Latest Odisha News

ଅନୁବାଦ କବିତା : କବର ତଳର ଭାବନା

ଋଷିଆର ପ୍ରଖ୍ୟାତ କବି ଓ ନାଟ୍ୟକାର ଆଲେକଜାଣ୍ଡାର ବ୍ଲକଙ୍କର ସୃଜନାତ୍ମକ କାର୍ଯ୍ୟକାଳ ଉନବିଂଶ ଶତାବ୍ଦୀରୁ ବିଂଶ ଶତାବ୍ଦୀକୁ ରୂପାନ୍ତର ପ୍ରାୟ ସମାନ ସମୟରେ ଘଟିଥିଲା। ତାଙ୍କର କାବ୍ୟ ସମଗ୍ରକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ସେ କାଳ୍ପନିକ , ରହସ୍ୟବାଦୀ ଓ ଅତନ୍ଦ୍ରିୟତାରେ ବିଶ୍ୱାସ କରୁଥିବା ବେଳେ ପଛକୁ ସେ ରୁଷ ବିପ୍ଳବର ଏକ ଦୃଢ଼ ସମର୍ଥକ ପାଲଟି ଯାଇଥିଲେ। ରୁଷିୟ କବିତାରେ ପ୍ରତୀକର ପ୍ରୟୋଗ କରିବାରେ ଏକ ଅଗ୍ରଣୀ କବି ଭାବେ ମାନ୍ୟତା ପ୍ରାପ୍ତ ବ୍ଲକଙ୍କୁ ଅନ୍ୟ ଏକ ରୁଷିୟ କବି ପାଭେଲ ଆନ୍ତୋକୋଲସ୍କି ରୁଷିୟ କବିତାର ବିବେକ ବୋଲି କହିଛନ୍ତି।ଏ କବିତାଟି ତାଙ୍କ ଶେଷ ପର୍ଯ୍ୟାୟ( ୧୯୧୫ ଓ ପରେ)ର ରଚନା।

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ 

ସେମାନେ ଆମକୁ ଯେବେ ପୋତିଦେବେ ମାଟି ତଳେ
ବହୁ ଗଭୀରରେ
ସବୁଜ କୋମଳ ଘାସ କଅଁଳିବ
ଆମର ସେ କବର ଉପରେ
ଶୁଣାଯିବ ଟୁପଟାପ୍ କ୍ଷୀଣ ଶବ୍ଦ ସେହି ମାଟି ପରେ
ଲାଗିବ ପଡ଼ୁଛି ସତେ ଦୂରେ, ବହୁ ଦୂରେ, ବହୁତ ଉର୍ଦ୍ଧ୍ବରେ ।

ଆମେ ଯେବେ ଉଠିଯିବୁ ସେ ନିଶ୍ଚଳ ନିଦ୍ରାର ଶେଯରୁ
ଦରକାର ହେବ ନାହିଁ କହିବାକୁ ଆମକୁ ବୁଝାଇ
ବର୍ଷା ଯଦି ଛାଡ଼ି ଯାଇଥାଏ
ତେବେ ସେଇଟା ହେମନ୍ତ ନିଶ୍ଚୟ
ଆଉ ଯଦି ବସନ୍ତ ଆସିଛି
ନିଶ୍ଚେ ଥିବ ଶୀତଳ ମଳୟ।

ଆମେ ହେବା କୃତଜ୍ଞ , ଯେହେତୁ ଉପରର ସେ ଶବ୍ଦ ଗହଣେ
ଉଲ୍ଲାସ ବା ଅଭିଳାଷ ଜୋର କରି ପଶି ପାରିବେନି
ଆମକୁ କରିବ ରକ୍ଷା ଏ ସମାଧି ଶିଳାର ଓଜନ
ପ୍ରେମ ଆଉ ବିଚ୍ଛେଦର ଯନ୍ତ୍ରଣା ତ ଦାଉ ସାଧିବେନି।

ଲୋଡ଼ା ନାହିଁ କରିବାକୁ ଦ୍ରୁତ କିଛି
ଏ ଜଗତ ଆରାମଦାୟକ
କରିହୁଏ ଅନୁମାନ ଏଇଠାରେ ଥାଇ ସହଜରେ
ଏ ମଣିଷ ମନ, ଜୀବନର ଅର୍ଥ ଏବଂ ଅର୍ଥହୀନତାର
କଥା ଚିନ୍ତା କଲାବେଳେ
କ’ଣ ସତେ ବୁଝେ ପ୍ରକୃତରେ ।

ଅନୁବାଦ : ମନୋରଞ୍ଜନ ହୋତା 

Comments are closed.