Latest Odisha News

ଗଳ୍ପ :  ଚିଠି

ସସ୍ମିତା ମହାନ୍ତି 

ଶୀତଦିନର ଗୋଟିଏ ଅଳସ ଅପରାହ୍ନ।ଖାଇସାରି ଗଡପଡ ହେଉ ହେଉ ଅଭ୍ୟାସବଶତଃ ଖବରକାଗଜ ଉପରେ ଆଖି ପକଉଥାଏ ମୁଁ।ଏହି ସମୟରେ ବାହାରେ ଚିଠି ଚିଠି ଡାକ ଶୁଭିବା ସହିତ କଲିଂବେଲ୍ ଟି ବାଜି ଉଠିଲା।ଚିଠି ଶବ୍ଦଟି ମୋ କାନକୁ ଲଙ୍କାରେ ହରିନାମ ପରି ଶୁଣାଗଲା।ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଚିଠିର ଅସ୍ତିତ୍ବ ପ୍ରାୟ ଲୋପ ପାଇଗଲାଣି କହିଲେ ଚଳେ।ସମସ୍ତେ ଏବେ ବ୍ଯସ୍ତ।କାହାର ବା ଏତେ ସମୟ ଅଛି ଚିଠି ଲେଖିବାକୁ ନା ଧୈର୍ଯ୍ଯ ଅଛି ଚିଠି ପଢିବାକୁ।ଆଜିକାଲି ଚିଠି କହିଲେ ବ୍ଯାଙ୍କ ବା ଏଲଆଇସି ଆଦିରୁ ଅସୁଥିବା କିଛି ସରକାରୀ ଚିଠି କିମ୍ବା ବିଏସଏନଲ୍ ର ଟେଲିଫୋନ୍ ବିଲ୍କୁ ବୁଝାଏ।ଏତିକି ବେଳକୁ ଇଏ ସେ ଘରକୁ ପଶି ଆସି କହିଲେ, “କଣ ଏତେ ଭାବୁଛ ? ତୁମର ପରା ଚିଠି ଆସିଛି, ନିଅ।ହଠାତ୍ ଆକାଶରୁ ଯେମିତି ଖସିପଡିଲି ମୁଁ।ମୋର ଚିଠି ଆସିଛି !କିଏ ମତେ ଚିଠି ଲେଖିଛି ଫୋନ୍ ଟିଏ ନକରି !

ଚିଠିଟି ଖୋଲି ଅଧିକ ଆଶ୍ଚର୍ଯ୍ୟ ହେଲି ମୁଁ।ମୋ ବଡ ନାତୁଣୀ ସ୍ନେହା ସୁଦୂର ବେଙ୍ଗାଲୁରୁରୁ ଏ ଚିଠିଟି ମୋ ପାଖକୁ ପଠେଇଛି।ଏଥର ସବୁ ଘଟଣା ମୋର ମନେପଡିଗଲା।ସ୍ନେହା ମୋ ବଡଝିଅର ଝିଅ।ଇଞ୍ଜିନିୟରିଂ ପାସ୍ କରି ବେଙ୍ଗାଲୁରୁରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତା।ଏଥର ପୂଜାରେ ଆମପାଖକୁ ଚାରିଦିନ ପାଇଁ ଆସିଥିଲା।ଦିନେ ମୁଁ ଆଲମାରୀରୁ ଶାଢୀ ବାହାର କରୁକରୁ ତାର ନଜର ପଡିଥିଲା କାରୁକାର୍ଯ୍ୟଭରା ଛୋଟ କାଠବାକ୍ସଟି ଉପରେ।ତା କୌତୁହଳ ଲକ୍ଷ୍ଯକରି ମୁଁ ବାକ୍ସ ଖୋଲି ତା ଭିତରେ ଥିବା ଚିଠି ସବୁ ତାକୁ ଦେଖେଇଲି।କୋଉ କାଳର ପୁରୁଣା ଚିଠି ସବୁ ମୁଁ ସାଇତି ରଖିଥିଲି।

