Latest Odisha News

BREAKING NEWS

ଶିଶୁ ଗପ : ମନର ଠାକୁର

କୁଞ୍ଜ ବିହାରୀ ସାହୁ 

ଏ ବର୍ଷ ଜାକଜମକରେ ଶ୍ରୀ ଜିଉଙ୍କର ରଥଯାତ୍ରା ହେଲା । କାହିଁ କୁଆଡ଼ୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀକ୍ଷେତ୍ରଧାମ ପୁରୀକୁ ଧାଇଁଆସିଲେ । ଠାକୁରଙ୍କ ରୀତି-ନିତି-କାନ୍ତି ସମୟ ଅନୁଯାୟୀ ଅନୁଷ୍ଠିତ ହେଲା । ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ ଦୁଲୁକିଲା । ସାଧୁ ସନ୍ଥଙ୍କର ଗହଳି ଜମିଲା । ଭଜନ -କୀର୍ତ୍ତନ ଚାଲିଲା ।

ମୁଁ ଠାକୁରଙ୍କ ପ୍ରିୟ ଭକ୍ତ । ସବୁବେଳେ ଠାକୁରଙ୍କୁ ସକାଳ ସଞ୍ଜରେ ପୂଜା କରେ । ବିଶ୍ୱାସ କରେ ଠାକୁର ଭକ୍ତଙ୍କର ଡାକ ଶୁଣନ୍ତି । ଶୁକ୍ରବାର ଘୋଷଯାତ୍ରା ଦିନ ପୁରୀକୁ ଯାଇପାରିଲିନି ବୋଲି ମନରେ ଦୁଃଖ ଥିଲା । ମୋ ଗୁରୁଜନ କହିଲେ – ରଥରେ ଠାକୁରଙ୍କୁ ଦେଖିଲେ ଆଶୀର୍ବାଦ ମିଳେ ।

ଶନିବାର ପାହାନ୍ତା ପହରୁ ପୁରୀ ବାହାରିଲି । ଅଧ ବାଟରେ ଝିପିଝିପି ବର୍ଷା ହେଲା । ବାଇକରେ ଯାଉଥିବାରୁ ଓଦା ହେଇଗଲି । ଅନେକ ଗୁଡ଼ିଏ ଗାଡି ପୁରୀ ଆଡେ ଯାଉଥିଲା । ମୁଁ ସାହସର ସହ ସେମାନଙ୍କ ପଛେ ପଛେ ଗଲି । ମନରେ ବହୁତ ଆଶା ଥିଲା । ଯେମିତି ହେଲେ ରଥରେ ବସିଥିବା ତିନି ଠାକୁରଙ୍କୁ ଦେଖିବି । ବାଟମଙ୍ଗଳା ମା ଙ୍କୁ ଦୀପ ବଢେଇ ଦର୍ଶନ କଲି । ଠାକୁରାଣୀଙ୍କ ମଥାରୁ ମନ୍ଦାର ଫୁଲଟିଏ ଖସିଲା । ପୂଜାରୀ ଭାଇନା କହିଲେ – ଯାଅ, ତୁମ ମନସ୍କାମନା ପୂର୍ଣ୍ଣ ହେବ । ବିଶ୍ୱାସ ଆସିଲା ଭାଇନାଙ୍କ କଥାରେ ଅଠରନଳା ପାରିହେଲାବେଳକୁ ବର୍ଷା କମିଯାଇଥିଲା । ମନେ ମନେ ଭାବିଲି ଓଦା ସିନା ହେଇଗଲି କିନ୍ତୁ ଗୁଣ୍ଡିଚାମନ୍ଦିର ପାଖରେ ପହଞ୍ଚିଗଲି । ଖୁସି କହିଲେ ନ ସରେ ।

ଭିଡ଼ ଥିଲା । ଠାକୁରଙ୍କୁ ଦର୍ଶନ କରିବାରେ ଭିଡ଼କୁ ଡରିଲିନି । ମୋ ପିଲାବେଳର ସାଙ୍ଗ ଦେଖା ହେଇଗଲା ।ତା ସହ ମିଶି ନଡିଆ, ଦୀପ କିଣିଲି । ଦୀପ ଜଳେଇଲି । ନନ୍ଦିଘୋଷ ରଥପାଖକୁ ଗଲି । ପୂଜାରୀ ଭାଇନାକୁ ବଢେଇଦେଲି । ସେ ପୂଜା କରିଦେଲେ । ଠାକୁରଙ୍କ ତୁଳସୀ ଧଣ୍ଡା ଦେଲେ । ମୋ ପ୍ରିୟ ଜଗନ୍ନାଥଙ୍କୁ ଆଖି ପୂରେଇ ଦେଖିଲି । ଖୁସି ହେଇଗଲି । ମୋର ମନସ୍କାମନା ପୂର୍ଣ୍ଣ ହେଇଗଲା । ତା ପରେ ତାଳଧ୍ବଜ ଓ ଦେବଦଳନ ରଥ ଚାରିପଟେ ବୁଲିଲି । ବଳଭଦ୍ର ଓ ସୁଭଦ୍ରା ମାତାଙ୍କୁ ଦର୍ଶନ କଲି । ଦୁଇ – ତିନି ମିନିଟ ବର୍ଷା ହେଇଗଲା । ତଥାପି ଠାକୁରଙ୍କ ଦର୍ଶନ କରିବାର ନିଶା ମନରେ ଥିଲା । ମୋ ସାଙ୍ଗ ମୋ ପାଖେ ପାଖେ ଥିଲା । ମୁଁ ଭାବି ନଥିଲି ସତରେ ଏତେ ପାଖରୁ ତିନିଠାକୁରଙ୍କୁ ଦର୍ଶନ କରିବି ବୋଲି ।

ମୋ ସାଙ୍ଗ କହିପକେଇଲା – ଠାକୁର ଭକ୍ତଙ୍କ ମନକଥା ବୁଝନ୍ତି । ତୁ ତ ଚାହୁଁଥିଲୁ ରଥରେ ଠାକୁରଙ୍କୁ ଦର୍ଶନ କରିବୁ ବୋଲି । ଏବେ ଜାଣିପାରିଲୁ ତ ଠାକୁର କେମିତି ଭକ୍ତଙ୍କୁ ହାତ ଠାରି ଡାକନ୍ତି ବୋଲି । ଇଏ ପରା ଜଗତର ନାଥ ଜଗନ୍ନାଥ ।

ପୁଣି ଥରେ ଠାକୁରଙ୍କୁ ଦର୍ଶନ କରି ଘରକୁ ଫେରିଆସିଲି । ମନରେ ଭାବିଲି ସତରେ କାଳିଆ ତୁ ହିଁ ମୋ ମନର ଠାକୁର ।

ଏଲ୍.ଆଇ.ଜି. ୧୫, ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର

Comments are closed.