ଅନୁବାଦ ଗଳ୍ପ : କାଠଗଡ଼ାରେ ଈଶ୍ୱର
ଗୁୂଲଜାର ସିଂହ ସାନ୍ଧୁ ସ୍ୱାଧୀନୋତ୍ତର ପଞ୍ଜାବୀ ସାହିତ୍ୟର ଜଣେ ଚର୍ଚ୍ଚିତ ସ୍ୱାକ୍ଷର । ଉଭୟ ପଞ୍ଜାବୀ ଏବଂ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରୁଥିବା ଶ୍ରୀ ସାନ୍ଧୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ଦେଶ ବିଭାଜନ କଥାବସ୍ତୁକୁ ନେଇ ସେ ଅନେକ ଗଳ୍ପ ଓ ଉପନ୍ୟାସ ଲେଖିଛନ୍ତି ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୧
ମୂଳ ପଞ୍ଜାବୀ: ଗୁଲଜାର ସିଂହ ସାନ୍ଧୁ
ପୀରବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପ୍ଚାପ୍ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେ ବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ ପଡ଼ିଆରୁ ଘାସ କାଟୁଥିଲା । ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା । ଆମ କ୍ଷେତ ପାଖରେ ଯେଉଁ ସହିଦମାନଙ୍କୁ କବର ଦିଆଯାଇଛି ସେମାନଙ୍କର ଅଲୌକିକ ଶକ୍ତି ଥିଲା । ସେମାନେ ସମସ୍ତେ ମୃତ୍ୟୁ, ନିଆଁ କି ସମୟ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଥିଲେ । ଆମ ଶିଖ୍ ଲୋକଙ୍କର ମଧ୍ୟ ସେମାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ । ଏମିତିକି ମୁଁ ପୀରବାବାଙ୍କ ପାଖରେ କିଛି ନଚଢ଼େଇ କେବେ କୌଣସି ପରୀକ୍ଷାରେ ବସିବା ମୋର ମନେପଡ଼ୁନି । ମୋ ଜେଜେବାପା ତ କହନ୍ତି ସେଇ ସହିଦମାନଙ୍କ କୃପାରୁ ମୁଁ କୌଣସି ପରୀକ୍ଷାରେ କେବେ ଫେଲ୍ ହୋଇନଥିଲି ।
ସେ ବର୍ଷ ଖରାଦିନେ ମୁଁ ବି ନୁରା ସାଙ୍ଗରେ ସେଇ ଆମ୍ବଗଛ ତଳେ ବସିଥିଲି । ନୁରା ତା’ର ପାଠପଢ଼ାରେ ବ୍ୟସ୍ତ ଥିଲା ଓ ମୁଁ ରେହମତେକୁ ଅନେଇ ରହିଥିଲି । ରେହମତେ ଆମରି ପଡ଼ଆରେ ଘାସ କାଟି ଚାଲିଥିଲା । ତାକୁ ମୁଁ ଏତେ ଭଲ ପାଉଥିଲି ଯେ ତା’ର ବିଷୟରେ ନୁରା ସାଙ୍ଗରେ କଥାବାର୍ତ୍ତା ହେବାକୁ ଚାହୁଁଥିଲି ।
ମୁଁ ନୁରାକୁ ପଚାରିଲି, ‘ସତ କହିଲୁ ନୁରା, ତୋର ଦି’ଭଉଣୀଙ୍କ ଭିତର ତୁ କାହାକୁ ଅଧିକ ଭଲ ପାଉ? ରେହମତେ ନା ଜୈନାକୁ?’
ନୁରା କହିଲା, ‘ଜୈନାକୁ ।’ ଜୈନା ତା’ର ବଡ଼ ଭଉଣୀ । ଗଲା ଚାରିବର୍ଷ ତଳେ ତା’ର ବାହାଘର ହୋଇ ସାରିଥିଲା । ‘ରେହମତେକୁ କାଇଁକି ଭଲ ପାଉନୁ ଶୁଣେ?’ ମୁଁ ପଚାରିଲି । ପର ମୁହୂର୍ତ୍ତରେ ମୁଁ ଆତ୍ମସଚେତନ ହୋଇଉଠିଲି ଯେ ମୋର ଏଭଳି ପ୍ରଶ୍ନକୁ ସେ କାଳେ ଅନ୍ୟ ଅର୍ଥରେ ନେବ!
ନୁରା କହିଲା, ‘ମତେ ରେହମତେ ଥରେ ଖୁବ୍ ପିଟିଥିଲା । ହେଲେ ଜୈନା କେବେ ମୋ ଉପରକୁ ହାତ ଉଠେଇନି । ମୋତେ ସନ୍ତୁଷ୍ଟ କରିବାକୁ ଏତିକିକହି ସେ ପୁଣି ତା’ ପଢ଼ାରେ ଧ୍ୟାନ ଦେଲା । ମୁଁ ଆଶ୍ୱସ୍ତ ହେଲି ଯେ ସେ ମୋତେ ଭୁଲ୍ ବୁଝିନି । ଦାଆଖଣ୍ଡିକ ହାତରେ ଧରି ରେହମତେ ସେମିତି ଘାସ କାଟି ଚାଲିଥିଲା । ଦାଆର ଚାଳନା ସହ ତା’ ଶରୀରର ପ୍ରତିଟି ଅଙ୍ଗ ସମତାଳରେ ହଲି ଚାଲିଥିଲା ।