ମୋ ଜେଜେମା, ଶାଶୁ,ଶ୍ବଶୁର,ବାପା,ବୋଉ,ଭାଇ,ଭଉଣୀ,ସାଙ୍ଗସାଥୀ ଓ ସର୍ବୋପରି ତା ଅଜାଙ୍କର କେତେଖଣ୍ଡ ଚିଠି ଥିଲା ତା ଭିତରେ।ଅବସର ସମୟରେ ମୁଁ ଚିଠି ଗୁଡିକ ପଢି ପୁରୁଣା କଥାସବୁ ମନେପକାଏ।ସେମାନଙ୍କ ମଧ୍ୟରୁ କେତେଜଣ କେବେଠାରୁ ମରିହଜି ଗଲେଣି ଅନ୍ୟ କେତେକ ମୋ ପାଖରୁ କାହିଁ କେତେ ଦୂରରେ ଅଛନ୍ତି।ହେଲେ ଚିଠି ପଢିବାବେଳେ ସେମାନେ ସମସ୍ତେ ମୋ ପାଖରେ ଥିଲା ପରି ଅନୁଭବ କରେ।

ସ୍ନେହା ଭାବିଥିଲା ମୁଁ ବାକ୍ସ ଭିତରେ କିଛି ମୂଲ୍ୟବାନ ପଦାର୍ଥ ଲୁଚେଇ ରଖିଛି।ଆଜିକାଲିକା ପିଲା, ଚିଠିର ମହତ୍ତ୍ଵ ସେ ବା କାହୁଁ ବୁଝିବ ?ସେଇ ଚିଠି ଗୁଡିକର ମୂଲ୍ଯ ମୋ ପାଇଁ ଯେ କେତେ ଅଧିକ ତାହା ବୁଝେଇବା ପାଇଁ କହିଲି ଆଲୋ ତମେ ସବୁ ଏବେକାର କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଯୁଗର ଛୁଆ ନିମିଷକେ ସବୁକାମ କରିପାରୁଛ।କିନ୍ତୁ ଆଗକାଳରେଏଇ ଚିଠି ହିଁ ସମ୍ପର୍କ ରକ୍ଷା କରିବାର ଏକମାତ୍ର ମାଧ୍ୟମ ଥିଲା।ସେତେବେଳେ ମୋବାଇଲ୍ ଫୋନ୍ ତ ଦୂରର କଥା ଟେଲିଫୋନଟିଏ ବି ସାତସପନ ଥିଲା।ଝିଅମାନଙ୍କୁ ଚିଠିଲେଖା ଆସିଲେ ଶିକ୍ଷିତା ବୋଲି ଗଣା ଯାଉଥିଲା।ରାମାୟଣ ଓ ମହାଭାରତ ପଢା ଶିଖେଇବା ସଙ୍ଗେ ସଙ୍ଗେ ଚିଠି ଲେଖା ଶିଖଉଥିଲେ ମାଆ ଓ ଭାଉଜମାନେ।କାରଣ ଝିଅଟିଏ ଶାଶୁ ଘରକୁ ଗଲେ ଚିଠି ଖଣ୍ଡେ ଲେଖି ଅନ୍ତତଃ ତା ଭଲମନ୍ଦ ଖବର ଜଣେଇ ପାରିବ। ଝିଅଟିଏ ବାହା ହୋଇଗଲେ ତା ବାକ୍ସରେ ଶାଢୀ, ଗହଣା, ସ୍ନୋ,ପାଉଡର ସହିତ ଚିଠି ଲେଖିବା ପାଇଁ ପୋଷ୍ଟ କାର୍ଡ,ଇନଲାଣ୍ଡ ଲେଟର ଓ ଲଫାପା ଦିଆଯାଉଥିଲା।ଯିଏ ଲେଖାପଢା ଜାଣିନଥିଲା ସେ ଘରର ପଢାଶୁଣା ଜାଣିଥିବା ପିଲାମାନଙ୍କୁ ବହଲେଇ ଫୁସୁଲେଇ ତାଙ୍କ ଦ୍ବାରା ଚିଠି ଲେଖଉଥିଲା।ସେମିତି ଚିଠିଖଣ୍ଡେ ଆସିଲେ ସେ ପଢିବାକୁ ନାକେଦମ ହେଇଯାଉଥିଲା।ସେତେବେଳେ ସମସ୍ତେ ଡାକପିଅନମାନଙ୍କୁ ବହୁତ ସମ୍ମାନ ଦେଉଥିଲେ।ଚାତକ ପରି ତା ବାଟକୁ ଅନେଇ ବସୁଥିଲେ।ବେଳେ ବେଳେ ଏହି ଡାକପିଅନମାନେ ହିଁ ଚିଠି ଲେଖିବା ଓ ପଢିବା କାମ କରିଦେଉଥିଲେ।କେବେ କେବେ ଚିଠିପତ୍ର ଆସିବାରେ ବିଳମ୍ବ ହେତୁ କିଛି ଦରକାରୀ ସମ୍ବାଦ ପହଞ୍ଚିବାରେ ଅନେକ ବିଳମ୍ବ ହେଇଯାଉଥିଲା।ତେଣୁ ଟେଲିଗ୍ରାମ୍ ଦ୍ବାରା ଜରୁରୀ ଖବର ଲୋକମାନେ ଜଣାଉଥିଲେ।ସମ୍ପ୍ରତି ଟେଲିଗ୍ରାମ୍ ସେବା ବନ୍ଦ ହୋଇଗଲାଣି।ଆସ୍ତେ ଆସ୍ତେ ଟେଲିଫୋନ୍ ଆସିଲା।ନୂଆ ନୂଆ ରେଳଷ୍ଟେସନ,ଡାକଘର ଓ କେତେକ ଅଫିସକୁ ଛାଡିଦେଲେ କାଁ ଭାଁ ଲୋକଙ୍କ ଘରେ ଟେଲିଫୋନ୍ ଥିଲା।ଧୀରେ ଧୀରେ ପ୍ରାୟ ପ୍ରତିଘରେ ଟେଲିଫୋନ୍ ଲାଗିଲା।ତାପରେ ମୋବାଇଲ ଫୋନ୍ ଆସିଲା।ଆଉ ଆଜି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍।ଝିଅର ଶାଶୁଘରେ ଫୁଟଣ ଫୁଟିଲେ ବାପଘରେ ବାସନା ହେଉଛି।ବସୁଣୁ ଉଠୁଣୁ ସବୁ ଖବର ଓ ଫଟୋ ନିମିଷକେ ପହଞ୍ଚି ଯାଉଛି।

