ୍ରକାରର ଭାତ ବନେଇ ଲଞ୍ଚ ଓ ଡିନରରେ ଖାଇଥାନ୍ତି। ରୁଟି ମିଳିବା ଭାରି କଷ୍ଟ। ଯେଉଁ ରୁଟି ମିଳେ ତାହା ଖାଇବା ଯୋଗ୍ୟ ନଥାଏ। କେଉଁଠି ରୁଟି ଏତେ ଟାଣ ଯେ ଦାନ୍ତରେ ଚୋବେଇ ହୁଏନି, ଖାଇଲା ବେଳେ ଲାଗେ ଯେମିତି ଦାନ୍ତ ଭାଙ୍ଗି ଗଳି ପଡିବ। ପୁଣି କେଉଁଠି ତେଲ ଜର ଜର ମଇଦା ରୁଟି ଯାହା ରବର ପରି ଟାଣି ହୁଏ। ତାକୁ ଖାଇ ଦେହ ଖରାପ କରିବା ସାର ହେବ ଭାବି ସବୁ ସରଞାମ କିଣି ରୁଟି ତିଆରିରେ ଲାଗି ପଡ଼ିଲି। ଅନଭ୍ୟସ୍ତ ହାତରେ ଅଟା ଦଳୁ ଦଳୁ କେତେବେଳେ ପାଣିଆ ହେଲାଣି ତ କେତେବେଳେ ଏତେ ଶକ୍ତ ଯେ ବେଲିବା କାଠିକର ପାଠ ହୋଇଯାଏ। ଅଟା ସାଲୁବାଲୁ ଲୁଗାପଟା ଓ ମୋ ଦେହମୁଣ୍ଡ ଦେଖି ନିଜକୁ ଚିହ୍ନିବା କଷ୍ଟ ହୋଇପଡେ। ରୁଟି ବେଲୁବେଲୁ କେତେବେଳେ ବେଲେଣା ପେଡିରେ ଲାଗି ଭାଙ୍ଗିଯାଏ ତ କେତେବେଳେ ତାହା କେଉଁ ଦେଶର ମାନଚିତ୍ର ଜାଣିବା ଅସମ୍ଭବ ହୋଇଥାଏ।କେବେ ରୁଟି କଞ୍ଚା ତ କେବେ ପୋଡ଼ି ଯାଉଥାଏ। ରୁଟି ସେକୁ ସେକୁ ଚେଙ୍କା ଲାଗି ଯାଉଥାଏ।

ଯେଉଁ ଦିନ ପ୍ରଥମ କରି ରୁଟି କଲି ପୋଡ଼ା ରୁଟି ଦେଖି ଭାରି ଖୁସି ହୋଇଗଲି। ଯାହାହେଉ ଏତେଦିନେ ପୋଡ଼ା ରୁଟି ଖାଇବାକୁ ମିଳିବ।ଘରେ ଯେତେ ମାଗିଲେ ବୋଉ ସିନା ଦିଏନି ଏଠି ମୋ ଇଚ୍ଛାରେ ଖାଇବି। ରୁଟି ନେଇ ଖାଇ ବସିଲି। ଏହେ !! ଇଏ କ’ଣ ଏମିତି ଲାଗୁଛି !! ବାନ୍ତି ଉଠେଇ ଆସିଲା। ବୋଉ କେମିତି ଖାଏ କେଜାଣି ? ଭାଇ ତାହେଲେ ଠିକ କୁହେ ବୋଉର ଟେଷ୍ଟ ବଡ୍ ଖରାପ ହୋଇଯାଇଛି। ବାପା ଏସବୁ ଶୁଣି ବୋଉକୁ ମୋ ପାଖକୁ ପଠେଇଲେ। ବୋଉ ପନ୍ଦର ଦିନ ରହି ରୋଷେଇ କରିବାକୁ ଲୋକଟିଏ ଠିକ କରି ଆମ ରାନ୍ଧିବା ପ୍ରଣାଳୀ ତାକୁ ଶିଖେଇ ଦେଲା। ମୁଁ ଆଉ ଖାଇବାକୁ ହଇରାଣ ହୋଇନି।

ପାଠପଢା ଶେଷ କରି କଲିକତାରେ ଚାକିରି କଲି। ସେଠି ପ୍ରତି ଗଳିରେ ରୁଟି ଦୋକାନ। କେବଳ ଲମ୍ବା ଲାଇନରେ ଛିଡ଼ାହୋଇ ରୁଟି ଆଣିବାକୁ ପଡେ। ବେଳେ ବେଳେ ଭାବେ ଏତେ ଲମ୍ବା ଲାଇନରେ ଦୁଇଖଣ୍ଡ ରୁଟି ପାଇଁ କାହିଁକି ଛିଡ଼ା ହେବି, ତରକାରୀ ହେଉ ହେଉ ରୁଟି ବନେଇ ଦେବି। କିନ୍ତୁ ରୁଟି ବନେଇବା କଥା ଭାବିଲେ ଛିଡାହେବା କଷ୍ଟ ଉଡନଛୁ ହୋଇଯାଏ।