ଠିକ୍ ସେତିକିବେଳେ ସହିଦ ପଡ଼ିଆ ପାଖ ଅଶ୍ୱତ୍ଥ ଗଛରେ ବସିଥିବା ମୟୂରଟି ହଠାତ୍ ଚମକି ଉଠିଲା ଓ ପର ମୁହୂର୍ତ୍ତରେ ତା’ର ଓଜନିଆ ପକ୍ଷକୁ ଝାଡ଼ି ଉପରକୁ ଉଡ଼ିଗଲା । ତା’ର ସେ ପରଝଡ଼ା ଶବ୍ଦ କେମିତି ଖଡ଼ଖଡ଼ ଶୁଭିଲା । ମୟୂରଟି ଏମିତି ଅଚାନକ ଉଡ଼ିଯିବାବେଳେ ତା’ ପକ୍ଷରୁ ପରଟିଏ ଆସି ତଳେ ପଡ଼ିଲା । ସେତେବେଳେ ମୋତେ ମୟୂରପୁଚ୍ଛ ସଂଗ୍ରହ କରି ରଖିବାକୁ ଭାରି ଭଲ ଲାଗୁଥିଲା । ଯେତେବେଳେ ମୟୂର ଚନ୍ଦ୍ରିକାଟି ତଳକୁ ଖସୁଥିଲା, ତା’ର ଉଜ୍ଜ୍ୱଳ ରଙ୍ଗ ଖରାରେ ଚକମକ କରୁଥିଲା । ମୁଁ ବହି ଖଣ୍ଡିକ ଫୋପାଡ଼ିଦେଇ ତାକୁ ଧରିବାକୁ ଦୌଡ଼ିଗଲି । କିନ୍ତୁ ପରଟି ଭୂଇଁ ଛୁଇଁନଥିଲା । ତା’ ଆଗରୁ ରେହମତେ ଶୂନ୍ୟରୁ ହିଁ ତାକୁ ଧରିନେଇଥିଲା । ଏମିତିକି ମୁଁ ହାତ ବଢ଼େଇବା ଆଗରୁ ।
କେମିତି ଟିକେ ଉତ୍ତେଜିତ ହୋଲାଭଳି ସ୍ୱରରେ ମୁଁ ଦାବି କରିବସିଲି, ‘ମୋତେ ସେ ଚନ୍ଦ୍ରିକାଟି ଦେ’ ।’
ସିଏ କିନ୍ତୁ ସ୍ୱାଭାବିକ ଭାବେ କହିଲା, ‘କାଇଁକି, ମୁଁ ତ ତାକୁ ପ୍ରଥମେ ଧରିଛି ।’
ମୁଁ ଜିଦ୍ ଧରିଲାପରି କହିଲି, ‘ସେ କଥା ଛାଡ଼୍ । ତୁ ସେ ମୟୂରଚନ୍ଦ୍ରିକାଟିକୁ ମୋତେ ଦେବାକୁ ପଡ଼ିବ ।’ ସିଏ ପରିହାସ କଲାପରି କହିଭଲା, ‘ଓଃ, ସତେ ନା କ’ଣ? କ’ଣ ତୋ ଧମକରେ? ସେମିତି ହେଲେ ମୁଁ ଜମା ଦେବିନି ।’
ଏଥର ମୁଁ ଧୀର ସ୍ୱରରେ ତାକୁ ବୁଝେଇଲାପରି କହିଲି, ‘ତୁମ ମତେ ଏଇ ଚନ୍ଦ୍ରିକାଟି ଦେଇଦେ’, ମୁଁ ଆଉ କିଛି ମାଗିବିନି ।’
ସିଏ ମନେମନେ ଖୁସିଲା ଓ କହିଲା, ‘ହଉ, ନେ’… ।’ ଏତିକି କହି ସେ ମୟୂରପୁଚ୍ଛଟିକୁ ଫିଙ୍ଗିଦେଲା । ଏଥର ସେ ତା’ ଘାସତକ ବିଡ଼ା ବାନ୍ଧିଲା ଓ ତାକୁ ମୁଣ୍ଡେଇ ଘରକୁ ଯିବାକୁ ବାହାରିଲା । ରେହମତେର ପତଳା ଓ ମନଲୋଭା ଚେହେରା ଉପରୁ ମୁଁ ଆଖି ଫେରେଇ ପାରୁନଥିଲି । ଘାସବୋଝଟା ମୁଣ୍ଡେଇଲା ବେଳକୁ ତା’ର ପତଳା ଚେହେରା ଲତାଟିଏ ନଇଁ ଆସିଲାପରି ଲାଗୁଥିଲା । ମୁଁ ମନେମନେ ଭାବି ହେଉଥିଲି ତାକୁ ଏମିତି ଟାଣ କଥା କହି ତା’ମନରେ ଆଘାତ ପହଞ୍ଚେଇନି ତ?
ସେତେବେଳେ କବରଖାନା ଭିତରେ ନୁରାର ବାପାଙ୍କ ଉପରେ ନଜର ପଡ଼ିଲା । ସେ , ଜଣେ ସନ୍ନ୍ୟାସୀ ପରି ଲୋକ । ସିଏ ତାଙ୍କ ନମାଜ ପଢ଼ାରେ ବ୍ୟସ୍ତ ଥିଲେ । ତାଙ୍କ ପାଖରେ ନୁରା ସେମିତି ଧୀରସ୍ଥିର ଭାବେ ଠିଆ ହୋଇରହିଥିଲା । ବାପପୁଅ ଦିହେଁ ଏକାପ୍ରକାର ହଳଦିଆ ଗାମୁଛା ଖଣ୍ଡେ ଲେଖାଏଁ ବେକରେ ପକେଇଥିଲେ । ହଳଦିଆ ରଙ୍ଗ ଶିଖ୍ ଲୋକଙ୍କୁ ଶୋଭାପାଏ । ସେ ରଙ୍ଗ ଶିଖ୍ ଧର୍ମର ପ୍ରତୀକ । ସେମାନେ ହଳଦିଆ ଗାମୁଛା ଖଣିକ ବେକରେ ଗୁଡ଼େଇଲେ ସୁନ୍ଦର ଦିଶେ । କିନ୍ତୁ ବାପପୁଅ ଏମିତିକା ଚାଦର ପକେଇବାର କାରଣ ଥିଲା ଭିନ୍ନ । ଏଇ ନିକଟରେ ସେମାନେ ଧର୍ମ ବଦଳେଇବା ଲାଗି ରାଜି ହୋଇଥିଲେ ।
ଚାରିଆଡ଼େ ଦଙ୍ଗା ବ୍ୟାପିଥିଲା । ପୋଡ଼ାଜଳା ଓ ହାଣକାଟ ଚାଲିଥିଲା । ହଳଦିଆ ଗାମୁଛା ଖଣ୍ଡିଏ କାନ୍ଧରେ ପକେଇଲେ ସେମାନଙ୍କ ପାଇଁ ତାହା ଥିଲା ସୁରକ୍ଷାର କବଚ । ପୂର୍ବ ପଞ୍ଜାବର ମୁସଲମାନଙ୍କ ଲାଗି ସତେ ଯେମିତି ଏହା ଥିଲା ନିରାପତ୍ତାର ସୁଦୃଢ଼ ଢାଲ!