ଏବେ ସ୍ମାର୍ଟ ଫୋନର ଯୁଗ।ଫୋନଟିଏ ହାତରେ ଥିଲେ ଆଉ କାହାରି ଆବଶ୍ୟକତା ନାହିଁ।ଏବେ ସମସ୍ତେ ହ୍ବାଟ୍ସଆପ୍, ଫେସବୁକ୍,ଇନଷ୍ଟାଗ୍ରାମ,ଟ୍ବିଟର୍ ଇତ୍ୟାଦି କେତେ ଆପ୍ ମାଧ୍ୟମରେ ଯୋଡିହୋଇ ରହୁଛ।ଫଟୋ ପଠଉଛ,ଚାଟିଂ କରୁଛ ଏବଂ ଭିଡିଓ କଲ କରୁଛ।ପ୍ରେମିକ ପ୍ରେମିକାମାନେ ରାତି ଦିନ ଯେତେବେଳେ ଇଛା ଫୋନ୍ରେ ଗପୁଛ ବା ଚାଟିଂ କରୁଛ।ସେତେବେଳେ ସିନା ମୋବାଇଲ ନଥିଲା ହେଲେ ପ୍ରେମପତ୍ରର ପ୍ରଚଳନ ଥିଲା।ଗୋଲାପି କାଗଜରେ ଅତର ପକେଇ ପ୍ରେମୀଯୁଗଳ ପରସ୍ପରକୁ ଚିଠି ଦିଆନିଆ କରୁଥିଲେ।ମୋ ପିଉସୀନାନୀ କୁହନ୍ତି କଲିକତାରେ ଚାକିରୀ କରୁଥିବା ମୋ ଜେଜେ ଚିଠି ଭିତରେ ବଉଳ ଫୁଲର ମାଳ ପୁରେଇ ମୋ ଜେଜେମାଆ ପାଖକୁ ପଠଉଥିଲେ।ତୁମେମାନେ ମୋବାଇଲରେ ଟାଇପ୍ କଲାବେଳେ ବିଭିନ୍ନ ଶବ୍ଦକୁ କାଟିକୁଟି ଛୋଟ କରି ଲେଖୁଛ।କିନ୍ତୁ ଚିଠିରେ ଆମେ ବନେଇ ଚୁନେଇ ବିଭିନ୍ନ ଆଳଙ୍କାରିକ ଶବ୍ଦ ଏବଂ ଢଗଢମାଳୀ ଦେଇ ସୁନ୍ଦର ଭାବରେ ଲେଖୁ।ଚିଠିରେ ମନକଥାକୁ ଟିକିନିଖି ଭାବରେ ବ୍ଯକ୍ତ କରାଯାଇଥାଏ।ଚିଠି ପଢିଲା ବେଳେ ଲାଗେ ଆମେ ଯେପରି ସେ ଲୋକଟି ସହିତ କଥାବାର୍ତ୍ତା କରୁଛୁ।ତେଣୁ ଶରୀର ଓ ମନ ରୋମାଞ୍ଚିତ ହୁଏ।ଦେହରେ ଶିହରଣ ଖେଳିଯାଏ।ଏବେବି ତୋ ଅଜାଙ୍କର ପୁରୁଣା ଚିଠି ପଢି ମୁଁ ଅତୀତର ସ୍ମୃତିକୁ ରୋମନ୍ଥନ କଲାବେଳେ ଅଜଣା ପୁଲକରେ ପୁଲକିତ ହୋଇଯାଏ।ଚିଠିକୁ ନେଇ ବିଭିନ୍ନ ଭାଷାରେ ସୁନ୍ଦର ସୁନ୍ଦର କବିତା ମଧ୍ୟ ରଚନା କରାଯାଇଛି।

