ଅନୁବାଦ କବିତା : ଚିଲ
ସୁକାନ୍ତ ଭଟ୍ଟାଚାର୍ଯ୍ୟ ବଙ୍ଗଳା ସାହିତ୍ୟରେ ଏକ ଲୋକପ୍ରିୟ ଏବଂ ସ୍ମରଣୀୟ ନାଁ। କିଶୋର ବୟସରୁ କବି ଭାବରେ ପଦାର୍ପଣ ମାତ୍ରେ ସେ ଏକ ବିରଳ ଓ ଆଶ୍ଚର୍ଯ୍ୟ ପ୍ରତିଭା ରୂପେ ସ୍ୱୀକୃତି ପାଇଥିଲେ । ଚଉଦ ବର୍ଷରେ ସେ ଲେଖିଥିବା କବିତାମାନ ସୁଭାଷ ମୁଖୋପାଧ୍ୟାୟ ଏବଂ ବୁଦ୍ଧଦେବ ବସୁଙ୍କ ପରି କବିମାନଙ୍କୁ ଚକିତ କରିଥିଲା। ମାତ୍ର ଏହି ପ୍ରଚଣ୍ଡ ପ୍ରତିଭାବାନ କବି ବିକଶିତ ହେବା ପୂର୍ବରୁ ମାତ୍ର ଏକୋଇଶ ବର୍ଷ ବୟସରେ ଅକାଳ ମୃତ୍ୟୁ ବରଣ କରିଥିଲେ ।
ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ
ରାସ୍ତାରେ ଯାଉ ଯାଉ ହଠାତ ଦେଖିଲି
ଫୁଟପାଥରେ ଏକ ମରି ପଡ଼ିଥିବା ଚିଲ।
ଚମକି ପଡ଼ିଲି ତାର କରୁଣ ଓ ବିଭତ୍ସ ଚେହେରା ଦେଖି
ଅନେକ ଉଚ୍ଚରୁ ସେ ଏଇ ଧରାକୁ ଦେଖିଛି
ଲୁଣ୍ଠନର ଏକ ଅବାଧ୍ୟ ଉପନିବେଶ ରୂପେ,
ତା’ର ଲୋଲୁପ ଦୃଷ୍ଟିରେ ଥିଲା
ପ୍ରବଳ ଲୋଭ, ଭୀଷଣ ବେଗରେ ତଳକୁ ଝାମ୍ପମାରି
ନିଜର ଖାଦ୍ୟ ପାଇଁ ଲୁଟିବାକୁ ଅନ୍ୟର ଜୀବନ।
ଆଜିସିଏ ମୁହଁ ଗୁଞ୍ଜି ପଡ଼ିଛି
ଫୁଟପାଥ ଉପରେ।
ଦିନେ ତା’ର ବସାଥିଲା ଗମ୍ଭୁଜ ଶିଖରେ
ଜାହିର କରୁଥିଲା ନିଜର ଉପସ୍ଥିତି
ତୀକ୍ଷ୍ଣ ଚିତ୍କାରରେ,
ଡେଣା ମେଲି ଦେଉଥିଲା ନୀଳ ଆକାଶର
ହାଲୁକା ପବନରେ
ଅନ୍ୟ ପକ୍ଷୀଙ୍କୁ ପଛରେ ପକାଇ ଦେଇ
ଉଡୁଥିଲା ଅନେକ ଉପରେ, ବହୁତ ଉଚ୍ଚରେ
ପ୍ରାୟ ସେ ଏକାକୀ।
ଆଜି ଅନେକ ଖୁବ୍ ନିରାପଦରେ
ନିରାପଦ ମୂଷା ଛୁଆମାନେ
ଆଉ ଖାଦ୍ୟନେଇ ଯାଉଥିବା ତ୍ରସ୍ତ ପଥଚାରୀ
ନିରାପଦ
କାରଣ
ଚିଲ ଆଜି ମୃତ।
କେହି ଆଉ ଛାପ ମାରିବେନି
ଆକାଶରୁ ପ୍ରଚଣ୍ଡ ଗତିରେ
ତା’ନିଜ ମୁହଁରୁ ଖସି ପଡ଼ୁଥିବା ଅଇଁଠା ପରି
ସେ ଆଜି ଫୁଟପାଥରେ
ଶୁଷ୍କ ଶୀତଳ ଓ ବିକୃତ ଶରୀରରେ।
ଯେଉଁମାନେ ବଞ୍ଚିବା ପାଇଁ ଦରକାରୀ ଖାଦ୍ୟକୁ ସଯତ୍ନରେ ଛାତି ପାଖରେ ଜାକିଧରି
ବାଟ ଚାଲୁଥିଲେ
ଆଜି ସେମାନେ ନିର୍ଭୟରେ ଆଗେଇ ଚାଲିଛନ୍ତି,
ଏକ ନିଷ୍ଠୁର ପରିହାସ ପରି
ଆକାଶରୁ ଖସି ପଡ଼ିଥିବା
ଏଇ ଅହଙ୍କାରୀ ମୃତ ଚିଲକୁ
ପଛରେ ପକାଇ ଦେଇ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.