ବଳରାମ ପୂଜାରୀ
ଏଇ ତ ସବୁଜିଆ ସ୍ୱର୍ଗ
ପାଦତଳେ ପରସ୍ତ ପରସ୍ତ ପରିସ୍ଥିତି,
ମଥାନ ଉପରେ ନୀଳଲେସା ସ୍ୱପ୍ନ,
ଆମ ଧାରେ ହସରେ ଫିକ୍ କିନା ହସିଦିଏ ଝରଣା,
ପାହାଡର ଛାତି କୁରୁଳେ ,
ଅଟକି ଯାଆନ୍ତି, ଗର୍ଭମୁକ୍ତ ମେଘମାନେ
ସବୁ ଅଭାବିପଣ
ଏଇଠି ଆଣ୍ଠେଇପଡେ ,
ସବୁ ଜଞାଳ, ସବୁ ଭୋକମାନଙ୍କୁ
ପାହାଡ ଚଢା ଜଣା ନଥାଏ ?
ଏଇ ପଥର ପୃଥିବୀରେ ଆମେ ଗଢିପାରୁ
ସ୍ୱର୍ଗ ମୁହାଁ ସୁଖମାନଙ୍କ ‘ସୁଧର୍ମା ସଭା’ ।।
ମହଣ ମହଣ ମୂହୁର୍ତ୍ତମାନେ ଏଇଠି
ଆଉଜେଇ ହୁଅନ୍ତି ,
ଖରା ପିଠିଆ ଅମ୍ଳଜାନମାନେ
ଜନ୍ମ ନିଅନ୍ତି, ଗଛବୃଛର ପତର ସନ୍ଧିରୁ
ଏଇଠି ,ଝରଣା କେତେବେଳେ ଗର୍ଭବତୀ ହୁଏ ତ
ଆଉ କେବେ ଅପପୃଷ୍ଟିଆ ଦିହ ନେଇ
ଦୁଲ୍ ଦାଲ୍ କଚାଡି ହୁଏ,
ପାହାଡ ଖୋଲରୁ,
ଥୁଡୁଥୁଡିଆ କଣ୍ଠରେ ଗୀତ ଗାଏ ଶୀତ,
ଲାଲ୍ ଲାଲ୍ ମାକଂଡିଆ ପଥରରେ ଲେଖାହୁଏ
ଜୀବନ ବେଦର ନିରିହ ‘ଭୋକ ଭାଗବତ’ ।।
ଏଇଠୁ ,ଆମେ ରାତିରେ ଦେଖୁ
କୁହୁଡିଲେସା ଜହ୍ନର ଶୀତୁଆ ମୁଁହ,
ସାରା ରାତି ମାଙ୍କଡ଼ମାନଙ୍କ ବାହାଘର,
ମହୁ ,ମହୁଲ ,କେନ୍ଦୁ କାନ୍ଦୁଲରେ ବଣଭୋଜି ,
ଢାଲୁଆ ଡଂଗରରୁ ସ୍ୱର୍ଗ ଅଳପ ବାଟ ,
ଏଇଠି ଆମ ହାତ ପାହାନ୍ତାରେ ଆକାଶ,
ଟିକିଏ ଖେଞ୍ଚି ଦେଲେ ଖସି ପଡନ୍ତି
ସୁଖିଲା ପାଚିଲା ପୁଞ୍ଜା ପୁଞ୍ଜା ତାରାଫୁଲ,
ତୁଳସୀ ଡଂଗରରେ ଓହ୍ଲାଇ ଆସନ୍ତି
ଆମ ଡୁମା, ଡାହାଣୀ ଓ ଦିଅଁ ଦେବତା ମାନେ ।
ଏଇଠୁ, ଉଡାନ୍ ଭରନ୍ତି
ଆମ ଦର ପାଚିଲା ସ୍ୱପ୍ନ,
ଅଧାଗଡା ଆୟୁଷ,
ଅବଦମିତ ଆକାଂକ୍ଷା,
ଏଇଠୁ ପୁରୁଷାର୍ଥ ହୂଏ
ଆମ ପରମାୟୁର ପରିମିତି,
ଭୂମି ଓ ଆକାଶ ଭିତରେ ଯୋଡି ହୋଇଯାଏ ,
ଏଇ ଉଚ୍ଚାଙ୍ଗ ଅଟ୍ଟାଳିକା ,
ଆମ ଆବାହନ ରେ ଥାଏ
ନିରିହ ପଣର ପଣତେ କୋହ ,
ଏଇଠି ଭୂମିଷ୍ଠ ହୁଅନ୍ତି ଅଗଣିତ ଆରାଧ୍ୟ୍ୟା,
ସବୁ ସ୍ୱର୍ଗୀୟ ଆଶୀର୍ବାଦମାନେ
ପେଟଭର୍ତ୍ତି ସୁଖ ସୌଭାଗ୍ଯ ନେଇ ,
ଚୁପ୍ ଚାପ୍ ଓହ୍ଲାଇ ପଡନ୍ତି
ଆମ ଭୂଜା ଖିଆ ଚାଙ୍ଗୁଡ଼ିରେ ।।
କୁଡୁମୁଲୁଗୁମ୍ମା, ମାଲକାନଗିରି
୯୬୬୮୬୮୮୪୭୪
Comments are closed.