ମୋ କଥା ଶୁଣି ସ୍ନେହା କହିଲା ଆଗକାଳରେ ଲୋକମାନେ ତ ବେଶ୍ ରୋମାଣ୍ଟିକ୍ ଥିଲେ।ତୁମମାନଙ୍କର ଧୈର୍ଯ୍ଯ କିନ୍ତୁ ବହୁତ ଥିଲା।ମୁଁ ହସିକି ଉତ୍ତର ଦେଲି ଧୈର୍ଯ୍ଯ ବିନା ପ୍ରେମ ଯେ ଅସମ୍ଭବ।ଅପେକ୍ଷା କରିବାରେ ଯେଉଁ ମଧୁର ଆନନ୍ଦଟିକକ ମିଳେ ତାହା ତୁ ବୁଝିପାରିବୁ ନାହିଁ।ତୁମମାନଙ୍କର ସବୁ କାମ ସାଙ୍ଗେ ସାଙ୍ଗେ ହେବା ଦରକାର ।ଟିକିଏ ଡେରି ହେଲେ ତୁମେମାନେ ଅଧୈର୍ଯ୍ଯ ହୋଇ ପଡୁଛ।ସେଥିପାଇଁ ଆଜିକାଲି ଟିକିଏ ଟିକିଏ କଥାରେ ପରସ୍ପର ମଧ୍ୟରେ ମତପାର୍ଥକ୍ଯ ଦେଖା ଦେଉଛି।ସଂପର୍କରେ ଶୀଘ୍ର ଫାଟ ସୃଷ୍ଟି ହେଉଛି।ତେଣୁ ସଂପର୍କ ଯୋଡିହେବା ବଦଳରେ ଭାଙ୍ଗି ଯାଉଛି।