ଦେଶ ଦି’ଭାଗରେ ବାଣ୍ଟି ହୋଇ ସାରିଥିଲା । ସ୍ୱାଧୀନତା ସହ ଦେଶ ବଣ୍ଟା । ମୁସଲମାନଙ୍କ ଆଗରେ ଶିଖ୍ମାନେ ଧର୍ମ ପରିବର୍ତ୍ତନର ସର୍ତ୍ତ ବାଢ଼ିଥିଲେ । ଯେଉଁ ମୁସଲମାନମାନେ ଭାରତରେ ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଏହା ଥିଲା ପ୍ରଥମ ସର୍ତ୍ତ । ସୀମା ଆରପଟେ ପାକିସ୍ତାରେ ମଧ୍ୟ ମୁସଲମାନ ଲୋକମାନେ ହିନ୍ଦୁ ଓ ଶିଖ୍ମାନଙ୍କ ଆଗରେ ସେଇ ଏକା ସର୍ତ୍ତ ରଖିଥିଲେ । ଆମ ଇଲାକା ଥିଲା ମୁସଲମାନ ଅଧ୍ୟୁଷିତ । ଏଠାରେ ସେମାନଙ୍କ ସଂଖ୍ୟା ଢେର୍ ଅଧିକ । ପୁଣି ସେମାନେ ଥିଲେ ରକ୍ଷଣଶୀଳ ସୁନ୍ନୀ ସମ୍ପ୍ରଦାୟର । କିନ୍ତୁ ସେମାନେ ଅବା କ’ଣ କରିପାରିବେ? ସେମାନେ ଏବେ ଭାରତରେ ଥିଲେ । ଧର୍ମ ନବଦଳେଇଲେ, ଶିଖ୍ ଧର୍ମ ଗ୍ରହଣ ନକଲେ ମୁତ୍ୟୁ ସୁନିଶ୍ଚିତ ।
ଧର୍ମାନ୍ତରଣର ବ୍ୟାପକ ଆୟୋଜନ କରାଯାଇଥିଲା । ସେଥିପାଇଁ ପ୍ରଚୁର ସଂଖ୍ୟକ ଲୁହା ବଳା, କାଠ ତିଆରି ପାନିଆ ଓ ହଳଦିଆ ସ୍କାର୍ଫ ବାହାରୁ ଅଣାଯାଇଥିଲା । ଠିକ୍ ଯେତେବେଳେ ମୁସଲମାନ ଲୋକଙ୍କୁ ଶିଖ୍ ଧର୍ମ ଗ୍ରହଣ କରିବା ଲାଗି ପ୍ରସାଦ ପ୍ରସ୍ତୁତ କରାଯାଉଥିଲା, ସେତିକିବେଳେ ତଌକ୍ଷଗ୍ଧ;ିରେ
ପୁଳାଏ ଖଙ୍କାର ଅଟକିଲା ପରି ଘାଗଡ଼ା ସ୍ୱରରେ କେହି ଜଣେ କହିଲା: ‘ଏମିତିକା ଲୋକଦେଖାଣିଆ ଧର୍ମ ପରିବର୍ତ୍ତନ କଳେ କି ଲାଭ ମିଳିବ? ଖାଲି ଯାହା ସେମାନଙ୍କୁ ବାହ୍ୟ ସଙ୍କେତରେ ସଜେଇବା ସାର । ସେମାନେ ମନରେ ଯେଉଁ ମୁସଲମାନ ଥିଲେ ସେଇ ମୁସଲମାନ ହୋଇ ରହିବେ ।’ ବାବା ଫୁମାନ ସିଂହଙ୍କ ଆଡ଼କୁ ସମସ୍ତେ ଚାହିଁଲେ । ମୁହଁରେ ଟେଳାଏ ଅଫିମ ପକାଉ ପକାଉ ସେ ଏମିତି ମନ୍ତବ୍ୟ ଦେଇଥିଲେ ।
‘ତା’ହେଲେ ଆମେ କ’ଣ କରିବୁ, ତୁମେ କିଛି ପରାମର୍ଶ ଦିଅ ।’ ସେ କହିଲା, ‘ସେମାନଙ୍କୁ ଘୁଷୁରୀ ମାଉଁଷ ଖୁଆଅ ।’
ଆଉ କିଏ ଜଣେ ପ୍ରସ୍ତାବ ଦେଲା, ‘ଆରେ ଆମ ଲୋକମାନଙ୍କୁ ପରା ସୀମା ଆରପଟେ ଏମାନେ ଗୋମାଂସ ଖୁଆଉଛନ୍ତି ।’
ଧର୍ମ ପରିବର୍ତ୍ତନ ଲାଗି ସେଠାରେ ରୁଣ୍ଡ ହୋଇଥିବା ମୁସଲମାନ ଲୋକଙ୍କୁ ଘୁଷୁରୀମାଂସ ଖୁଆଇବା ସକାଶେ ସମସ୍ତେ ତୁରନ୍ତ ରାଜି ହୋଇଗଲେ । ତତକ୍ଷଣାତ୍ ଚାରି ପାଞ୍ଚଟା ଘୁଷୁରୀ ମରାଯାଇ ରନ୍ଧାଗଲା । ଆଖପାଖ ଗାଁରେ ମଧ୍ୟ ଅନୁରୂପ ଧରଣର କାର୍ଯ୍ୟକ୍ରମ ଚାଲିଲା ।
ସେଠାରେ ରୁଣ୍ଡ ହୋଇଥିବା ମୁସଲମାନ ଲୋକମାନେ ସବୁକଥା ଶୁଣୁଥିଲେ ଓ ଭାଗ୍ୟକୁ ଆଦରି ଚୁପ୍ଚାପ୍ ବସି ରହିଥିଲେ । ସେମାନେ ମନେ ମନେ ଭାବୁଥିଲେ ଯେତେବେଳେ ବଞ୍ଚିବା ଓ ମରିବା ଭିତରେ କିଛି ଫରକ ନାହିଁ, ସେତେବେଳେ ଘୁଷୁରୀ ମାଂସ ପାଟିରେ ଭର୍ତ୍ତି କଲେ ଯେଉଁ ଆକାଶ ଛିଣ୍ଡିପଡ଼ିବ?
