Latest Odisha News

ଆଇନଜୀବୀ ଦିବସରେ ମଧୁ ବିଚାରର ଆହ୍ୱାନ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜଣ ଜୟନ୍ତୀ ଉପଲକ୍ଷେ

ବିଭୁ ପ୍ରସାଦ ତ୍ରିପାଠୀ 

ସାରା ରାଜ୍ୟରେ ଆଜି ଆଇନ୍‌ଜୀବୀ ଦିବସ ପାଳନ ଅବସରରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୁଦନ ଦାସଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତା ଆହୁରି ଉଦ୍‌ଜୀବୀତ ହୋଇଉଠୁଛି । ବିଧାନସଭା ଓ ସଂସଦରେ ଦକ୍ଷ ଆଇନ୍‌ଜୀବୀମାନଙ୍କ ପ୍ରତିନିଧିତ୍ୱ ଧିରେ ଧିରେ ହ୍ରାସ ପାଇବା, ଆଇନ୍ ପ୍ରଣୟନ ବେଳେ ଗୃହରେ ବୌଦ୍ଧିକ ବିତର୍କର ସଂଖ୍ୟା ଓ ଗୁଣାତ୍ମକ ମାନ କମୁଥିବା ବେଳେ ମଧୁବାବୁଙ୍କ ଚିତ୍ର ଆମ ଆଖି ସାମ୍ନାକୁ ଆସେ । ସମାଜରେ ସାଧାରଣ ଗରିବ ଲୋକଟି ଆର୍ଥିକ ସମ୍ବଳର ଅଭାବରେ ସର୍ବୋଚ୍ଚ ନ୍ୟାୟପାଳିକାଠାରୁ ଆରମ୍ଭ କରି ନିମ୍ନ ଅଦାଲତରେ ଜଣେ ଦକ୍ଷ ଆଇନ୍‌ଜୀବୀଙ୍କୁ ନିଜର ଓକିଲ ହିସାବରେ ନିଯୁକ୍ତି ଦେବା ପ୍ରସଙ୍ଗଟି ଯେତେବେଳେ ଆସେ ସେତେବେଳେ ମଧୁ ବିଚାରଧାରାର ପ୍ରାସଙ୍ଗକିତା ଦେଖାଦିଏ । କେବଳ କୋର୍ଟ କଚେରୀ ନୁହେଁ ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ଆଇନ୍‌ଜୀବୀମାନଙ୍କର ବିଶ୍ୱସନିୟତା, ଭାବମୂର୍ତ୍ତି ଓ ନ୍ୟାୟିକ ସାଧୁତାର ପ୍ରସଙ୍ଗଟି ଉପରେ ଯେତେବେଳେ ସମାଜ ଅଙ୍ଗୁଳି ନିର୍ଦ୍ଦେଶ କରେ ସେତେବେଳେ ମଧୁ ଆଦର୍ଶ ଆଇନ୍‌ଜୀବିମାନଙ୍କ ନିକଟରେ ନୁଆ ଆହ୍ୱାନ ସୃଷ୍ଟି କରିଛି ।

