Latest Odisha News

କବିତା ସହିତ ମୋ ସମ୍ପର୍କର ସତ୍ୟପାଠ

ବାପା ଶିକ୍ଷକ ଥିଲେ । ସେ ଯେପରି ତନ୍ମୟ ହୋଇ ‘ତପସ୍ୱିନୀ’, ‘ପଦ୍ମ’, ‘ଉଠ କଙ୍କାଳ’ କବିତାଗୁଡିକ ଆବୃତ୍ତି କରୁଥିଲେ ..ମୋ ହୃଦୟରେ କବିତା ପ୍ରତି ଅନୁରାଗ ଅଙ୍କୁରିତ ହେଉଥିଲା ମୋ ଅଜାଣତରେ । ମୋ ମାଆ ସୁଲଳିତ କଣ୍ଠରେ ପଢୁଥିଲେ ‘ ଚୈତ୍ର ମଙ୍ଗଳବାର ଓଷା’, ‘ହରିବଂଶ ପୁରାଣ’,’ଭାଗବତ’..ଇତ୍ୟାଦି । ଏସବୁ ହୃଦୟକୁ ଓଦା କରିଦେଉଥିଲା । ବିଦ୍ୟାଳୟର ମୁଖପତ୍ରରେ ପ୍ରଥମ କବିତା ଛପାହେଲା ‘ଆସିଲା ରଜ ହସି’ ।

ପାଠ୍ୟପୁସ୍ତକରେ ସ୍ଥାନିତ କବିତା ସହିତ ‘ଶିଶୁଲେଖା’ ‘ମନପବନ’ ,’ବାଘମାମୁଁ’,’ଟୁଉକୁମୂଷି’ ଭଳି ଶିଶୁପତ୍ରିକାର କବିତା ଗୁଡିକର ମୁଁ ଥିଲି ମୁଗ୍ଧ ପାଠକ । ମହାବିଦ୍ୟାଳୟ କି ବିଶ୍ୱବିଦ୍ୟାଳୟରେ କେବେ କେମିତି କବିତା ଲେଖିଥିଲେ ବି ମୁଁ ଥିଲି ପ୍ରକୃତରେ କବିତାର ପାଠକ, କବିତାର ପ୍ରେମିକ । ସେତେବେଳେ ‘ନୂଆବର୍ଷ’ ଶୀର୍ଷକରେ ଗୋଟିଏ କବିତା ସମ୍ବାଦର ସାହିତ୍ୟପୃଷ୍ଠାରେ ପ୍ରକାଶିତ ହୋଇ ବହୁତ ଆଦୃତ ହୋଇଥିଲା । ସିଭିଲ ସର୍ଭିସ ପରୀକ୍ଷାର ତାଡନା ଓ ପରେ ପରେ ଆଇନବୃତ୍ତିରେ ନିଜକୁ ସାବ୍ୟସ୍ତ କରିବାର ପ୍ରୟାସ ଯୋଗୁଁ ମୋ ଭାବପ୍ରବଣତାରେ ମରୁଡି ଦେଖାଦେଲା ।

ମୋ ଜୀବନରେ ପ୍ରେମର ଅନୁଭୂତି ନଥିଲା, ଥିଲା ଖାଲି ପ୍ରେମର ଅନୁଭବ । ସେଇ ଅନୁଭବର ଭୂମିକମ୍ପ କି ହୃତକମ୍ପର କେନ୍ଦ୍ର ଥିଲା ବାଣୀବିହାର । ୨୦୧୭ ମସିହାରେ ଲେଖିଲି ‘ରାତିରେ ବାଣୀବିହାର’ । ତାହାଥିଲା ବାଣୀବିହାରର କାବ୍ୟିକ ମାନଚିତ୍ର । ସମ୍ବାଦର ସାହିତ୍ୟପୃଷ୍ଠାରେ ‘ରାତିରେ ବାଣୀବିହାର’ ସ୍ଥାନିତ ହେଇ ଏତେ ପାଠକୀୟ ପ୍ରେମ ପାଇଲି ଯେ ଲେଖିଚାଲିଲି ‘ବାଣୀବିହାରରେ ବର୍ଷା’, ‘ବାତ୍ୟାରେ ବାଣୀବିହାର’ , ‘ବାଣୀବିହାର’..ଏମିତି ବାଣୀବିହାର ଉପରେ ଆଧାରିତ ମୋର କାବ୍ୟିକ ଶ୍ରଦ୍ଧାଞ୍ଜଳି ବାଢିଚାଲିଲି ନିରନ୍ତର ।