ଏଭଳି କଥା ଶୁଣି ମୋ ବାପା ସାମାନ୍ୟ ପ୍ରତିବାଦ କଲାପରି ବାବାଜୀଙ୍କ କାନରେ ଅନୁଚ୍ଚ ସ୍ୱରରେ କହିଲେ, ‘ଆମ ଗୁରୁମାନେ କେବଳ ପ୍ରସାଦ କୁଆଇ ଧର୍ମାନ୍ତରଣ କରିୁଥିଲେ ।’
‘ତୁ ଚୁପ୍ କର! ନୀରବତା ରକ୍ଷା ସବୁଠୁ ବଡ଼ ଶୃଙ୍ଖଳା ।’ ବାବାଜୀ ବିଗିଡ଼ି ଉଠି କହିିଲେ । ଏଥର ସେ ମାଂସ ସିଝିଚିକି ନାଇଁ ଦେଖିବାକୁ ହାଣ୍ଡି ପାଖକୁ ଉଠିଗଲେ ।
ଅଳ୍ପ ସମୟ ଭିତରେ ସମବେତ ସବୁ ମୁସଲମାନଙ୍କୁ ଶିଖ୍ ଧର୍ମରେ ଦୀକ୍ଷିତ କରାଗଲା । ଶିଖ୍ ଧର୍ମର ପାଞ୍ଚ ପ୍ରତୀକକୁ ଧାରଣ କରି ସେମାନେ ନିଜ ନିଜ ପାତ୍ରରୁ ସେ ସିଦ୍ଧମାଂସକୁ ଖାଇଚାଲିଲେ । ସେମାନଙ୍କ ନିକଟରେ ଆଉ କିଛି ଚାରା ନଥିଲା ।
‘ଆମେ ସଭିଏଁ ସଦାବେଳେ ହିନ୍ଦୁ ଥିଲୁ । ସିଏ ବଦମାସ ଆଉରଙ୍ଗଜେବ ଆମକୁ ଧର୍ମାନ୍ତରୀତ କରିଥିଲା ।’ କେହି ଜଣେ ସେମାନଙ୍କର ଏହି କାମକୁ ଯଥାର୍ଥ ବୋଲି ପ୍ରମାଣିତ କରିବା ସକାଶେ କହିଲା । ଅନ୍ୟମାନଙ୍କ ଠାରୁ ସାମାନ୍ୟ ଦୂରରେ ବାବାଜୀ ଓ ଗାଆଁର ଅନ୍ୟ ପୁରୁଖା ଲୋକମାନେ ବସିଥିଲେ । ସେମାନେ ସାନ୍ଧୁ- ଅନ୍ୟମାନଙ୍କଠାରୁ ଜାତିରେ ଶ୍ରେଷ୍ଠ – ବୋଲି ମନେ ମନେ ଭାବୁଥିଲେ ।
‘ପଟିଆଲା ମହାରାଜା ତ ଜଣେ ସିଦ୍ଧୁ ଥିଲେ ।’ ସିଏ ନିଜେ କହିବାର ମୁଁ ଶୁଣିଛି ।
‘ସିଦ୍ଧୁ ଆଉ ସୁନ୍ଧୁ – ଏକା କଥା । କେବଳ ଗୋଟି ତଫାତ ହେଲା ଆମ ଜାଗିର ଯୋଗୁ ଆମେ କେବଳ ଅଫିମ ଖାଇପାରିବୁ । କିନ୍ତୁ ମହାରାଜାଙ୍କ ପାଇଁ ଚାରିଖୁଣ ମାଫ୍ । ସିଏ ସଂସାରର ସବୁ ଐଶ୍ୱର୍ଯ୍ୟ ଉପଭୋଗ କରିପାରିବେ ।’ ଏମିତିକା କଥା ମୋ ମନରେ ଆଦୌ ଆଗ୍ରହ ସୃଷ୍ଟି କରୁନଥିଲା ।’
‘ନୁରା ଓ ଅନ୍ୟ ଲୋକମାନଙ୍କୁ ଧର୍ମ ଦୀକ୍ଷା ଦିଆଯାଇନି? ‘ ମୁଁ ବାପାଙ୍କୁ ପଚାରିଲି । ‘ମୁଁ ତ ସେମାନଙ୍କୁ ଶିଖମାନଙ୍କ ପାଞ୍ଚ ସଙ୍କେତକୁ ସେମାନଙ୍କ ଦେଇଛି । ସେମାନେ ବି ସେସବୁ ପିନ୍ଧିଛନ୍ତି । ନୁରାର ବାପା ଜଣେ ସନ୍ନ୍ୟାସୀତୁଲ୍ୟ ସାଦାସିଧା ଲୋକ ଓ ମୁଁ ତାଙ୍କୁ ବେଶ୍ ସମ୍ମାନ କରେ । ସମସ୍ତଙ୍କ ଆଗରେ ମୁଁ ତାଙ୍କୁ ଏମିତି ଅପମାନିତ କରିବାକୁ ଚାହିଁଲିନି ।
ସମ୍ଭବତଃ ସେ ଏମିତିକା ଧର୍ମାନ୍ତରଣ ସମାରୋହରେ ସାମିଲ ହେବାକୁ ଚାହୁଁ ନଥାଇ ପାରନ୍ତି ।’
ବଦ୍ରୁ ଓ ତାଙ୍କ ପରିବାରର ଅନ୍ୟମାନଙ୍କୁ ଯେତେବେଳେ ଜେଜେବାପା ଧର୍ମାନ୍ତରଣ କଥା କହିଲେ, ମୋ ବାପା ତାଙ୍କୁ ବୁଝେଇଦେଲେ ଯେ ସେମାନେ ତ ସମସ୍ତଙ୍କ ସାମ୍ନାରେ ଘୁଷୁରୀ ମାଂସ ଖାଇଛନ୍ତି । ଅନ୍ୟ କିଛି ସନ୍ଦେହ ଦୂର କରିବା
ଲାଗି ବାପା ଦୃଢ଼ ସ୍ୱରରେ ଶପଥ ନେଲାପରି ଏକଥା କହିଲେ । ତେଣୁ ବଦ୍ରୁ ଓ ତାଙ୍କ ପରିବାରଙ୍କ ଧର୍ମାନ୍ତରୀକରଣ କାର୍ଯ୍ୟ ସମ୍ପାଦନ ହୋଇ ସାରିଛି ବୋଲି ସମସ୍ତେ ଧରିନେଲେ ।
ଏଥିରେ ଭଲା ମିଛ ରହିଲା କେଉଁଠି? ସେଦିନ ରେହମତେଠାରୁ ମୁଁ ମୟୂର ଚନ୍ଦ୍ରିକାଟି ଦାବିକଲାବେଳେ ସିଏ ତ ମୁଣ୍ଡରେ ହଳଦିଆ ଦୁପଟ୍ଟାଟିଏ ପକେଇଥିଲା । ହାତରେ ଲୁହା ବଳାଟିଏ ପିନ୍ଧିଥିଲା । ତା’ ବାପ ବଦ୍ରୁ ଓ ଭାଇ ନୁରା ବି ବେକରେ ଖଣ୍ଡିଏ ଲେଖାଏଁ ହଳଦିଆ ସ୍କାର୍ଫ ଗୁଡ଼େଇ ହୋଇଥିଲେ । ସେମାନଙ୍କ ନେଡ଼ିରେ ଲୁହାର ବଳା ଥିଲା । କିନ୍ତୁ ବାପ-ପୁଅ ନମାଜ ପଢ଼ୁଥିଲେ । ଯଦି ଆଖପାଖରେ କିଏ କେଉଁଠି ଦେଖୁଥାନ୍ତା, ତା’ହେଲେ ସେମାନେ ପଦାପି ନମାଜ ପଢ଼ିବାକୁ ସାହସ କରିନଥାନ୍ତେ । ହେଲେ ସେମାନଙ୍କ ଆଖପାଖରେ କେବଳ ମୁଁ ହିଁ ଥିଲି ଓ ମୁଁ ଥିଲି ବଦ୍ରୁଙ୍କ ଛାତ୍ର ।