ଆଜିକାଲି ସମସ୍ତେ ମେସେଜ ଦ୍ବାରା ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଜଣଉଛନ୍ତି।ଆମ ପିଲାଦିନେ ନୂଆବର୍ଷ ଆସିଲେ ଗ୍ରିଟିଂସ୍ ଦୋକାନରେ ଯାତ୍ରା ଲାଗିଯାଏ।ମାସକ ଆଗରୁ ସୁନ୍ଦର ସୁନ୍ଦର ଗ୍ରିଟିଂସ୍ କାର୍ଡ ସବୁ ବିକ୍ରୀହୁଏ।ଆମେମାନେ ଏଇ କାର୍ଡ ମାଧ୍ୟମରେ ହିଁ ପରସ୍ପରକୁ ନୂଆବର୍ଷରେ ଅଭିନନ୍ଦନ ଜଣାଉ।ନିଜ ପସନ୍ଦ ମୁତାବକ କାର୍ଡ କିଣି ସେଥିରେ ଡାକଟିକେଟ୍ ଲଗାଇ ବିଭିନ୍ନ ସାଙ୍ଗସାଥୀଙ୍କୁ ପଠଉ।କେହି କେହି ମଧ୍ୟ ହାତରେ ଗ୍ରିଟିଂସ୍ କାର୍ଡ ତିଆରି କରିଥାନ୍ତି।ଡାକରେ ଆସିଥିବା ଏହି ଗ୍ରିଟିଂସ୍ ଗୁଡିକୁ ସାଇତି ରଖୁ ତା ପରବର୍ଷ ପର୍ଯ୍ୟନ୍ତ।ଏବେ ଆଉ ଗ୍ରିଟିଂସ୍ ଦୋକାନ ନାହିଁ କହିଲେ ଚଳେ।ସେ ପରମ୍ପରା ପ୍ରାୟ ଲୋପ ପାଇଗଲାଣି।ଆଜିକାଲି ଫୋନଟିଏ କରିବାକୁ ମଧ୍ୟ ସମୟର ଘୋର ଅଭାବ।ପ୍ରାୟ ସମସ୍ତେ ମେସେଜଟିଏ ପଠେଇ ଦେଇ ଅଭିନନ୍ଦନ ଜଣାଉଛନ୍ତି।ଏହାଦ୍ବାରା ସମୟ ଏବଂ ପଇସା କମ ଖର୍ଚ୍ଚ ହେଉଛି ସତ ମାତ୍ର ଗ୍ରିଟିଂସ୍ ଖଣ୍ଡେକୁ ଅପେକ୍ଷା କରିବାର ଉତ୍କଣ୍ଠା ଏବଂ ପାଇସାରିବା ପରର ଆନନ୍ଦ ମିଳୁନାହିଁ।ରାକ୍ଷୀ ପୂର୍ଣ୍ଣିମା ଆସିଲେ ଦୂର ବିଦେଶରେ ଥିବା ଭାଇମାନଙ୍କ ପାଖକୁ ଆମେ ରାକ୍ଷୀ ସହିତ ଚିଠି ଲେଖି ଡାକରେ ପଠଉଥିଲୁ।ତୁମେମାନେ କିନ୍ତୁ ଏବେ ଅନଲାଇନ୍ ରାକ୍ଷୀ ପଠେଇ ଦେଉଛ ଏବଂ ରାକ୍ଷୀ ଦିନ ସକାଳୁ “ହାପି ରାକ୍ଷୀ” ବୋଲି ମେସେଜଟିଏ ପଠେଇଦେଉଛ।ଯୁଗ ବଦଳୁଛି।ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିକାଶ ନିଶ୍ଚୟ ଘଟୁଛି।କିନ୍ତୁ ଏଇ ଯନ୍ତ୍ର ଯୁଗରେ ମଣିଷ ଜୀବନ ମଧ୍ୟ ଗୋଟିଏ ଯନ୍ତ୍ରରେ ପରିଣତ ହୋଇଗଲାଣି।ଏହାଦ୍ବାରା ଆମ ଭିତରେ ଥିବା ଦୂରତା କମିଯାଉଛି ସତ,କିନ୍ତୁ ମନର ଆବେଗ ଓ ଉଦ୍ଦୀପନା ମରିଯାଉଛି।ପିଲାଟିଏ ବିଦେଶ ଗଲେ ପିତାମାତା ଆଶା ଓ ଆଶଙ୍କା ମଧ୍ୟରେ ସମୟ ଅତିବାହିତ କରୁଥିଲେ।ସେମାନେ ମଲାବେଳେ ପିଲାମାନଙ୍କୁ ଟିକିଏ ଦେଖିପାରିବେ ନାହିଁ ବୋଲି ଚିନ୍ତିତ ରହୁଥିଲେ।ଆଜି ସେ ସମୟ ଆଉ ନାହିଁ।ଆମେ ଘରେ ବସି ସେମାନଙ୍କ ସହିତ ଆରାମରେ କଥାବାର୍ତ୍ତା କରିବା ସହିତ ସେମାନଙ୍କ ଘରଦ୍ବାର,ଗାଡିମଟର ଓ ବାଡିବଗିଚା ସବୁ ଭିଡିଓ ମାଧ୍ୟମରେ ଦେଖି ପାରୁଛୁ।ପୃଥିବୀ ଆଜି ସଙ୍କୁଚିତ ହୋଇଯାଇଛି।ସମଗ୍ର ବିଶ୍ବ ଏକାଠି ରହିବା ପରି ଲାଗୁଛି।ତଥାପି ସବୁଠି କିଛି ଗୋଟାଏ ଅପୂର୍ଣ୍ଣ ରହିଯାଉଛି।

ସବୁ ଶୁଣି ସ୍ନେହା କହିଲା ମୁଁ ଏଥର ବେଙ୍ଗାଲୁରୁ ଗଲେ ତୁମକୁ ନିୟମିତ ଚିଠି ଲେଖିବି।ସେଦିନ ତା କଥାକୁ ମୁଁ ହସରେ ଉଡେଇ ଦେଇଥିଲି।ଆଜି କିନ୍ତୁ ନାତୁଣୀ ମୋର ତା କଥା ରଖି ମୋ ପାଖକୁ ଚିଠି ଦେଇଛି।ମୋ ଆଖିରୁ ଦୁଇଟୋପା ଆନନ୍ଦଶ୍ରୁ ଗଡିପଡିଲା।ମୁଁ ଲୁହ ପୋଛି ଚିଠି ପଢିବାରେ ମନଦେଲି।

ମହାନଦୀ ବିହାର,କଟକ

Comments are closed.