Latest Odisha News

BREAKING NEWS

ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି

ମୂଳ ମରାଠୀ: ଦିଲିପ ଚିତ୍ରେ

ଛକ ବେକେରୀରେ ରାତି ଅଧରେ
ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ
ମୁଁ ମନେ ପକାଏ ପିଲାଦିନର ରେହମାନକୁ
ଆଉ ତା’ର ଢଳଢ଼ଳ ଆଖି
ମୋ ସହ କ୍ୟାରମ ଖେଳ ।

ଛକ ବେକେରୀରେ ରାତି ଅଧରେ
ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ
ମୁଁ ଏକୁଟିଆ ବସି କେବିନରେ ମଦ ପିଉଥାଏ,
ମୋ ଆଗରେ ଫ୍ରାଏଡ କଲିଜାର ଥଣ୍ଡା ଥଣ୍ଡା ଖଣ୍ଡ
ମୋର ସବୁ ସାଙ୍ଗ ଗଲ୍ଫକୁ ଚାଲି ଯାଇଛନ୍ତି ।

ଛକ ବେକେରୀରେ ରାତି ଅଧରେ
ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ

ପଡ଼ୋଶୀ ପଠାଣର ବିବି ସିଧା ମୋ କ୍ୟାବିନକୁ ପଶିଆସେ
ଆଉ ଦରଜା ବନ୍ଦ୍‍କରି ମୋତେ ପଛକରି ଠିଆହୁଏ
ମୁଁ କହେ, କିସି ଔର କେ ପାସ୍‍ ଯାଓ ଭାଭୀ ।

ଡବଲରୁଟି ଫୁଲିବା ଆରମ୍ଭ ହେଲା ମାତ୍ରେ
ପୂରା ମହଲାର ଗନ୍ଧ ପଶିଯାଏ ମୋ ନାକପୁଡାରେ ।

ଅନୁବାଦ: ସରଳ କୁମାର ଦାସ

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ୱର, ୭୫୧୦୧୨
ମୋ: ୯୪୩୭୦୩୮୦୧୫

Leave A Reply

Your email address will not be published.