ସେମାନଙ୍କୁ ଭଲଭାବେ ଜଣାଥିଲା ଯେ ସେମାନଙ୍କ ଲୁଚିଛପି ନମାଜପଢ଼ା କଥା ମୁଁ ଗାଆଁର ଅନ୍ୟ କାହା ଆଗରେ କେବେ ପ୍ରଘଟ କରିବିନି ।
କେମିତି କରିଥାନ୍ତି ଯେ…? ରେହମତେ ସାହାଯ୍ୟରେ ପରା ମୁଁ ତୃତୀୟ ଶ୍ରେଣୀରେ ପଢ଼ିଲା ପର୍ଯ୍ୟନ୍ତ ସବୁ ଅଙ୍କ କଷୁଥିଲି । ସିଏ ମତେ ବତେଇ ଦେଉଥିଲା ।
ମୋ ଆଖି ସାମ୍ନାରେ ଏଇସବୁ କଥା ସ୍ପଷ୍ଟଭାବେ ଦୃଶ୍ୟ ହେଉଥିଲା – ସେଦିନ ରେହମତେ ଘାସ ବୋଝକୁ ମୁଣ୍ଡେଇ ଆଗେ ଆଗେ ଚାଲିଥିଲା । ବଦ୍ରୁ ଓ ନୁରା କବରଖାନା ଭିତରେ ନମାଜ ପଢ଼ୁଥିଲେ । ବଦ୍ରୁଙ୍କ ହେନାକରା ଲମ୍ବା ଦାଢ଼ି ନମାଜ ପଢ଼ି ନଇଁଲାବେଳେ ପ୍ରତିଥର ଭୂଇଁ ଛୁଉଁଥିଲା । ତାଙ୍କ ଲକ୍ଷ୍ନୌବାଲା ଢିଲା ସାର୍ଟ ଖଣ୍ଡିକ ଭାରି ମଇଳା ଦିଶୁଥିଲା । କିଛି ଦୂରରେ ଠିଆହୋଇ ମୁଁ ସେମାନଙ୍କୁ ଲକ୍ଷ୍ୟ କରୁଥିଲି । ଏତିକିବେଳେ ହଠାତ୍ ମୋ କାନରେ ପଡ଼ିଲା: ‘ବୋଲେ ସୋ ନିହାଲ୍, ସତ୍ ଶ୍ରୀ ଅକାଲ!’ ଇଏ ତ ଶିଖ୍ମାନଙ୍କ ପ୍ରାର୍ଥନା ଶବ୍ଦ । ତେଣୁ ଭୟ ଓ ଆତଙ୍କରେ ଆମେ ଯିଏ ଯୁଆଡ଼େ ପାରିଲୁ ଧାଁଦଉଡ଼ କରି ପ୍ରାଣ ବଞ୍ଚେଇବାକୁ ଚେଷ୍ଟା କଲୁ ।
ସେଇ ଛାନିଆରେ ବିଚରା ନୁରା ଝୁଣ୍ଟି ତଳେ ପଡ଼ିଗଲା । ପର ମୁହୂର୍ତ୍ତରେ ଘୋଡ଼ାମାନଙ୍କ ଟାପୁ ଶବ୍ଦ ଓ ପରେ ପରେ କେଇଟା ବର୍ଚ୍ଛାର ତୀକ୍ଷ୍ଣ ମୁଁ ତା’ ଶରୀରର ବିଭିନ୍ନ ସ୍ଥାନରେ ବିଦ୍ଧ ହୋଇଗଲା । ପର ମୁହୂର୍ତ୍ତରେ ତା’ର ଅନ୍ତବୁଜୁଳା ବାହାରି ଆସିଲା । କେଇଟା ମୁହୂର୍ତ୍ତ ଲାଗି ଥରି ଥରି ତା’ ଶରୀର ପୁଣି ନିଶ୍ଚଳ ହୋଇଗଲା । ସେଦିନ ତାକୁ ଶେଷ ଥର ପାଇଁ ମୁଁ ଯାହା ଦେଖିଥିଲି । ହଳଦିଆ ଓ ନୀଳ ପୋଷାକପିନ୍ଧା ସେ ଲୋକମାନଙ୍କ ଆଡ଼କୁ ମୁଁ ସେମିତି ଚାହିଁ ରହିଥିଲି ଓ ସେଇ ଜାଗାରେ ସ୍ତବ୍ଧଭାବେ ଠିଆ ହୋଇରହିଥିଲି । ସେତେବେଳକୁ ସେମାନେ ବଦ୍ରୁ ପାଖରେ ପହଞ୍ଚି ସାରିଥିଲେ । ବିଚରା ଧର୍ମପ୍ରାଣ ଆତ୍ମାଟି ଦି’ହାତ ଯୋଡ଼ି ସେମାନଙ୍କୁ ନେହୁରା ହେଉଥିଲା; ବେକରେ ଗୁଡ଼େଇ ହୋଇଥିବା ହଳଦିଆ ସ୍କାର୍ଫ ଓ ହାତରେ ପିନ୍ଧିଥିବା ଲୁହା ବଳାକୁ ଟେକି ଦେଖାଉଥିଲା । ସେ ଶିଖ୍ଧର୍ମ ଗ୍ରହଣ କରିସାରିଛି ବୋଲି ଜହ୍ଲାଦମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ ଚାହୁଁଥିଲା । ତା’ ସାମ୍ନାରେ ଠିଆ ହୋଇଥିଲା ଜଣେ ବିଶାଳକାୟ ନିହାଙ୍ଗ ଶିଖ୍ । ତା’ର ନିଶ ଜମ୍ବୁକ ପୁଚ୍ଛଭଳି ମୋଟା । ସେ ବଦ୍ରୁର ହାତକୁ ଧରି କେଇଥର ଦେଖିଲା ଓ ପର ମୁହୂର୍ତ୍ତରେ ଧାରୁଆ ଖଣ୍ଡାରେ ତା’ ବାହୁମୂଳରୁ କାଟି ଅଲଗା କରିଦେଲା । ବଦ୍ରୁ ପ୍ରାଣରକ୍ଷା ପାଇଁ ଆକୁଳ ମିନତି କରି ଆର ହାତଟି ଟେକିଲା ବେଳକୁ ତା’ର ମଧ୍ୟ ସମଦଶା ହେଲା ।
‘ଏ ହାରାମଜାଦାଟାକୁ ବି ପାକିସ୍ତାନ ପଠେଇଦିଅ ।’ ଏମିତି ଚିତ୍କାର କରି ଜଣେ ମୋ ପାଖକୁ ଚମକି ଆସିଲା । ସେତେବେଳକୁ ‘ପାକିସ୍ତାନ ପଠେଇଦିଅ’ କହିଲେ ମୁସଲମାନ ଲୋକଙ୍କୁ ହତ୍ୟା କର ବୋଲି ଏକ ବିଚିତ୍ର ଆପ୍ତବାକ୍ୟ ଅନେକଙ୍କ ତୁଣ୍ଡରେ ଶୁଣିବାକୁ ମିଳୁଥିଲା । କେହି ଜଣେ ପଛରୁ ଚିତ୍କାର ଛାଡ଼ିଲା, ‘ଆରେ ଓ ପିଟାଟା ଶିଖ, ବୋକା କୋଉଠିକାର… ତାକୁ ଛାଡ଼ିଦିଅ!’ ଯେଉଁ ନିହାଙ୍ଗ ଶିଖ୍ ନୁରା ଛାତିରେ ବର୍ଚ୍ଛା ଭୁଷିଥିଲା ସେହି ଏକଥା କହୁଥିଲା ।
