କାମଦେବ ମହାରଣା 
(ଏକ)
ନଈ ଏପାଖର ଦୁଃଖ ଡାକରେ ସେପାଖ ଓଠରେ ଓ..
ଏପାଖ ତୁଣ୍ଡରେ ଓଁକାର ନାଚେ ସେ ପାଖରେ ଘୋଘୋ
ଏପାଖ ଆଖିରେ ଲୁହ ଜୁଆରେ ଲୋ ସେପାଖ ଛାତିରେ ବଢ଼ି
ବେନିପାଖେ ବାଜେ ବିରହ ବଂଶୀ ବେନି ଦେହ ଭିଡ଼ିମୋଡ଼ି।
ନୀଳ ଗହଳ ଏ ନହକା ଦେହରେ କଅଁଳ କାମନା ନିଆଁ
ଉଗ୍ର ଆତୁର ବୃଷ ପୁରୁଷର ଫେନିଳ ବକ୍ଷେ ଚିଆଁ
ହଜାର ହାତର ବୃତ ବନ୍ଧନେ ଦୁଇ ଦେହ ହୁଏ ଏକ
ଆକାଶରୁ ଝରେ ଜହ୍ନ ଓଠର ଶୁଭ୍ର ସହସ୍ର ଭୋକ।
କୁଆଁରୀ କୋହରେ କଇଁକଇଁ କାନ୍ଦେ କାର୍ତ୍ତିକ କୁମୁଦ ରାତି
ଦେହ ମାପୁଥାଏ ଦେହରୁ ଦହନ ଦାହ ମାପୁଥାଏ ତାତି
ଜଣେ ଜିଣେ ଜରା ଜଣେ ଜୁଆରିଆ ଯୁଡ଼ାରେ ଗୁଡ଼ାଏ ମୋତି
ଜଣେ ଜାଣେ ପ୍ରେମ ପ୍ରାପ୍ତିରେ ନାହିଁ ଦେବା ହିଁ ଅମର ପ୍ରୀତି।
ସବୁ ଦେଖୁଥାଏ କେଳୁଣୀ ମୁହାଣ ଝରିଝରି ଯାଏ ରାତି । ।
ଜଣେ ବସିଥାଏ ମୂର୍ତ୍ତୀ ମଉନେ ଜାଳି ନିଜ ଛାତିବତୀ । ।
( ଦୁଇ)
କହ ସାଧବାଣୀ ଆକାଶ ସତ କି ସତ ଆକାଶର ଆତ
କହ ସାଧବାଣୀ ନାରଖାର ନଈ ନଉକାର କିଏ ମିତ?
କହ ସାଧବାଣୀ ପ୍ରେମ କେଉଁ ରଙ୍ଗ ସବୁଜ, କଳା କି ଧଳା
କହ ସାଧବାଣୀ ପ୍ରେମରେ ପ୍ରେମରେ ମଣିଷ କେମିତି ମଲା।
କହ ସାଧବାଣୀ ମଣିଷ ମନରେ ଛଳନା ରୋପିଲା କିଏ
କହି ସାଧବାଣୀ ଛନକା ଛାତିରେ ଘୃଣା ବୁଣିଦେଲା କିଏ
କହି ସାଧବାଣୀ ଶୀର୍ଷ ଛୁଇଁଲେ ତଳ ଦିଶେ କିଆଁ କଳା
କହ ସାଧବାଣୀ ଭସା ବାଦଲକୁ ମାଟି ଲାଗେ କିଆଁ କଳା !
କହ ସାଧବାଣୀ କିଏ କିଣିପାରେ ଆକାଶର ତାରାଫୁଲ
କହ ସାଧବାଣୀ କିଏ ଦେଇପାରେ ଗହିର ମାଟିର ମୂଲ
କହ ସାଧବାଣୀ କାହା ଅଗଣାରେ ହସେ ମଞ୍ଜୁଆତି ବୁଦା
କହ ସାଧବାଣୀ କାହିଁକି ଆକାଶ ଗହୀରକୁ କରେ ଓଦା।
କାର୍ତ୍ତିକ ପୁନେଇ ରାତି ସାଧବାଣୀ ମୁଁ ଗଣୁଛି ବାଲି ବସି।।
କେଳୁଣୀ ମୁହାଣେ ସରୁ ପାଦ ଦିନେ ଧୀରେ ଯାଇଥିଲା ଖସି।।
(ତିନି)
ବିରହ ବୋଇଲେ ନିଆଁ ଜାଇଫୁଲ ବିରହର ଭାଷା କୋହ
ବିରହୀ ଛାତି ତ ମଶାଣୀ ବେଦୀ ହେ ଆଖିରେ ଆଉଟା ଲୁହ
ବିରହ ଦେଶରେ ହସ ମହରଗ ମନ୍ଦିରରେ ଦିଅଁ ମୁକ
ସାତ ଋତୁ ସେଠି ଏକୋଇ ଋତୁ ହେ ବାରମାସ ଗୀତ ଶୋକ।
ଫଟା ଗହିର ରେ ଖରା ଲେଖୁଥାଏ ମରୁ ମରଣର ଗୀତ
ବାଦି ବଉଦକୁ ସମ୍ପିସମ୍ପି ଯାଏ ପାଟରେ ପହଁରା ବାତ
ପୋଡ଼ା ପୁରେ ଯୋଡ଼ି ଭାଙ୍ଗୁଥିବା ହେ କଣ୍ଢେଇ ରାଣୀ ଶୁଣ
ସ୍ମୃତି ଜଳା ରାତି ବିରହର ଦେଶେ ଗୁଣେ ଲାଗେ ସାତ ଗୁଣ।
ବିରହ ଆସଇ ସରିଯାଏ ଯେବେ ମାଟି ପାଇଁ ଗଛ ମୋହ
ବିରହ ହସଇ ମରିଆସେ ଯେବେ ଲୁହ ପାଇଁ ନିଜ ଲୁହ
ବିରହ ଘାରଇ ହାତ ଛାଡ଼ିଦେଲେ ଆପଣାର ଜଣେ କେହି
ବିରହ ମାରଇ ଛାଇପରି ଜଣେ ଯାଏ ଯଦି ଦଗାଦେଇ।
ବିରହ ମୋ ପାଇଁ ପୁଣ୍ୟ ପୂର୍ଣ୍ଣତା ବିରହୀ ମୋ ଭଲ ନାଆଁ।।
କେଳୁଣୀ ମୁହାଣ ଆସ୍ଥାନ ମୋର ଗହନ ମନର ଗାଆଁ।।
ଯାନ୍ତ୍ରିକ ବିଭାଗ
ପୂର୍ବତଟ ରେଳପଥ,ପୁରୀ – ୨
୯୬୫୮୦୨୬୬୧୨
Comments are closed.