ନିଜ ମାଟି ମା’ ଓ ଭାଷା ପାଇଁ ନିଜ ଜାତିର ଉନ୍ନତି ପାଇଁ ସଂକୀର୍ଣ୍ଣମନା ସ୍ୱାର୍ଥ ଛାଡ଼ି ନିଜେ ସଳିତା ଭଳି ଜଳି ଜଳି ଅନ୍ୟମାନଙ୍କୁ ଆଲୋକିତ, ଉଦ୍‌ଭାଷିତ କରିବାରେ ମଧୁବାବୁ ଆଇନ୍‌ଜୀବୀମାନଙ୍କ ପାଇଁ ବହୁମୁଖୀ ପ୍ରେରଣା । ଓକିଲାତି ବୃତ୍ତିରେ ପ୍ରଥମ ଶ୍ରେଣୀ ବୁଦ୍ଧିର ଆବଶ୍ୟକତା ନାହିଁ, ଏଥିପାଇଁ ସାମାଜିକ ପ୍ରତିବଦ୍ଧତାର ଆବଶ୍ୟକତା ଥିବା ଉପଲବ୍ଧି କରି ମଧୁବାବୁ ୧୯୧୦ ମସିହାରେ ରେଭେନ୍ସା କଲେଜ୍‌ର ଅଧ୍ୟକ୍ଷ ବିପିନ୍ ବିହାରୀ ଗୁପ୍ତାଙ୍କ ଫଟୋ ଉନ୍ମୋଚନ ଦିବସରେ ଦେଇଥିବା ଅଭିଭାଷଣର ପ୍ରାସଙ୍ଗିକତା ଆଜି ମଧ୍ୟ କୋର୍ଟ କଚେରୀରେ ପ୍ରତ୍ୟୟମାନ ହୁଏ । ବାରିଷ୍ଟରୀ ପାସ୍ ନ କରିଥିଲେ ମଧ୍ୟ ନିଜର ଓକିଲାତି ଢ଼ଙ୍ଗ, ଉଚ୍ଚକୋଟିର ବିଚକ୍ଷଣତା ସମାଜ ପ୍ରତି ପ୍ରତିବଦ୍ଧତା ସାଧାରଣ ଲୋକଙ୍କ ପାଖରେ ତାଙ୍କୁ ମଧୁ ବାରିଷ୍ଟର ନାମରେ ପରିଚୟ ଦେଇଥିଲା ।

ବଙ୍ଗ, ବିହାର, ଓଡ଼ିଶା ଓ ଆସାମର ଅପିଲ୍ ମକବ୍ଦମାଗୁଡ଼ିକର ବିଚାର ସେତେବେଳେ କଲିକତାଠାରେ ହେଉଥିଲା । ସେହି ଦୃଷ୍ଟିରୁ କଲିକତାରେ ମଧୁବାବୁ ଓକିଲାତି ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶାରେ ଆଇନ୍ ପେଶାର ମାନ ବୃଦ୍ଧି ପାଇଁ ସେ ଓଡ଼ିଶା ଫେରି ଆସିଥିଲେ। କଲିକତା ହାଇକୋର୍ଟର ତତ୍‌କାଳିନ ପ୍ରଧାନ ବିଚାରପତି ସାର୍ ରିଚାର୍ଡ଼ ଗାର୍ଥ ତାଙ୍କୁ ଥରେ କଥା ପ୍ରସଙ୍ଗରେ କହିଥିଲେ ଆପଣମାନେ ତ କଲିକତାରେ ରହିଲେ, ତଳକୋର୍ଟରୁ ଭଲ ଭାବରେ ପ୍ରସ୍ତୁତ ହୋଇଥିବା ମକବ୍ଦମା ଆସିଲେ ତ ଆପଣମାନେ ନିଜର ପ୍ରତିଭା ଦେଖାଇ ପାରିବେ, ନଚେତ୍ ଅପିଲ୍‌ ପାଇଁ ଯୋଗ୍ୟ ବହୁ ମକବ୍ଦମା ଉପଯୁକ୍ତ ଭାବେ ନିମ୍ନ ଅଦାଲତରେ କରାନଗଲେ ତାହା ଅପିଲ୍ ଯୋଗ୍ୟ ହୋଇ ରହିବ ନାହିଁ । ଏଥିପାଇଁ ଉଦୀୟମାନ ଓକିଲମାନେ ନିମ୍ନ ଅଦାଲତରେ କିଛି ଦିନ ଓକିଲାତି କଲେ ଓକିଲାତି ପେଶାର ମାନ ବୃଦ୍ଧି ପାଇବ । ଏହି କିଛି ପଦ କଥା ମଧୁବାବୁଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।