ପର ମୁହୂର୍ତ୍ତରେ ସେ ମୋତେ ଉଠେଇନେଇ ତା’ କୋଳରେ ବସେଇଲା । ମୁଁ ଜାଣିନି ତା’ପରେ କ’ଣ ହେଲା… କାରଣ ସେଇ ମୁହୂର୍ତ୍ତରେ ହିଁ ମୁଁ ଚେତାଶୂନ୍ୟ ହୋଇସାରିଥିଲି ।
ତା’ପର ଦିନ ଯେତେବେଳେ ମୋର ହୋସ୍ ଫେରିଲା, ମୁଁ ଲକ୍ଷ୍ୟକଲି, ଆମ ଘର ବାରଣ୍ଡାରେ ପଡ଼ିଥିବା ଖଟଟା ଉପରେ ମୁଁ ଶୋଇରହିଚି । କାନ୍ଦି କାନ୍ଦି
ମାଆ ଆଖି ଲାଲ ପଡ଼ିଯାଇଛି । ସେ ମୋରି ପାଖରେ ବସି ରହିଥିଲା । ତା’ ଆଖିରୁ ସେମିତି ଲୁହ ଗଡ଼ି ଚାଲିଥିଲା ।
‘ଯାହା ହଉ, ପୁଅଟା ବର୍ତ୍ତିଗଲା । ତୁ ଆଉ ବ୍ୟସ୍ତ ହୁଅନା । କେବଳ ଛାନିଆରେ ତା’ର ଛୋବ ପଳେଇଥିଲା । ଯେତେହେଲେ ଛୋଟ ପିଲାଟା ନା ।’
ବାପା ପାଖରେ ଠିଆହୋଇ ମାଆକୁ ବୁଝେଇ ଚାଲିଥିଲେ । ମାଆ କିନ୍ତୁ ନିଜ ଆଖିରୁ ଲୁହ ପୋଛୁ ପୋଛୁ କହି ଚାଳିଥିଲା, ‘କଥା ସରିଥିଲା ତ… ଆଉ ଦଣ୍ଡେ ଡେରି ହୋଇଥିଲେ ମୋ ପୁଅର କ’ଣ ହୋଇଥାନ୍ତା…?’ ଏତିକି କହି ସେ ମୋ ଦେହମୁଣ୍ଡରେ ପୁଣି ଥରେ ହାତ ବୁଲେଇ ଆଣିଲା ।’
‘କେତେ ଡରିଯାଇଛୁରେ ପୁଅ । ବାହେ ଗୁରୁ ତତେ କୋଟି ପରମାୟୁ ଦେଇଥାନ୍ତୁ । ସଦାବେଳେ ତାଙ୍କରି ଆଶୀର୍ବାଦ ତୋ ଉପର ଥାଉ…’ ନିଜ ଦୁପଟ୍ଟାରେ ମୋ ମୁହଁକୁ ପୋଛି ଆଣିଲାବେଳେ ମାଆ ଗୁଣୁଗୁଣୁ ହୋଇ କହି ଚାଲିଥିଲା… ଭଗବାନ ମଙ୍ଗଳ କରନ୍ତୁ । ତାଙ୍କ କରୁଣା ଆମ ଉପରେ ଏମିମତି ରହିଥାଉ ।
ଏବେ ଯାଅ ; ପୀରବାବା ଓ ସହିଦଙ୍କ ପାଖରେ ମୁଣ୍ଡିଆ ମାରି ଆସ । ତାଙ୍କରି କୃପାରୁ ଆମ ପୁଅ ଜୀବନ ପାଇଲା ।’ ବାବା ମାଆକୁ କହିଲେ । ସେଠାରେ ରୁଣ୍ଡ ହୋଇଥିବା ସାଇପଡ଼ିଶା ଲୋକମାନେ ବି ସମ୍ମିତିରେ ମୁଣ୍ଡ ଟୁଙ୍ଗାରିଲେ । ଏବେ ସହିଦଙ୍କୁ କବର ଦେବାଲାଗି ସେମାନେ ବ୍ୟବସ୍ଥା ଆରମ୍ଭ କଲେ ।
ମୋ ଗଳା କେମିତି ରୁନ୍ଧି ହୋଇଗଲା ପରି ଲାଗୁଥିଲା । ସେଇ ଅବସ୍ଥାରେ ମୁଁ ମାଆ ଆଗରେ କହିଚାଲିଥିଲି – ନୁରା କେମିତି ମଲା । ରେହମତେର ଅବସ୍ଥା ଏବେ କ’ଣ, ତା’ ବିଷୟରେ ସେ କିଛି ଜାଣିଛି କି ବୋଲି ମୁଁ ମାଆକୁ ପଚାରିଲି । ସେ ବି କାନ୍ଦକାନ୍ଦ ହୋଇ କହିଲା ଯେ ଦଙ୍ଗାକାରୀମାନେ ଗାଆଁର ଅନ୍ୟ ମୁସଲମାନ ଝିଅଙ୍କ ସହ ଜୈନା ଓ ରେହମତେଙ୍କୁ ବି ଉଠେଇ ନେଇ ଯାଇଥିଲେ । ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା । ସେମାନଙ୍କ ସଂଖ୍ୟା ପ୍ରାୟ ପଚାଶ ସରିକି ହେବ । ଯାହା କାନ୍ଧରେ ଅର୍ଖ ନୂଆ ହଳଦିଆ ସ୍କାର୍ଫ ପଡ଼ିଥିଲା ଓ ହାତରେ ନୂଆ ଲୁହାବଳା ଥିଲା ସେମାନଙ୍କୁ ସମସ୍ତଙ୍କୁ ହତ୍ୟା କରାଯାଇଥିଲା ।
