Latest Odisha News

ଗଳ୍ପ : କାଳିଆ ଭରସା

ଆୟୁଷ ବଢ଼ାଇ

ନିକିତାର ଆଖିରେ ନିଦ ନାହିଁ । ଜେଜେମାର କଥା ମନେ ମନେ ଭାବୁଥାଏ ଯେ ଠାକୁରଙ୍କର ବିନା ଅନୁମତିରେ ପତ୍ରଟିଏ ମଧ୍ୟ ହଳେ ନାହିଁ । ତେବେ ପୁଣି ବଡଠାକୁରଙ୍କର ଡାକରା ନ ଥିଲେ କିଏ କଣ ଶ୍ରୀକ୍ଷେତ୍ରକୁ ଯାଇପାରିବ। ସବୁ ସେହି ଜଗା କାଳିଆ ଡୋରୀରେ ବନ୍ଧା। ସ୍ବାମୀ ଆରପାରିକୁ ଚାଲିଯିବା ପରେ ନିକିତା ହିଁ ଜାଣେ କିପରି ସେ ତା ଝିଅକୁ ମଣିଷ କରିପାରିଛି।

ସ୍ବାମୀର ହାତଛଡା ହେବା ପରେ ସବୁ ସେହି ଜଗା କାଳିଆ ହାତରେ। ଏବେ ଦିନ ରାତି ତାରି ଭକ୍ତିରେ ଲିପ୍ତ ନାହିଁ। ସୁଖ ଦୁଃଖ ତାରି ଆଗରେ ଜଣାଏ।

ଦେଖୁ ଦେଖୁ ଝିଅ ବି ବିବାହ ପାଇଁ ଯୋଗ୍ୟ । ଜଗାର ଆଶିର୍ବାଦରେ ଏକ ଭଲ ପରିବାରରେ ତାର ବିବାହ ହେବା ପାଇଁ ମଧ୍ୟ ସବୁ ଦେଖାରେଖା ସରିଯାଇଥିଲା । ଝିଅକୁ ଟିକେ ଦି ଅକ୍ଷର ପଢ଼ାଇ, ଜୀବନର ସବୁ ମୂଲ୍ୟବୋଧ ଶିକ୍ଷା ଦେଇ ପାରିଲା ବଳି ଆଜି ଏକ ଭଲ ପରିବାରରେ ତାର ବିବାହ ଠିକ୍ ହେଇ ପାରିଲା। ପୁରା ରୀତିନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ନେଇ ବିବାହ କାର୍ଯ ସରିଲା । ନିକିତା ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲା।

ଝିଅର ବିବାହ ଆଗରୁ ଠାକୁର ଆଗରେ ଏକ ଇଚ୍ଛା ପ୍ରକଟ କରିଥିଲା ଯେ ଝିଅର ବିବାହ ବିନା ବାଧାରେ ସମ୍ପୂର୍ଣ୍ଣ ହେଲେ ଥରେ ଶ୍ରୀକ୍ଷେତ୍ର ଯାଇ ମୁଣ୍ଡିଆ ମାରି ଆସିଥାନ୍ତି । ହେଲେ ଏକୁଟିଆ ନାରୀର ଦୁଃଖ କହିଲେ ନ ସରେ ତାହା ପୁଣି ଅର୍ଥ ଅଭାବ ହେଉ ଅଥବା ଆଉ କିଛି ଅସୁବିଧା। ଯେତେ ପୁଞ୍ଜି ହାତରେ ଥିଲା ସବୁତକ ଝିଅର ବିବାହରେ ଖର୍ଚ୍ଚ ହେଇଗଲା, ଜ୍ୱାଇଁପୁଅକୁ ମଧ୍ୟ କୋଉ ମୁଁହରେ ମାଗିବ ତେଣୁ ଇଚ୍ଛାକୁ ଜଳାଞ୍ଜଳି ଦେଇ ନିକିତା ମନେ ମନେ ଭାବୁଥାଏ। କିନ୍ତୁ କାଳିଆ ଠାକୁରକୁ କଣ ବା ଅଜଣା…. ସେ ଯଦି ଚାହେଁ ରାଜାକୁ ରଙ୍କ ଏବଂ ରଙ୍କକୁ ରାଜା କରିଦେବ, ବିଛଣା ଟେ ନ ପାଇ ପାରୁଥିବା ଲୋକକୁ ରତ୍ନପଲଙ୍କ ଏବଂ ଖାଇବାକୁ ଗଣ୍ଡେ ନ ପାଉଥିବା ବ୍ୟକ୍ତିକୁ ଛପନଭୋଗ ଦେଇ ପାରିବ।

