ଅନୁବାଦ ଗଳ୍ପ : ତଫାତ୍!
ବିଷ୍ଣୁ ପ୍ରଭାକର, ହିନ୍ଦୀ ସାହିତ୍ୟର ଅନ୍ୟତମ ବରିଷ୍ଠ ସ୍ରଷ୍ଟା । ୧୯୧୨ ମସିହାରେ ଉତ୍ତର ପ୍ରଦେଶର ମୁଜାଫରପୁର ଜିଲ୍ଲାରେ ଜନ୍ମିତ ବିଷ୍ଣୁ ପ୍ରଭାକର ଆକାଶବାଣୀରେ କିଛି କାଳ କାର୍ଯ୍ୟ କରିଥିଲେ । ତେବେ ସାହିତ୍ୟ ସାଧନାରେ ବ୍ରତୀ ଏହି କଥାଶିଳ୍ପୀ ନିଜ ଜୀବଦ୍ଦଶାରେ ଶତାଧିକ ଉପନ୍ୟାସ, ୬୦ରୁ ଅଧିକ ନାଟକ ଏବଂ ତିରିଶରୁ ଅଧିକ ଗଳ୍ପ ସଙ୍କଳନ ରଚନା କରିଛନ୍ତି । ସାହିତ୍ୟ ଏକାଡ଼େମୀ ପୁରସ୍କାକର ସମେତ ପଦ୍ମଭୂଷଣ ଆଦି ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୦
ମୂଳ ରଚନା : ବିଷ୍ଣୁ ପ୍ରଭାକର
ସେଦିନ କାହିଁକି ତା’ର ଭାରି ଇଚ୍ଛା ହେଲା ଭାରତ ଓ ପାକିସ୍ତାନ ଭିତରେ ଟଣା ହୋଇଥିବା ସୀମାରେଖାକୁ ଥରେ ଯାଇ ଦେଖି ଆସିବ । ସେ ମନେ ମନେ ଭାବିଲା, ଦିନେ ସୀମାରେଖାର ଉଭୟ ଭାଗ ଗୋଟିଏ ଦେଶ ଥିଲା । ଏବେ ଦୁଇଭାଗରେ ବିଭାଜିତ ହୋଇ କେମିତି ଦିଶୁଛି ! ସେ ଯାଇ ସୀମାରେଖା ନିକଟରେ ପହଞ୍ଚିଲା । ଉଭୟ ପଟେ କଡ଼ା ପହରା । ପରସ୍ପର ପ୍ରତି ଅବିଶ୍ୱାସ ଓ ଭୟ । କିଏ କେତେବେଳେ କାହା ଉପରକୁ ଗୁଳି ଚଳେଇ ଦେବେ ! ତେଣୁ ଦୁଇ ଦେଶର ସୀମାନ୍ତରେ ପହରା ଦେଉଥିବା ବନ୍ଧୁକଧାରୀ ସୈନ୍ୟ ପରସ୍ପର ଉପରେ ତୀକ୍ଷ୍ମ ନଜର ରଖିଥାନ୍ତି। । ଦୁଇ ଦେଶ ମଝିରେ ମଝିରେ କିଛି ଭୂମି ଯାହା ଉପରେ କାହାରି ଅଧିକାର ନଥାଏ- ନୋ ମ୍ୟାନସ୍ ଲ୍ୟାଣ୍ଡ ।
ଉଭୟ ଦେଶର ନାଗରିକ ଏହା ଉପରେ ପାଦ ଥାପି ଠିଆ ହୋଇ ପାରିବେ। ସେ ସେଇଠି ଯାଇ ଠିଆ ହେଲା । କିନ୍ତୁ ସେ ଏକାକୀ ନଥିଲା । ତାଙ୍କ ସାଙ୍ଗରେ ତା’ର ପତ୍ନୀ ବି ଥିଲା । ଆଉ ଥିଲେ ଅଠରଜଣ ସଶସ୍ତ୍ର ସୈନିକ ଓ ସେମାନଙ୍କର କମାଣ୍ଡର । ଶତ୍ରୁ ପକ୍ଷର ସୈନିକଙ୍କ ସାମ୍ନାରେ ସେମାନେ ଭଲା ତାକୁ କେମିତି ଏକୁଟିଆ ଛାଡ଼ି ପାରିଥାନ୍ତେ! କେବଳ ସେତିକି ନୁହେଁ । ନିଜ ପକ୍ଷର କମାଣ୍ଡର ତା’ର କାନ ପାଖକୁ ଲାଗି ଆସି ଚାପା ଗଳାରେ କହିଲେ, ଅନ୍ୟ ପକ୍ଷର ସୈନିକମାନେ ଆପଣଙ୍କୁ ଚା ପାଇଁ ସେମାନଙ୍କ ପଟକୁ ଯିବାଲାଗି ଆମନ୍ତ୍ରଣ କରିପାରନ୍ତି ।
ଆପଣ ଆଦୌ ରାଜି ହେବେନି କି ଯିବେନି । କିଏ ଜାଣେ ସେମାନେ କ’ଣ କରିବସିବେ? ଆପଣଙ୍କ ସହିତ ଆପଣଙ୍କ ପତ୍ନୀ ବି ଅଛନ୍ତି। ତା’ଛଡ଼ା ଗଲାକାଲି ଆମେ ସେମାନଙ୍କ ପଟର ଛଅ ଜଣ ଅନୁପ୍ରବେଶକାରୀଙ୍କୁ ଗୁଳି କରି ମାରିଛୁ।