ଏବେ ଗାଆଁସାରା ସମସ୍ତେ ସହିଦମାନଭ୍କୁ ପ୍ରସାଦ ପରଷିବାକୁ ପ୍ରସ୍ତୁତ ହେଉଥିଲେ । ସେଦସନ ସନ୍ଧ୍ୟା କେମିତି ଅଧିକ ଖାଁ ଖାଁ ଲାଗୁଥିଲା । ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା ବସା ବାନ୍ଧିଥିଲା । ବାବା ଫୁମାନ ସିଂହ ତ ପୂରାପୂରି ହତବାକ୍ ହୋଇ ଯାଇଥିଲେ । ମୁକ ପାଲଟି ସାରିଥିଲେ । ମାତ୍ର ଅଳ୍ପ ସମୟ ପୂର୍ବରୁ କେହି ଜଣେ ଆସି ତାଙ୍କ ଖବର ଦେଇଥିଲାଯେ ଜୀବନସାରା ତାଙ୍କ ଘନିଷ୍ଠ ହୋଇ ରହିଆସିଥିବା ବନ୍ଧୁ ଘନଶ୍ୟାମ ଦାସଙ୍କୁ କିଏ ଭୁଲରେ ହତ୍ୟା କରିଛି । ସେ ତାଙ୍କର ଜରେ ବନ୍ଦୁଙ୍କ ଲାଗି ହଳଦିଆ ସ୍କାର୍ଫଖଣ୍ଡିଏ ଧରି କ୍ଷେତବାଟେ ଯାଉଥିଲେ । ଦଙ୍ଗାକାରୀମାନେ ତାଙ୍କୁ ମୁସଲମାନ ସମ୍ପ୍ରଦାୟର ବୋଲି ଠଉରାଇ ସେଇଠି ହତ୍ୟା କରିଥିଲେ । କାରଣ କିଏ କେଉଁ ଧର୍ମର ସେକଥା ପରଖିବାକୁ ସେମାନଙ୍କ ପାଖରେ ସମୟ ନଥିଲା କି ଧୈର୍ଯ୍ୟ ବି ନଥିଲା । ସେମାନ ସମସ୍ତେ ଲୁଟତରାଜ ଦଙ୍ଗାଫସାଦରେ ବ୍ୟସ୍ତ ଥିଲେ । ଅନ୍ୟ ଗାଆଁ, ଅନ୍ୟ ଇଲାକା, ଅନ୍ୟ ବସ୍ତିକୁ ଯାଇ ସେମାନଙ୍କୁ ଆହୁରି ଲୁଟ ଓ ହତ୍ୟ କରିବାର ଥିଲା । ସେମାନଙ୍କ ଦୃଷ୍ଟିରେ କାନ୍ଧରେ ନୂଆ ହଳଦିଆ ସ୍କାର୍ଫ ପକାଇଥିବା ସମସ୍ତେ ଥିଲେ ସଦ୍ୟ ଧର୍ମାନ୍ତରୀତ ହୋଇଥିବା ଲୋକ ।
ସହୀଦ ପଡ଼ିଆ ନିକଟରେ ସେମାନେ ପ୍ରାର୍ଥନା କଲାବେଳେ ବାବାଜୀ ( ମୋ ଜେଜେବାପା) ତଥାପି ଘନଶ୍ୟାମ ଦାସଙ୍କ କଥା ଭାବି ଚାଲିଥିଲେ । ହଁ, ଏକଥା ସତ ଯେ ସମସ୍ତେ ଦିନେ ନା ଦିନେ ମରିବେ । ଘନଶ୍ୟାମ ଦାସ ବି ମରିଥାନ୍ତେ । କିନ୍ତୁ ଏଭଳି ଅପ୍ରତ୍ୟାଶିତ ଭାବେ ଓ ବିନା କାରଣରେ ତାଙ୍କୁ ହତ୍ୟା କରାଯିବା ଅନ୍ୟମାନଙ୍କ ମନରେ କେମିତି ଏକ ନୂଆ ପ୍ରକାର ଅନିଶ୍ଚିତା ସୃଷ୍ଟି କରିଥିଲା । ବାବାଜୀ ସୁଦ୍ଧା ସେଥିରୁ ମୁକ୍ତ ନଥିଲେ । ଏହା ସ୍ପଷ୍ଟ କରିଦେଇଥିଲା ଯେ ଜଣେ ହିନ୍ଦୁ ହୁଅନ୍ତୁ କି ଶିଖ, ସେମାନେ ଯଦି ନୂଆ ହଳଦିଆ ସ୍କାର୍ଫ ଖଣେ୍ନ ବେକରେ ପକାଇଛନ୍ତି, ତା’ହେଲେ ସେମାନେ ସୁଦ୍ଧା ଛାଡ଼ ପାଇବେନି । ଉପଯୁକ୍ତ ଶାସ୍ତି ପାଇବେ । ତା’ହେଲେ ଧର୍ମାନ୍ତରୀତଙ୍କ ପାଇଁ ନିରାପତ୍ତା ଅବା ଆସିବ କୁଆଡ଼ୁ? ବରଂ ଏମିତି ଦେଖିବାକୁ ଗଲେ, ଯେଉଁମାନେ ଶିଖ୍ ଧର୍ମ ଗ୍ରହଣ କରିନଥିଲେ, ସେମାନେ ଅଧିକ ନିରାପଦ ଥିଲେ । କାରଣ ସେମାନେ ଅଧିକ ସତର୍କ ଥିଲେ । ସେମାନଙ୍କ
ଧରିବା ଏତେ ସହଜ ନଥିଲା । ତେଣୁ ସେମାନେ ରକ୍ଷା ପାଇପାରୁଥିଲେ । ସଚ୍ଚା ମୁସଲମାନମାନେ ଖସି ପଳେଇବାକୁ ସକ୍ଷମ ହେଉଥିବାବେଳେ ଶିଖମାନଙ୍କୁ ହତ୍ୟା କରାଯାଉଥିଲା । ପ୍ରତିଦିନ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ରମାନଙ୍କ ନାମକୁ ପାଞ୍ଚଥର ଓ ଚାଳିଶ ସହିଦଙ୍କ ନାମକୁ ନିଷ୍ଠାର ସହ ଜପୁଥିଲେ ସୁଦ୍ଧା ଏଭଳି ଭୟଙ୍କର ଦଙ୍ଗାକଥା ଭାବି ବାବାଙ୍କ ହୃଦୟ ବିଳାପ କରିଉଠୁଥିଲା । ଶେଷବେଳକୁ ଯେଉର୍ମାନ ସେମାନଙ୍କର ଜନ ସମ୍ପଦ ହରାଇ, ପାପୀମାନଙ୍କ ସହ ଲଢ଼େଇ କରି, ନିଜ ଧର୍ମ ରକ୍ଷା ଲାଗି ପ୍ରାଣବଳି ଦେଇଥିଲେ ଯଦିବା ସେ ସେମାନଙ୍କର ପ୍ରଶଂସା କରିଚାଲିଥିଲେ, ତାଙ୍କ ପାଦ ଦୁଇଟିକୁ ସତେ ଯେମିତି ପଛପଟୁ କିଏ ଖୁଣ୍ଟରେ ରେ ବାନ୍ଧି ପକାଇଥିଲା । ‘ଧର୍ମ ପାଇଁ ପ୍ରାଣବଳି’ ଶବ୍ଦ କେଇଟି ଉଚ୍ଚାରଣ କଲାବେଳେ ତାଙ୍କ ଗଳାକୁ କିଏ ଯେପରି ଚିକି ଧରୁଥିଲା! ଏକଥା ଲକ୍ଷ୍ୟକରି ବାପା ହିଁ ପ୍ରାର୍ଥନାର ଅବଶିଷ୍ଟ ଅଂଶ ପୂରଣ କରିଥିଲେ । ଏସବୁ ପର୍ବ ସରିବା ପରେ ସହିଦମାନଙ୍କ କବର ନିକଟରେ ପ୍ରସାଦ ଦେବାଲାଗି ବାପା ମୋତେ କହିଲେ । ସେମାନଙ୍କ କବର ପାଖରେ ପ୍ରସାଦ ଦେବା ମାତ୍ରେ, ପାଖ ଅଶ୍ୱତ୍ଥ ଗଛ ଡ଼ାଳରେ ବସିଥିବା କୁଆମାନେ ହଠାତ୍ ଉଡ଼ିଆସି ଆଖି ପିଛୁଡ଼ାକେ ସେସବୁ ପ୍ରସାଦ ଖାଇନେଲେ ।