୧୯୧୯ ପ୍ଲାଟିନମ ଜୁବିଲି ଉପଲକ୍ଷେ ମହାମିଳନ ଦିନ (୨୪-୧୧-୨୦୨୦) ସମାଜର ସାହିତ୍ୟପୃଷ୍ଠାରେ ‘ବାଣୀବିହାରରେ ତୁମେ’ କବିତାଟି ପ୍ରକାଶିତ ହୋଇ ଅଶେଷ ପାଠକୀୟ ଶ୍ରଦ୍ଧା ହାସଲ କଲା । କିନ୍ତୁ ଅନ୍ୟ ବିଷୟବସ୍ତୁ ଉପରେ ବି କିଛି କବିତା ଲେଖିଛି ..’ଟଗର’, ‘ଦେବୀ’, ‘ତୁମ ହସ’, ‘ଟିକେ ଅନ୍ଧାର ମାଗୁଛି ଝିଅ’..ଇତ୍ୟାଦି ଇତ୍ୟାଦି । ୨୦୨୦ରେ ଲେଖିଥିବା କରୋନା ସମ୍ପର୍କିତ କବିତା ‘ଦୀପଟିଏ ଲିଭିଗଲେ’ (ସମ୍ବାଦ,୨୪-୦୫-୨୦୨୦) ଓ ‘ଲକଡାଉନରେ ରବିବାର’ (ନିତିଦିନ ,୧୨-୦୭-୨୦୨୦) ଉଲ୍ଲେଖନୀୟ । ମୋର କବିତା ରୋମାଣ୍ଟିକ ଭାବ-ସର୍ବସ୍ୱ । ମୋ ମନର କିଛି ଫାଙ୍କା ଜାଗା ଅଛି ଯାହା ମୋ କବିତାକୁ ବିରହର ବଇଁଶୀ ସୁରରେ ଭିଜାଏ । କିନ୍ତୁ ମୋ ରୋମାଣ୍ଟିକ ଭାବକୁ ମୁଁ କବିତାରେ ଖର୍ଚ୍ଚ କରିଦିଏ । ଫେସବୁକରେ ଏକପଦୀଗୁଡିକ ପଢି ପାଠକ-ପାଠିକା ପ୍ରଶ୍ନ କରନ୍ତି, “ଆପଣଙ୍କ କବିତାର ‘ତୁମେ’ କିଏ ?” ..ମୋର ସ୍ୱତଃସ୍ଫୁର୍ତ୍ତ ଉତ୍ତର ହେଉଛି, ” ମୋ କବିତାର ‘ତୁମେ’ ଏକ କମନୀୟ କଳ୍ପନା ଆଉ ଏକ ଲୋଭନୀୟ ଭାବନା”..ଆଉ କଣ କହିବି ?

୨୦୧୭ରୁ ମୁଁ କବିତା ଲେଖିବା ବଜାୟ ରଖିଛି । କିନ୍ତୁ ନିଜକୁ ‘କବି’ରେ ଗଣେନାହିଁ । ଏବେବି ମୋ ଦୃଷ୍ଟିରେ ମୁଁ କବିତାର ପାଠକ, କବିତାର ପ୍ରେମିକ କିମ୍ବା କବିତାର ପ୍ରେମିକ-ପାଠକ । ସରଳ, ତରଳ, ସାବଲୀଳ କବିତା ମୋତେ ମୁଗ୍ଧ,ମୋହିତ କରେ । ଶିଶୁ-ଶ୍ରେଣୀରେ ପଢ଼ିଥିବା ‘ଆମ ଘର’ (କବି: ନନ୍ଦକିଶୋର ସାମଲ) ଓ ବିଦ୍ୟାଳୟ ପାଠ୍ୟପୁସ୍ତକରେ ସ୍ଥାନିତ ‘ଛୋଟ ମୋର ଗାଆଁଟି’ (କବି: ସଚ୍ଚି ରାଉତରାୟ)ଏବେ ବି ମୋର ସବୁଠୁଁ ପ୍ରିୟ କବିତା…।

(ଲେଖକ ଜଣେ କବି, ମାନବିକ ଅଧିକାର ପ୍ରବକ୍ତା ଓ ଅଧିବକ୍ତା )

Comments are closed.