ଅନୁବାଦ କବିତା : ନଗ୍ନ ନିର୍ଜନ ହାତ
ଜୀବନାନ୍ଦନ ଦାଶ ( ୧୮୯୯ - ୧୯୫୪) ଆଧୁନିକ ବଂଶକ କବିତାର ଜଣେ ପ୍ରଥମ ପୀଢ଼ିର ତଥା ପ୍ରଥମ ଶ୍ରେଣୀର କବି। ବରିସାଲରେ (ବର୍ତ୍ତମାନ ବାଂଲାଦେଶରେ ) ଜନ୍ମିତ ଏହି କବି ସେଠାରେ ପ୍ରାରମ୍ଭିକ ଶିକ୍ଷା ପରେ କୋଲକାତା ପ୍ରେସିଡେନ୍ସି କଲେଜରେ ଇଂରାଜୀ ସାହିତ୍ୟରେ ସ୍ନାତକ ଓ କୋଲକାତା ବିଶ୍ୱ ବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ଅଧ୍ୟାପନା କରୁଥିଲେ।ଅଳ୍ପଦିନ ପାଇଁ କୋଲକାତାର ଏକ ଦୋୖନିକ ସାମ୍ବାଦପତ୍ରର ସାହିତ୍ୟ ବିଭାଗର ସମ୍ପାଦନା ମଧ୍ୟ କରିଛନ୍ତି। ତାଙ୍କର ଅକାଳ ମୃତ୍ୟୁ ପୂର୍ବରୁ ୬ଟି କବିତା ଗ୍ରନ୍ଥ ପ୍ରକାଶିତ ହୋଇଥିଲା। ପରେ ଅଧିକ କିଛି ବହି, କିଛି ଉପନ୍ୟାସ ଓ ପ୍ରବନ୍ଧ ବହି ପ୍ରକାଶ ପାଇଛି। ୧୯୫୪ ମସିହାରେ "ଜୀବନାନନ୍ଦ ଜାଶେର" ଶ୍ରେଷ୍ଠ କବିତା ପୁସ୍ତକ ଭାବେ ଓ ବଙ୍ଗଳା ସାହିତ୍ୟର ପ୍ରଥମ ପୁସ୍ତକ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା। ୧୯୫୪ ମସିହା ଅକ୍ଟୋବର ମାସରେ ଏକ ଟ୍ରାମ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଧୁନିକ ବଙ୍ଗଳା କବିତାରେ ତାଙ୍କ ସ୍ଥାନ ଆମ ଓଡ଼ିଆ କବିତାର ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ଥାନ ସହିତ ତୁଳନୀୟ। ତାଙ୍କ ରଚିତ "ବନଲତା ସେନ " ଏକ ବହୁ ପଠିତ , ବହୁ ଚର୍ଚ୍ଚିତ , ବହୁ ଆଦୃତ ଏକ ରୋମାଣ୍ଟିକ କବିତା ।
ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ
ଆକାଶରେ ପୁଣିଥରେ ଅନ୍ଧକାର ଘନ ହୋଇ ଉଠିଛି।
ଆଲୁଅର ରହସ୍ୟମୟୀ ଯମଜ ଭଳି ଏଇ ଅନ୍ଧକାର
ଯେ ମତେ ଚିରଦିନ ଭଲ ପାଇଛି
ଅଥଚ ଯା’ର ମୁହଁ ମୁଁ କେବେବି ଦେଖି ନାହିଁ
ସେଇ ନାରୀ ପରି
ଫାଲଗୁନ ଆକାଶରେ ଅନ୍ଧକାର ନିବିଡ଼ ହୋଇ ଉଠିଛି।
ମନେ ପଡ଼ୁଛି କେଉଁ ବିଲୁପ୍ତ ନଗରୀର କଥା ସେଇ ନଗରୀର
ଏକ ଧୂସର ପ୍ରାସାଦର
ଚିତ୍ର ଫୁଟିଉଠେ ହୃଦୟରେ।
ଭାରତ ସାଗରର ତୀରରେ
ଅବା ଭୂମଧ୍ୟ ସାଗର କୂଳରେ
ଅଥବା ପୁରାତନ ଫିନିସିଆର ଟାୟାର ସାଗର ବେଳାରେ
ଆଜି ନାହିଁ , ହେଲେ କେବେ ଦିନେ ଥିଲା କୌଣସି ଏକ ନଗରୀ
ଆଉ ଏକ ପ୍ରସାଦ,
ଯାହା ଭରି ରହିଥିଲା ବହୁମୂଲ୍ୟ ସରଞ୍ଜାମରେ
ବେରିନ ତରଙ୍ଗରେ ନିଟୋଳ ମୁକ୍ତା ପ୍ରବାଳ,
ମୋର ବିଲୁପ୍ତ ହୃଦୟ ମୋର ମୃତ ଆଖି,
ଆମର ବିଲୀନ ଆଶା , ସ୍ୱପ୍ନ
ଆଉ ତୁମେ ନାରୀ
ଏଇ ସବୁଥିଲା ଦିନେ ସେଇ ଜଗତରେ।
ଅନେକ କମଳା ରଙ୍ଗର ଖରାଥିଲା।ଅନେକ ଶୁଆ ଓ ପାରା
ମେହେଗନିର ଛାୟା ଘନ ଅନେକ ଡାଳ
ଅନେକ କମଳା ରଙ୍ଗର ଖରା ଥିଲା
ଅନେକ ଖରା କମଳା ରଙ୍ଗର
ଆଉ ତୁମେ ଥିଲ
ତୁମ ମୁହଁର ଚେହେରା ମୁଁ ଦେଖିନାହିଁ
ଖୋଜିନାହିଁ ଶତାଦ୍ଦୀ ଶତାଦ୍ଦୀ ଧରି।
ଫାଲଗୁନର ଅନ୍ଧକାର ନେଇ ଆସୁଛି
ସେଇ ସମୁଦ୍ର ପାରିର କାହାଣୀ,
ଅପରୂପ ଝରକା ଓ ଗମ୍ବୁଜର ବେଦନାମୟ ରେଖା,
ନଷ୍ଟ ହୋଇ ଯାଇଥିବା ନାସପାତିର ଗନ୍ଧ
ଅଜସ୍ର ହରିଣ ଓ ସିଂହ ଛାଲମାନଙ୍କର ଧୁସର ପାଣ୍ଡୁଲିପି,
ରାମଧେନୁ ରଙ୍ଗର କାଚର ଝରକା ,
ମୟୂରର ପୁଚ୍ଛ ପରି ରଙ୍ଗୀନ ପରଦାରେ
କକ୍ଷ ଓ କକ୍ଷାନ୍ତରଠାରୁ ଆହୁରି ଦୂରର
କକ୍ଷ ଓ କକ୍ଷାନ୍ତରର କ୍ଷଣିକ ଆଭାସ
ଆୟୁହୀନ ସ୍ତବ୍ଧତା ଓ ବିସ୍ମୟ।
ପରଦାରେ ଗାଳିଚାରେ ରକ୍ତାଭ ଖରାର ବିଚ୍ଛୁରିତ ସ୍ବେଦ,
ରକ୍ତିମ ଗିଲାସରେ ତରଭୁଜର ମଦ
ତୁମର ନଗ୍ନ ନିର୍ଜନ ହାତ ;
ତୁମର ନଗ୍ନ ନିର୍ଜନ ହାତ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.