ମୁଁ ମନକୁ ମନ କହିଲି, ‘ସହିଦମାନେ ସେମିତି ଭୋକିଲା ପଡ଼ିଥାନ୍ତୁ ।’
ଏବେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବାପା ପ୍ରସାଦ ବାଣ୍ଟିଲେ ଓ ସେ ଫେରିଯିବାକୁ ବସିଲା ବେଳକୁ ବାବାଜୀ ଆସି ତାଙ୍କ ହାତକୁ ଜାବୁଡ଼ି ଧରିଲେ ।
ପାଖରେ ଥିବା ପୀରବାବାଙ୍କୁ କବର ଆଡ଼କୁ ଅଙ୍ଗୁଳି ଦେଖାଇ ସେ କହିଲେ, ‘ପୁଅକୁ କହ, ପୀରବାବାଙ୍କ କବର ପାଖରେ ବି କିଛି ପ୍ରସାଦ ଚଢ଼ାଉ ।’
ପୀରବାବାଙ୍କ କବରଖାନା ଆଡ଼େ ଚାହିଁବା ମାତ୍ରେ ମୋ ଆଖି ସାମ୍ନାରେ ପୁରାର ମୁହଁ ଜଜଜଳ ହୋଇ ଦିଶିଲା । କ୍ଷେତରେ ଥିବା ଅଶ୍ୱତ୍ଥ ଗଛଟି ମୋତେ ରେହମତେ କଥା ସ୍ମରଣ କରେଇଦେଲା । ସେଇ ଗଛତଳେ ସିଏ ମୋ ଉପରେ ରାଗିଥିଲା । ସିଏ କ’ଣ ପ୍ରେମରେ ମୋ ଉପରେ ଏମିତି ମିଛିମିଛିକା ରାଗିଥିଲା ନା ଘୃଣାରେ! ମୁଁ କିଛି ବୁଝି ପାରୁନଥିଲି ।
ବାବାଜୀଙ୍କ ଆଡ଼େ ଚାହିଁ ବାପା ପଚାରିଲେ, ‘ତୁମେ କି କଥା କହୁଛ ? ପୀରବାବାଙ୍କ କବର ପାଖରେ ପ୍ରସାଦ କାଇଁକି ଚଢ଼େଇବା?’
କ୍ଷେତସୀମା ବାହାରକୁ ନେଇଯାଇ ବାବାଜୀ ବାପାଙ୍କୁ ବୁଝେଇଲା ଭଳି ସ୍ୱରରେ କହିଚାଲିଲେ, ‘ତୋର ସେ ହାଣକାଟ କଥା ମନେଅଛି…?’
ସମ୍ଭବତଃ ସହିଦମାନଙ୍କ ଭୂଇଁରେ ସେ ଏକଥା କହିବାକୁ ସାହସ କୁଳେଇ ପାରୁନଥିଲା ।
କାଳେ ବାବାଜୀଙ୍କ ଧର୍ମବିରୋଧୀ ଆଚରଣରେ ସେମାନେ ଅଭିସମ୍ପାତ ଦେବେ…
‘ହଁ, ହଁ, ମନେଅଛି ।’ ବାପା ମୁହଁକୁ ଶୁଖେଇ କହିଲେ । ‘ଯେଉଁମାନଙ୍କୁ ଧର୍ମାନ୍ତର କରାଯାଇଥିଲା, ସେଇମାନଙ୍କୁ ତ ହତ୍ୟା କରାଯାଇଛି ନା ।’
ତଥାପି ସେ କଥାରୁ କିଛି ଓର ନପାଇଲା ପରି ବାପା ପଚାରିଲେ, ‘ସେଇଠୁ କ’ଣ ହେଲା?’
‘ଯେଉଁମାନେ ଧର୍ମ ପରିବର୍ତ୍ତନ କରିବାକୁ ରାଜି ହେଲେନି, ସେମାନେ ବର୍ତ୍ତିଗଲେ, ସେକଥା ଜାଣିପାରୁଚୁ ନା ନାଇଁ?’
‘ନା, ବୁଝି ପାରିଲିନି ।’
ବାପା କହିଲେ ଓ ବିରକ୍ତ ହେବାପରି ମୁହଁ କଲେ । ‘ହଉ, ତୁ ଯଦି ବୁଝିପାରୁନୁ, ମୋର କିଛି କରିବାର ନାହିଁ ।’ ଏତିକି କହି ବାବାଜୀ ତୁନି ପଡ଼ିଲେ । ବାପାଙ୍କ ଏଭଳି ନିର୍ବୋଧପଣିଆ ଦେଖି ସେ ମନେମନେ ବିଗିଡ଼ି ଯାଇଥିଲେ ।
ଦଣ୍ଡେ ରହିଯାଇ ସେ ପୁଣି ଥରେ ଆରମ୍ଭ କଲେ, ‘ଶୁଣ୍ ।’ ସତେ ଯେପରି ସହିଦମାନେ ତାଙ୍କ କଥା ଶୁଣିପାରିବେ, ସେଇ ଆଶଙ୍କାରେ ସେ ଚୁପ୍ଚାପ୍ ବାପାଙ୍କ ପାଖକୁ ମୁହଁ ଲଗାଇ ଆଣି କହୁଥିଲେ, ‘ଯେଉଁ ମୁସଲମାନମାନେ ନିଜ ଧର୍ମକୁ ଜାବୁଡ଼ିଧରି ରହିଲେ, ସେମାନେ ତ ବର୍ତ୍ତିଗଲେ । ହଁ ନା ନାଇଁ?
ହେଲା, କିଏ ଜାଣେ ଆସନ୍ତାକାଲି ପୀରବାବା ଆମ ସହିଦମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇ ଆସି ପହଁଞ୍ଚିବେ ?’
ଏ କଥାର ଅର୍ଥ ମୁଁ ବୁଝିପାରିଲି ଓ ହଠାତ୍ ଦିବ୍ୟଜ୍ଞାନ ପ୍ରାପ୍ତି ହେବାପରି ଅନୁଭବ କଲି । ପୀରବାବାଙ୍କ କବର ପାଖରେ ପ୍ରସାଦ ରଖିବାକୁ ମୁଁ ଦୌଡ଼ିଗଲି । ବାପା ମୋତେ ଅଟକେଇ ପାରିଲେନି । ସମ୍ଭବତଃ ବାବାଜୀଙ୍କ ଆକ୍ଷେପଭରା କଥା ତଥାପି ବାପାଙ୍କ ବୋଧଶକ୍ତି ବହିର୍ଭୂତ ଥିଲା ।
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.