Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୫

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ ଥରେ ଚାଖିଲେ ଦୁନିଆର ସମସ୍ତ ସ୍ୱାଦିଷ୍ଟ ପଦାର୍ଥ ସ୍ୱାଦ ହୀନ ଲାଗେ। ସେଥିପାଇଁ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି :
“ଖଣ୍ଡ ଖଣ୍ଡ ଗୁଡ଼ ଚିନି ଫେଣି ନବାତ ଶାକର, ନାମ ସ୍ୱାଦ ଲାଗିଲେ ଏମାନେ ହୁଅନ୍ତି ଦୂର, ଯାହାର ଜିହ୍ୱାରେ ନାମ ସ୍ୱାଦ ଲାଗିଥାଇ ଜିହ୍ୱାକୁ ଯେ ଅନ୍ୟଦ୍ରବ୍ୟ ସ୍ୱାଦ ନ ଲଗାଇ, (ମନ୍ମଥ ଚନ୍ଦ୍ରିକା ) ଏହାକୁ ମହାତ୍ମା ରୂପଗୋସ୍ୱାମୀ ନିଜ ରଚନାରେ ଆହୁରି ରସାନ୍ୱିତ କରି ପରିବେଷଣ କରିଛନ୍ତି ଯଥା —

“ତୁଣ୍ଡେ ତାଣ୍ଡବିନୀ ରତିଂ ବିତନୁତେ ତୁଣ୍ଡବଳୀଂ ଲବ୍ଧୟେ, କର୍ଣକ୍ରୋଡ କଦମ୍ବିନୀ ଘଟୟତେ କର୍ଣ୍ଣାବୃଦେଭ୍ୟ ସ୍ପୃହାମ, ଚେତ ପ୍ରାଙ୍ଗଣସଙ୍ଗିନୀ ବିଜୟତେ ସର୍ବେନ୍ଦ୍ରିୟାଣାଂ କୃତିମ ନୋ ଜାନେ ଜନିତା କିୟଭିରମୃତୈ କୃଷ୍ନେତି ବର୍ଣଦ୍ୱୟୀ। (ବିଦଗ୍ଧ ମାଧବ ନାଟକ )।

ଅର୍ଥାତ କୃଷ୍ଣ ନାମ ମୁଖରେ ନଟି ପରି ନୃତ୍ୟ କଲେ, ଅନେକ ତୁଣ୍ଡ ପାଇଁ ରତି ବିସ୍ତାର କରେ। ଯଦିକର୍ଣ୍ଣରେ ପ୍ରତିଧ୍ବନିତ ହୁଏ। ତେବେ ଦଶ କୋଟି କର୍ଣ୍ଣର ସ୍ପୃହା ବୃଦ୍ଧି କରେ। ଏହି ନାମ ଚିତ୍ତରେ ଅଙ୍କୁରିତ ହେଲେ ଇନ୍ଦ୍ରିୟମାନେ ପରାଜିତ (ବଶୀଭୂତ )
ହୁଅନ୍ତି। ଏଥିରୁ ନାମ ଅମୃତରପୂର୍ଣ୍ଣତା ପ୍ରକାଶ ପାଏ। ନାମ ଭଜନରେ କେବଳ ଇନ୍ଦ୍ରିୟ ବଶୀଭୂତ ହୁଏନି, ସମସ୍ତ ସାଂସାରିକ ଭୟ ମଧ୍ୟ ଦୂର ହୁଏ। ଏହା ସ୍ୱୟଂ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି। କବି ଦୀନକୃଷ୍ଣଦାସଙ୍କ ରଚିତ “ନାମରତ୍ନ ଗୀତା” କହେ, “ତେଣୁ କରି ଅର୍ଜୁନ ମୁଁ କହୁଅଛି ତୋତେ, ନାମକୁ ଭଜନ କରି ଲୟ କର ମୋତେ, ମୋହ ନାମ ଭଜିଲେ ଆନକୁ ନାହିଁ ଡର, ଚିତ୍ତ ଶୁଦ୍ଧି କରି ହୃଦପଦ୍ମେ ଲୟ କର। ”

ଗୋଟିଏ ସଂସାରୀ ପାଇଁ ମଧ୍ୟ ଏହି ନାମର ଅନେକ ମହତ୍ୱ ଅଛି। ସାଧାରଣ ଭାବରେ କହିଲେ ସଂସାରର ସମସ୍ତ ବସ୍ତୁ ପ୍ରାପ୍ତି ଏମାନଙ୍କ ପାଇଁ ଦୁର୍ଲଭ ହୁଏନାହିଁ । ତେଣୁ କବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ କହେ

“ମୋ ନାମ ଶ୍ରବଣ କୀର୍ତ୍ତନେ , ସାଧ୍ୟ କରନ୍ତି ଅଳ୍ପଦିନେ ସଂସାରେ ଯେତେ ବସ୍ତୁଭାବ, ତାହାଙ୍କୁ ନୁହଇ ଦୁର୍ଲଭ,”

ଏଥିରୁ ପ୍ରମାଣିତ ହେଲା ନାମ କେବଳ ସାଧୁ, ସନ୍ୟାସୀ, ବୈରାଗିମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ; ଏହା ସଂସାରୀମାନଙ୍କ ପାଇଁ ମଧ୍ୟ ଉପଯୋଗୀ.। ଏହାକୁ ଆହୁରି ଦୃଢ ଭାବରେ ପ୍ରତିଷ୍ଠିତ କରି କବି ଦୀନକୃଷ୍ଣ ଦାସ ସ୍ୱରଚିତ “ନାମରତ୍ନ ଗୀତା “ରେ ଚରମ ପଦ ଲେଖି ଦେଇଛନ୍ତି ଯଥା :
“ଯୁବତୀ କୋଳରେ ଧରି ଜପୁଥିବ ନାମ, ଏକଥା ଗୋଟାକୁ ପାର୍ଥ କେହି ନୋହେ ସମ ।” ଅବଶ୍ୟ ଏଥିପାଇଁ ଚିତ୍ତର ଦୃଢତା ଆବଶ୍ୟକ, ସେହିପରି ଚିତ୍ତ ରେ ଦୃଢ଼ତା ଥିଲେ ଜଣେ ନରକରେ ମଧ୍ୟ ନାମ ଜପି ନରକ ଯନ୍ତ୍ରଣାରୁ ଉଦ୍ଧାର ପାଇ ପାରିବେ। ନୃସିଂହ ପୁରାଣ ଏବିଷୟରେ କହିଛି : “ଯଥା ଯଥା ହରେନାମ କୀର୍ତ୍ତୟନ୍ତୀ ସ୍ମ ନାରକାଃ, ତଥା ତଥା ହରୌ ଭକ୍ତି ମୁଦବହନ୍ତୋ ଦିବଂ ଯଯୁ “।

ନାମ କୀର୍ତ୍ତନର ଏ ଅପୂର୍ବ ମାହାତ୍ମ୍ୟ ଶୁଣିଲା ପରେ ଆସନ୍ତୁ କରିବା ଆରାଧନା ।

“କୃଷ୍ଣ ନାମ ଗୋଟି ରାଜା ନିତ୍ୟ ପିଉଥିବ, ରୋଗ, ଶୋକ, ଭୟ, ନିଦ୍ରା ସକଳ କାଟିବ,”

ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )

Leave A Reply

Your email address will not be published.