ତାର ସ୍ବାମୀ ଯେଉଁ କାରଖାନା ରେ କାମ କରୁଥିଲା, ଯେତେ ପୁଞ୍ଜି ରୋଜଗାର କରୁଥିଲା କିଛି କିଛି ସଞ୍ଚୟ କରୁଥିଲା, ପ୍ରାୟ ପାଞ୍ଚ ବର୍ଷ ପରେ ଆଜି ବ୍ୟାଙ୍କ୍ କର୍ମଚାରୀ ଆସି ଦଶ ହଜାର ଟଙ୍କାର ଚେକଟିଏ ଦେଲେ। ନିକିତାର ଖୁସି କହିଲେ ନ ସରେ ଯେ କାଳିଆ ଠାକୁରକୁ କଣ ବା ଅଜଣା । ନିକିତା ଆଉ ପୁରୀ ଦର୍ଶନ ସୁଯୋଗ ହାତଛଡ଼ା କରିବାକୁ ଚାହଁନାହିଁ। ଝିଅ ଜ୍ୱାଇଁଙ୍କୁ ମଧ୍ୟ ସାଙ୍ଗରେ ନେଇ ପୁରୀ ଧାମକୁ ଯିବା ପାଇଁ ସ୍ଥିର ହେଲା।

ଭୋର୍ ସକାଳୁ ଝିଅ ଜ୍ୱାଇଁଙ୍କ ସହିତ ନିକିତା ସମ୍ବଲପୁର ରେଳଷ୍ଟେସନରୁ ବସି ଜଗନ୍ନାଥଧାମ ଯାତ୍ରା ଆରମ୍ଭ କଲେ, ମନରେ ଆନନ୍ଦର ସୀମା ନାହିଁ, ମନେ ମନେ ଜଗନ୍ନାଥ ଠାକୁରକୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇ ସବୁ ତୋରି ମାୟା କହି ତାର ଭକ୍ତିରେ ଲିନ ହୋଇ ପୁରୀଧାମ ଯାତ୍ରା ଆଗେଇ ଚାଲିଲା। ପ୍ରାୟ ସାତ ଆଠ ଘଣ୍ଟାର ଯାତ୍ରା ପରେ ସାକ୍ଷାତ ଜଗନ୍ନାଥଙ୍କ ଦର୍ଶନ ମିଳିଲା ।

ପୁରୀ ପହଞ୍ଚିବା ମାତ୍ରେ ହିଁ ନିକିତା ଭୋ ଭୋ କାନ୍ଦି ପକେଇଲା ଜଗନ୍ନାଥଙ୍କ ପାଦ ତଳେ । ଠାକୁର ତୋରି ମାୟା ସବୁଠାରୁ ଅଲଗା, ତୋରି ଭାବ ବନ୍ଧନରେ ବାନ୍ଧି ହେଲେ ଏହି ମିଛ ମାୟା ସଂସାର ତ୍ୟାଗ କରି ସ୍ବର୍ଗ ପ୍ରାପ୍ତି ହୁଏ। ତୋରି ମାୟା ସବୁଠାରୁ ଭିନ୍ନ। କୌଣସି ଲୋକର ଦୁଃଖ ତୋ ଆଖିରୁ ଛପିଯାଏ ନାହିଁ।

ବାଣିଜ୍ୟ ବିଭାଗ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ,
ସମ୍ୱଲପୁର
ମେଲ୍ _ ayushbadhai191@gmail.com

Leave A Reply

Your email address will not be published.