ସୁଜାତା ମିଶ୍ର
କିଛି ଅନ୍ୟ ମନସ୍କତାର
ଓଦା ଓଦା ଶିହରଣ..
ଅଳ୍ପ ମିଛି ମିଛିକା ଲାଜର ଟୋପା ଟୋପା
ଆତ୍ମହରା ପଣ..
ନେଇ ଆସୁଛି ନିଃଶବ୍ଦରେ
ଭଲ ପାଇବାର ଋତୁ,
ପଣତ ସାରା ମେଲାଇଛି
ମହ ମହ ଉଚ୍ଛ୍ୱାସ..
ପଲକରେ ଖଞ୍ଜିଚି
ସ୍ବପ୍ନ ବିଭୋର ତାରା ଫୁଲ,
ଫୁଲର ଫୁଲେଇ ପଣକୁ ନେଇ
କୁଞ୍ଚ କରି ପିନ୍ଧିଛି
କୁମ୍ଭ ପକା ଶାଢ଼ୀ..
ତୋଳୁଛି
କୁହୁଡ଼ିରେ ସ୍ଫଟିକର ଘର!
ଏକ ବିଭୋର ପଣରେ
ପାଦ ଆଉ ପଡ଼େ ନାହିଁ
ତଳେ,
ପଲ୍ଲବିତ ଲତା କୁଞ୍ଜେ
ଚୋରା ଚଇତିର ସଂଜେ..
ସମ୍ପର୍କର ନିବିଡ଼ତା
ପହଁରି ଯାଏ..
ମଳୟର ଢେଉ ପରେ!
ନିଛାଟିଆ ଖରା ବେଳ ପରି
ମନ କେବେ ଶୂନ୍ ଶାନ୍..
ନାଁ ଅଜଣା ଆବେଗରେ
ଉଦାସ ଉଦାସ..,
ମନ ତଳେ ନିଆଁ ଜାଳେ
ଜଙ୍ଗଲୀ ରାସ୍ତାରେ
ରକ୍ତିମ ସ୍ୱାକ୍ଷର ନେଇ ଉଭା
ଶିମୂଳୀ.. ପଲାଶ..!
ପେନ୍ଥା ପେନ୍ଥା ପ୍ରତିଶ୍ରୁତିର
ଫଗୁ ବୋଳା
ବିହ୍ବଳ ଫଗୁଣ..
ସ୍ବପ୍ନ ଆଉ ଭରସାର
ଚୂନା ଚୂନା ଶିହରଣ,
ମାଳତୀର ମଧୁରତା ଝଲସି ଯାଏ ..ଭଲ ପାଇବାର
କୁହୁ କୁହୁ ସ୍ୱରେ..,
ମିଳନର ବଂଶୀ ବାଜେ
ଆକୁଳ ବେଦନାରେ ଭିଜି
ଜହ୍ନ ବଗିଚାରେ!
ପ୍ରେମର ଋତୁ ଆସେ..
ସାଉଁଟି ନିଏ ଏହି
ପୁଲକିତ ମୁହୂର୍ତ୍ତର
ଅନ୍ତରଙ୍ଗ ଆଭାସ..,
ଆମ୍ବ କଷିର ବାସ୍ନାରେ
ମଳୟ ବିଭୋର ହୁଏ..
ମହକି ଯାଏ
ମିଳନ ପିଆସୀ ଦୁଇ
ପ୍ରାଣର ବିଶ୍ୱାସ..!
ହୃଦୟ ନିଗାଡ଼ି ସବୁ ଦେଲା ପରେ ବି ଆଉ କିଛି
ଅଜାଡ଼ି ଦେବାର ଭାବ,
ସବୁ ମୁଠେଇ ତୋଳି ନେଲା ପରେ ବି
ଇଚ୍ଛା ଥାଏ ପାଇବାକୁ
ବିନ୍ଦୁଏ ଆବେଗ..,
ଚହଲି ଯାଏ ଛାତିରେ ପ୍ରେମିକାର ଅଭିମାନ,
ପ୍ରେମିକର ମିଠା ଅନୁରାଗ..!
ଚହଟି ଯାଏ ଦ୍ଵାଦଶୀ ତିଥିର ଜହ୍ନ,ତାରା,
ଫୁଲ ଓ ଫଗୁଣ
ଆଉ ଟୋପାଏ ଭଲ ପାଇବାର
ସମୁଦ୍ରେ ନିଃଶ୍ୱାସ,
ସବୁ କିଛି ହରାଇ
ସବୁ କିଛି ପାଇବାର କ୍ଷଣ ଏ ଯେ..ଝଡ଼ରେ ଆରମ୍ଭ
ଆଉ ପ୍ରଳୟରେ ଶେଷ!
Comments are closed.