ସେ ନିର୍ଭର ପ୍ରତିଶ୍ରୁତି ଦେବାଭଳି ଉତ୍ତର ଦେଲା ‘ନାଇ ଆଜ୍ଞା, ମୁଁ ସେପଟକୁ ଭଲା ଯାଇପାରିବି ? ଏତିକି ମନକୁ ମନ ସେ କହିହେଲା। ଆପଣମାନେ ମତେ ଏତେ ବଡ଼ ମୂର୍ଖ ବୋଲି କେମିତି ଭାବୁଛନ୍ତି? ମୁଁ ଜଣେ ମଣିଷ ଆପଣା ପର ଭିତରେ ଥିବା ଫରକକୁ ବୁଝିବାର ଶକ୍ତି ଈଶ୍ୱର ମୋ ଠାରେ ଦେଇଛନ୍ତି । ଅନ୍ତତଃ ଏତିକି
କାଣ୍ଡଜ୍ଞାନ ତ ମୋର ଅଛି ।
ସେ ଏକଥା ମନେ ମନେ ଭାବୁଥିଲା ଓ ଠିକ୍ ଏତିକିବେଳେ ଅନ୍ୟ ପଟର କିଛି ସୈନିକ ଆସି ସେଠାରେ ପହଞ୍ଚିଗଲେ । ସେମାନେ ଥିଲେ ପଠାନ୍ ସମ୍ପ୍ରଦାୟର। ଖୁବ୍ ଆତ୍ମୀୟତାର ସହ ସେମାନେ ତା’ସହ କରମର୍ଦ୍ଦନ କଲେ ।
ସେଦିନ ଥିଲା ଇଦ । ସେ ସେମାନଙ୍କୁ ମୁବାରକ ସମ୍ଭାଷଣ ଜଣାଇଲା । ଆଉଥରେ ଖୁସିରେ ସେମାନଙ୍କ ସହ ହାତ ମିଳାଇବା ବେଳକୁ ସେମାନଙ୍କ ଭିତରୁ
ଜଣେ ତାଙ୍କୁ ଆମନ୍ତ୍ରଣ କରିବା ଢଙ୍ଗରେ କହିଲେ- ଏପଟକୁ ଆସନ୍ତୁ । ଆମମାନଙ୍କ ସହ କପେ ଚା ପିଇବେ ଆସନ୍ତୁ।
ତା’ ମନରେ ଏଭଳି ଆମନ୍ତ୍ରଣର ଉତ୍ତର ଆଗରୁ ପ୍ରସ୍ତୁତ ହୋଇଥିଲା । ମୁହଁରେ ଅତି ବିନୟଭାବ ପୋଷଣ ପୂର୍ବକ ସେ ମୁରୁକି ହସି କହିଲା, “ଆପଣଙ୍କ ଆମନ୍ତ୍ରଣ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କ ସହ ବସି ଚା ପିଇଥିଲେ ।
ଖୁବ୍ ଆନନ୍ଦ ମିଳିଥାନ୍ତା । କିନ୍ତୁ ମୋତେ ଆଜି ହିଁ ଫେରିଯିବାକୁ ପଡ଼ିବ ଏବଂ ମୋ ହାତରେ ଖୁବ୍ କମ୍ ସମୟ ଅଛି ଆପଣମାନଙ୍କ ଆମନ୍ତ୍ରଣ ରକ୍ଷା କରିପାରୁନଥିବାରୁ କ୍ଷମା ଦେବେ ।’
ଏମିତି ଶିଷ୍ଟାଚାରପୁର୍ଣ୍ଣ କଥାବାର୍ତ୍ତା ଭିତରେ ସେ ଲକ୍ଷ୍ୟ କଲା, ପାକିସ୍ତାନ ପଟୁ ଛେଳି ଘାସ ଚରି ଚରି ତା’ରି ପାଖ ଦେଇ ଆଗକୁ ଯାଇ ଭାରତ ସୀମା ଭିତରକୁ ପଶିଗଲେ । ସମସ୍ତେ ଏକା ସାଙ୍ଗରେ ମୁହଁ ବୁଲେଇ ସେଇ ଛେଳି ଆଡ଼େ ଚାହିଁଲେ ।
ଦଣ୍ଡେ ପରେ ସେ ପାକିସ୍ଥାନୀ ସୈନିକମାନଙ୍କୁ ପଚାରିଲା ‘
ଏସବୁ ଛେଳି କ’ଣ ଆପଣଙ୍କ ପଟର ?
ସେମାନଙ୍କ ଭିତରୁ ଜଣେ ବନ୍ଧୁକଧାରୀ ସୈନିକ ଗଭୀର ହସ ହସି କହିଲା, ‘ହଁ ଜନାବ୍ ଆମ ପଟର। ପଶୁ ନା ସୀମାରେଖା ଭିତରେ ଥିବା ତଫାତ୍ କ’ଣ, ଜାଣିନି ।’
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.