Latest Odisha News

ଅନୁବାଦ କବିତା : ମୃତ ପୃଥିବୀ

ସୁକାନ୍ତ ଭଟ୍ଟାଚାର୍ଯ୍ୟ ବଙ୍ଗଳା ସାହିତ୍ୟରେ ଏକ ଲୋକପ୍ରିୟ ଏବଂ ସ୍ମରଣୀୟ ନାଁ। କିଶୋର ବୟସରୁ କବି ଭାବରେ ପଦାର୍ପଣ ମାତ୍ରେ ସେ ଏକ ବିରଳ ଓ ଆଶ୍ଚର୍ଯ୍ୟ ପ୍ରତିଭା ରୂପେ ସ୍ୱୀକୃତି ପାଇଥିଲେ । ଚଉଦ ବର୍ଷରେ ସେ ଲେଖିଥିବା କବିତାମାନ ସୁଭାଷ ମୁଖୋପାଧ୍ୟାୟ ଏବଂ ବୁଦ୍ଧଦେବ ବସୁଙ୍କ ପରି କବିମାନଙ୍କୁ ଚକିତ କରିଥିଲା। ମାତ୍ର ଏହି ପ୍ରଚଣ୍ଡ ପ୍ରତିଭାବାନ କବି ବିକଶିତ ହେବା ପୂର୍ବରୁ ମାତ୍ର ଏକୋଇଶ ବର୍ଷ ବୟସରେ ଅକାଳ ମୃତ୍ୟୁ ବରଣ କରିଥିଲେ ।

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ 

ପରିଶେଷେ ଆଜି ନିଃସ୍ଵ ଏଇ ଧରା
କ୍ଷୁଧାତୁର କାନ୍ଦେ ବିଶ୍ୱ ସାରା
ଚାରି ଦିଗେ ଝରିପଡ଼େ ରକ୍ତ
ଜୀବନ ତ ଆଜି ସତରେ ଉତ୍ୟକ୍ତ।

ନୁହେଁ ଆଜି ସମୟ କାବ୍ୟର।ପରିଣାମ ବା ସମ୍ଭାବନାର
ପ୍ରତିଦିନ କଟୁଛି ଭୟରେ
ଧୂର୍ତ୍ତ ଆଉ ଲୁଚାଛପା
ଏଇ ବଞ୍ଚିବାର।

ସେଥିପାଇଁ ଏ ଜୀବନ ଆଜି ରିକ୍ତ
ଅଳସ ହୃଦୟ ପୁରା ସ୍ବେଦସିକ୍ତ
ଗଢ଼ି ଉଠେ ଆଜି ଖାଲି ଖଣ୍ଡିତ ପାଚେରୀ
ବଢ଼ିଚାଲେ କ୍ଷତ ଚିହ୍ନ ଏ ପୃଥିବୀ ଭରି
ଅଗୋଚରେ ମାଡ଼ି ଆସେ ତୁହିନ କାକର
କେଉଁ ପଥେ ପଳାଇବ ଏ ଧରା ଅସୁର ?

ଜୀବନ ଯଦିଚ ଉତକ୍ଷିପ୍ତ
ହୃଦୟ ତେବେ ବି ଉଦ୍ଦୀପ୍ତ
ହୁଏତ କେଉଁ ଆଗାମୀ ବନ୍ୟାର ସୁଅ
ଧୋଇନେବ ସବୁ ଭୋକ, ଶୋଷ
ସମସ୍ତ ଅନ୍ୟାୟ ।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.