ସିଦ୍ଧାର୍ଥଙ୍କ ସହିତ ବିବାହ ପରେ ମଧ୍ୟ ଆମେ କଲିକତାରେ ରହିଲୁ। ତଥାପି ରୁଟି କିଣା ପୂର୍ବବତ୍ ଚାଲିଥାଏ। କୁନମୁନ୍ ଆମ ଜୀବନ ପରିଧିକୁ ଆସିବା ପରେ ଆମେ ଗୋଟିଏ ଲୋକ ରଖିଲୁ। ସେ ସକାଳୁ ଆସି କୁନମୁନ୍ କୁ ସମ୍ଭାଳିବା ସହିତ ରୋଷେଇବାସ କରିଦିଏ। ଆମେ ଫେରିଲେ ରାତିରେ ତା ଘରକୁ ଯାଏ। ହଠାତ୍ ତାର ଗାଁରେ ଜମିବାଡି ସଂକ୍ରାନ୍ତୀୟ କିଛି କାମ ପଡ଼ିବାରୁ ସେ ପନ୍ଦର ଦିନ ଛୁଟି ନେଇ ଗାଁକୁ ଗଲା। ଆମେ ରୁଟି କିଣିଆଣି ଘରେ ତରକାରୀପତ୍ର କରି ଖାଇ ଦେଉଥିଲୁ। ତିନି ଦିନ ହେଲାଣି ଝଡିବର୍ଷା ଲାଗି ରହିଥାଏ। ଭାତ ଖାଇ ଖାଇ ବିରକ୍ତ ଲାଗିଲାଣି। ଏ ପାଗରେ ରୁଟି ଖାଇବାକୁ ଇଚ୍ଛା ହେଉଥାଏ। ସିଦ୍ଧାର୍ଥଙ୍କୁ ରୁଟି ଆଣିବାକୁ କହିବାରୁ ସେ କହିଲେ, ଏ ବର୍ଷାପାଣି ପଚପଚରେ ମୁଁ ଯାଇ ରୁଟି ଆଣି ପାରିବିନି। ତୁମେ ଅଟା ଚକୁଳି ବା ବେସନ ଚିଲ୍ଲା ବନେଇ ଦିଅ, ଆଜି ଖାଇଦେବା। ମନେ ମନେ ଭାବିଲି ଯାଉଛି ଆଜି ରୁଟି କରିବି। ସେତେବେଳେ କରି ପାରୁନଥିଲି ବୋଲି କ’ଣ ଏବେ କରି ପାରିବିନି ? ଦିଦି ତ କେତେ ଚଟାପଟ ରୁଟି ବନେଇ ଦିଅନ୍ତି।

ଏହା ଭାବି ଅଟା ଆଣି ଚକଟି ଗୁଳାକରି ରୁଟି ବେଲିବାକୁ ଲାଗିଲି। ରୁଟି ବଙ୍କା ତେଢା ହେଉଥାଏ। ହଁ ମ, ରୁଟି ଗୋଲ ହେବ ବୋଲି କ’ଣ କୋଉଠି ଲେଖା ହୋଇଛି !!ମୁଁ ବିଭିନ୍ନ ଡିଜାଇନର ରୁଟି କରିବି, ଏଥିରେ ଅସୁବିଧା କଣ, ନିଜେ ନିଜକୁ ବୁଝେଇ ରୁଟି ସେକିବା ଆରମ୍ଭ କଲି।କିଏ ଅଳ୍ପ ଫୁଲିଲା ତ କିଏ ତାଉଆରେ ଲାଗି ପୋଡିଗଲା। ଦୁଇ ତିନୋଟି ଅଧିକ ବି କଲି ସବୁ ତଦ୍ରୁପ। ପୁଅ ଆସି ଖାଇବାକୁ ମାଗିଲା। ତର ତର ହୋଇ ସବୁଠାରୁ ଭଲ ରୁଟିଟି ତାକୁ ଦେଲି। ତାପରେ ବାଛିବାଛି ଚାରୋଟି ରୁଟି ସିଦ୍ଧାର୍ଥଙ୍କୁ ଦେଲି।ଆଉ ତ ଭଲ ରୁଟି ନାହିଁ !! ଅଳ୍ପେ ବହୁତେ ସବୁ ପୋଡ଼ା, ମୁଁ କ’ଣ ଖାଇବି ? ବୋଉର ମୁହଁଟା ଆଖିରେ ନାଚିଗଲା ଓ ଲୁହ ଜକେଇ ଆସିଲା। ମୁଁ ସେଇ ରୁଟିରୁ ଦୁଇଟା ନେଇ ଖାଇ ବସିଲି। କିନ୍ତୁ ଆଜି ରୁଟି ମୋତେ ବହୁତ ସ୍ବାଦିଷ୍ଟ ଲାଗୁଥିଲା।

 

Leave A Reply

Your email address will not be published.