Latest Odisha News

ଅନୁବାଦ କବିତା : ସାମନା ସାମନି

ଚେଜଲୋ ମିଲସ ( ୧୯୧୧ -୨୦୦୪ ) ତତ୍କାଳୀନ ସୋଭିଏତ ୟୁନିୟନର ଲିଥୁଆନିୟାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପରିବାର କିନ୍ତୁ ପୋଲାଣ୍ଡର । ବିଶ୍ୱ ବିଦ୍ୟାଳୟ ଶିକ୍ଷା ପରେ ସେ ପୋଲାଣ୍ଡର କୂଟନୀତିଜ୍ଞ ଭାବେ ଦୁଇ ବିଶ୍ଵଯୁଦ୍ଧ ମଧ୍ୟରେ ଆମେରିକା ଓ ଫ୍ରାନ୍ସରେ କାମ କରିଥିଲେ। ମାତ୍ର ୧୯୫୧ ସେ ଫ୍ରାନ୍ସରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଥିଲେ। ୧୯୭୦ ରେ ସେ ଆମେରିକା ଯାଇ ବାର୍କଲେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ସେ କାର୍ଯ୍ୟ କରିଥିଲେ ଏବଂ କ୍ରମେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ। ଏଣୁ ଏହି କବି, ସମାଲୋଚକ, ଅନୁବାଦକ ଯେତେବେଳେ ନୋବେଲ ପୁରସ୍କାର ପାଇଲେ , ପୁରସ୍କାର ତାଲିକାରେ ସେ ଆମେରିକାର ବୋଲି ଦର୍ଶାଯାଇଛି। ତାଙ୍କର ଅନେକ କବିତାରେ ତତ୍କାଳୀନ ସୋଭିଏତ ୟୁନିୟନ ଓ ପୂର୍ବ ୟୁରୋପୀୟ ଦେଶ ମାନଙ୍କରେ ଥିବା କମ୍ୟୁନିଷ୍ଟ ସରକାରଙ୍କ ବିରୁଦ୍ଧରେ ରୋଷ, କ୍ଷୋଭ ଓ ବିଦ୍ରୋର ଚିହ୍ନ ସ୍ପଷ୍ଟ ଜଣାପଡ଼େ।

ମୂଳ ରଚନା : ଚେଜଲୋ ମିଲସ 

ବଡ଼ି ଭୋରରୁ ଆମେ ଏକ ଗାଡ଼ିରେ
ବରଫ ଭରା ପଡ଼ିଆ ଭିତର ଦେଇ ପଳାଇ ଯାଉଥିଲୁ।
ଛାଇ ଅନ୍ଧାର ଦେଇ ଏକ ନାଲି ଡେଣା
ପ୍ରକଟ ହେଲା।

ହଠାତ ଠେକୁଆଟିଏ
ରାସ୍ତା ଉପର ଦେଇ ଦୌଡ଼ି ଗଲା
ଆମ ଭିତରୁ ଜଣେ ତା’ ଆଡ଼କୁ।ଆଙ୍ଗୁଳି ବଢ଼ାଇ ଆମକୁ ଦେଖାଉଥିଲା।

କଥାଟି ଅନେକ ଦିନ ତଳର
ଏବେ ସେମାନେ କେହିବି ବଞ୍ଚି ନାହାନ୍ତି
ନା ଅଛି ସେ ଠେକୁଆ
ଅବା ସେଇ ହାତ ବଢ଼େଇଥିବା ବ୍ୟକ୍ତି !

ହେ ମୋର ପ୍ରେମାସ୍ପଦ , କେଉଁଠି ସେମାନେ ?
କୁଆଡ଼େ ଗଲେ ?
ହାତର ଝଲକ , ଗତିର ରେଖା ଚିହ୍ନ
କଙ୍କରର ଖସ, ଖସ ସ୍ଵନ ?

ମୁଁ ପଚାରୁଛି, ଦୁଃଖରେ ନୁହେଁ
ଯନ୍ତ୍ରଣାରେ ନୁହେଁ , ଆଶ୍ଚର୍ଯ୍ୟ ହୋଇ !

ଅନୁବାଦ : ମନୋରଞ୍ଜନ ହୋତା 

Comments are closed.