୧୮୮୧ ମସିହାରେ ମଧୁବାବୁ କଟକରେ ଓକିଲାତି ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଓଡ଼ିଶାର ଗଡ଼ଜାତମାନଙ୍କରେ ମହାଜନଙ୍କ ଧନ ଅସୁଲ ସମ୍ବନ୍ଧରେ ବହୁଦିନରୁ ଚାଲିଥିବା ଚାଷିମାନଙ୍କ ସମସ୍ୟା ସମ୍ପର୍କରେ ଓଡ଼ିଶା ଗଡ଼ଜାତ କମିଶନର କୋର୍ଟରେ ମଧୁବାବୁ ଆଇନ୍‌ର ତର୍ଜମା କରି ଚାଷୀମାନଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ୧୮୮୭ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିରର ରାଜାଙ୍କ ପାରମ୍ପରିକ ଅଧିକାର ସମ୍ବନ୍ଧରେ କଲିକତାରେ ଯେଉଁ ବିଚାର ହୋଇଥିଲା, ସେଥିରେ ରାଜାଙ୍କ ତରଫରୁ ମୁଳ ମକବ୍ଦମାର ଓକିଲ ମଧୁବାବୁ ଯେଉଁ ଅର୍ଜି ବା ଚିଠାଟି ପ୍ରସ୍ତୁତ କରିଥିଲେ, ତାହା ସବୁ ସ୍ଥଳରେ ପ୍ରଶଂସିତ ହୋଇଥିଲା । ଏହାର ଫଳସ୍ୱରୁପ ବହୁ ଗଡ଼ଜାତ ରାଜା ଓ ଜମିଦାର ମଧୁବାବୁଙ୍କୁ ସେମାନଙ୍କ ଆଇନ ପରାମର୍ଶଦାତା ରୂପେ ନିଯୁକ୍ତି ଦେଇଥିଲେ ।

ଆଜି ଯେତେବେଳେ ଆମ୍ଭମାନଙ୍କ ନିକଟରେ ଆତ୍ମକେନ୍ଦ୍ରିକ ସ୍ୱାର୍ଥ-ସର୍ବସ୍ୱ ଚେତନାର ପ୍ରାଧନ୍ୟ ବେଶୀ ପ୍ରକାଶିତ ହେଉଛି, ସେତେବେଳେ ମଧୁବାବୁଙ୍କ ଚରିତ୍ରଟି ଆମମାନଙ୍କୁ ଆତ୍ମ ନିରୀକ୍ଷଣ କରିବାକୁ ଆହ୍ୱାନ ଯୋଗାଉଛି । ସେତେବେଳେ ପ୍ରକାଶ ପାଉଥିବା ଉତ୍କଳ ଦୀପିକାରେ ମଧୁବାବୁଙ୍କୁ ଏକ ଉଚ୍ଚଶ୍ରେଣୀର ଓକିଲ ଭାବେ ପ୍ରତିପାଦିତ କରାଯାଇଥିଲା । ଆଜିର ସମାଜରେ ସେଭଳି ମର୍ଯ୍ୟାଦା ସମ୍ପନ୍ନ ଆଇନ୍‌ଜୀବୀଙ୍କ ସଂଖ୍ୟା ବିରଳ ।

ମଧୁବାବୁ ଜଣେ ସ୍ୱାଧୀନଚେତା ନିର୍ଭୀକ ଆଇନ୍‌ଜୀବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ୧୯୦୨ ମସିହା ମାନସିଂହ ପାଟଣା ଅଳଙ୍କାର ଡ଼କାୟତି ମକବ୍ଦମାରେ ତତ୍କାଳୀନ ଥାନାଧିକାରୀଙ୍କ ସହିତ ମଧୁବାବୁଙ୍କ ମନୋମାଳିନ୍ୟ ଥିବାରୁ ସେ ଗୁପ୍ତରେ ରିପୋର୍ଟ କରିଥିଲେ । ଏହି ଡ଼କାୟତି ଘଟଣାରେ ମଧୁବାବୁଙ୍କ ସମ୍ପୃକ୍ତତା ରହିଛି, ମଧୁବାବୁଙ୍କ ଅଳଙ୍କାର କାରଖାନାରେ ପୁରୁଣା ସୁନା ରଖାଯାଇଛି ବୋଲି କୁହାଯିବା ସତ୍ତ୍ୱେ ମଧ୍ୟ ସେଥିରେ ସେ ଆଦୌ ବିଚଳିତ ହୋଇ ପଡ଼ିନଥିଲେ । ପରବର୍ତ୍ତୀ ଅବସ୍ଥାରେ ସେହି ଡ଼କାୟତମାନଙ୍କ ପାଇଁ, ସେ ମକବ୍ଦମା ଲଢ଼ିବା ଓ ଜଣେ ଉଚ୍ଚପଦସ୍ଥ ପୋଲିସ୍ ଅଫିସର କଟକ ଆସି ଏହି ଘଟଣାର ତଦନ୍ତ କରି ମଧୁବାବୁଙ୍କର କୌଣସି ସମ୍ପୃକ୍ତି ନଥିବା, ରିପୋର୍ଟ ଦେବା ପରେ ସରକାରଙ୍କ ତରଫରୁ ମଧୁବାବୁଙ୍କୁ କ୍ଷମା ପ୍ରାର୍ଥନା କରାଯିବା ଘଟଣାରେ ମଧୁବାବୁଙ୍କ ସମ୍ମାନ ଓ ପ୍ରତିଷ୍ଠା ଆହୁରି ବୃଦ୍ଧି ପାଇଥିଲା ।

ମଧୁବାବୁ ତାଙ୍କ ଓକିଲାତି ବୃତ୍ତିର ବୌଦ୍ଧିକ ଦିଗଟିକୁ କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ କରିନଥିଲେ । ୧୯୯୧ ମସିହାରେ କେନ୍ଦୁଝର ରାଜାଙ୍କ ଓକିଲ ହିସାବରେ କଲିକତାର ବଡ଼ ବଡ଼ ହାକିମମାନଙ୍କ ସହିତ କଥାବାର୍ତ୍ତା କରି ୧୯୮୨ ରେ ରାଜସ୍ୱ ବନ୍ଦୋବସ୍ତରେ ପ୍ରଜାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସ୍ମାରକ ପତ୍ର ଦେଇଥିଲେ । କଟକରେ କୁଷ୍ଠାଶ୍ରମ ସ୍ଥାପନ, ଉତ୍କଳ ସଂସ୍କୃତି ସମିତି, ଓଡ଼ିଶା ନିମନ୍ତେ ଚିରସ୍ଥାୟୀ ବନ୍ଦୋବସ୍ତ ଦାବୀ ଉପସ୍ଥାପନ କରିବାରେ ଅଗ୍ରଣୀ ଭୁମିକା ନେଇଥିବା ମଧୁବାବୁ ବଙ୍ଗ ବ୍ୟବସ୍ଥାପକ ସଭାର ସଭ୍ୟ ଭାବେ ମନୋନୀତ ହୋଇଥିଲେ । ଯଦିଓ ଦ୍ୱିତୀୟଥର ବଙ୍ଗ ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ ଓ କଲିକତାର ବାଲିଗଞ୍ଜରେ କୋଠାଟିଏ ମଧ୍ୟ ଭଡ଼ା ନେଇଥିଲେ, କିନ୍ତୁ ସମସ୍ତଙ୍କର ଅନୁରୋଧ ସତ୍ତ୍ୱେ ମଧ୍ୟ ଓକିଲାତିକୁ ଅର୍ଥ ରୋଜଗାରର ମାଧ୍ୟମ ବୋଲି ନଭାବି ଓଡ଼ିଶାରେ ରହି ଓଡ଼ିଆ ଲୋକଙ୍କ ସେବା କରିବା ତାଙ୍କର ମୁଖ୍ୟ ଦୃଷ୍ଟିଭଙ୍ଗୀ ରହିଥିଲା । ବିଲାତରେ ଓଡ଼ିଆ ଶିଳ୍ପ ପ୍ରଦର୍ଶନ କରିବା, ଓଡ଼ିଶା ଅଳଙ୍କାର କାରଖାନା ଓ ଓଡ଼ିଶା ଶିଳ୍ପ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ଅନନ୍ୟ ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଭାରତୀୟ ଖ୍ରୀଷ୍ଟିଆନ ଆଇନ ବିବାହରେ ସଂଶୋଧନ ଆଣିବା ପାଇଁ ତାଙ୍କ ପ୍ରଚେଷ୍ଟା ଠାରୁ ଆରମ୍ଭ କରି ବଙ୍ଗ ବିଧାନସଭାରେ ଓଡ଼ିଶା ଶିକ୍ଷାବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ପାଇଁ ଦାବି ଉଠାଇବା ପ୍ରସଙ୍ଗରେ ତାଙ୍କର ଶାଣିତ ମନ୍ତବ୍ୟ ଆଜିର ଆଇନଜୀବୀ ସମାଜକୁ ପ୍ରଭାବିତ କରିବାର ଆବଶ୍ୟକତା ରହିଛି । ବହୁ ଅର୍ଥ, ସମୟ ଓ ଶକ୍ତି ବ୍ୟୟ କରି ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରିବା ଓ ମହାତ୍ମା ଗାନ୍ଧୀଙ୍କର ସେହି ଟ୍ୟାନେରୀକୁ ପରିଦର୍ଶନ କରିବା ପାଇଁ ତାଙ୍କର ଉଦ୍ୟମ ତାଙ୍କ ଦେଶପ୍ରେମର ଆଉ ଏକ ଅନାଲୋଚିତ ଦିଗ ବୋଲି କୁହାଯାଇପାରେ ।

ଜାତୀୟ ଜୀବନ ଓ ବ୍ୟକ୍ତିର ସମ୍ପର୍କ ସମ୍ବନ୍ଧରେ ତାଙ୍କର ଉଦାହରଣ ଆଜି ନ୍ୟାୟପାଳିକାର ସାଧୁତା ନିରପେକ୍ଷତା ଭାବମୂର୍ତ୍ତି ରକ୍ଷା ପାଇଁ ନିର୍ଭୀକ ସ୍ୱାଧୀନ ଚେତନା ଓ ସ୍ୱାଭିମାନୀ ଆଇନ୍‌ଜୀବୀମାନଙ୍କ ପାଇଁ ତାରକମନ୍ତ୍ର । ସେ କହିଥିଲେ ଆମ୍ବର ଟାକୁଆ ପୋତିଲା ପରେ ଟାକୁଆ ପଚିବ ଓ ସେ ପଚିଲା ପରେ ଗଛ ଉଠିବ, ସେହିପରି ଯହିଁରୁ ଜାତୀୟ ଜୀବନ ଉଠିବ, ସେ ମରିବ ସେ ପଚିବ । ଆଜି ଆଇନ୍‌ଜୀବି ଦିବସରେ ମଧୁ ଚେତନାରେ ଆଇନ୍‌ଜୀବିମାନେ ଉଦ୍‌ବୃଦ୍ଧ ହୋଇ ନିଜର ପେଷା ଓ ନ୍ୟାୟପାଳିକା ଓ ସ୍ୱାଧିନତା ରକ୍ଷା ପାଇଁ ସଂକୀର୍ଣ୍ଣତା ଛାଡ଼ି ଏକତ୍ରିତ ହେଲେ ତାହା ହେବ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ଆଇନ୍‌ଜୀବୀ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ

Leave A Reply

Your email address will not be published.