Latest Odisha News

BREAKING NEWS

ଗଳ୍ପ : ବନ୍ୟା

ଅରବିନ୍ଦ ଦାସ

ସାର, ଏ ବନ୍ୟା, ପ୍ରକୃତରେ ଜୀବନ ବଦଳାଇ ଦିଏ। ଲକ୍ଷପତି ଲୋକ ବି ଦାଣ୍ଡର ଭିକାରୀ ହୋଇଯାଏ।”

ସହକର୍ମୀ କେଦାରର କଥା ଶୁଣି ଟିଭିକୁ ଅନାଇଲେ ଦୀପକ।

ବନ୍ୟା ଯୋଗୁଁ ତାଙ୍କ ଛୁଟି କ୍ୟାନ୍ସଲ। ସ୍ପେଶାଲ ରିଲିଫ ଅଫିସର ଭାବେ ଦାୟିତ୍ୱ ବହନ କରି ବନ୍ୟା ଅଞ୍ଚଳ ବୁଲିବାକୁ ପଡିବ ତାଙ୍କୁ।

କଣ୍ଟ୍ରୋଲ ରୁମରେ ଥିବା ଟିଭିରେ ସମ୍ବାଦ ଦେଖାଉଛି, ବିଭିନ୍ନ ନଈରେ ପ୍ରବଳ ବନ୍ୟା । ବେଡି ଉପରେ କୋରଡ଼ା ମାଡ଼ ଭଳି, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଆହୁରି ଅଧିକ ଲଘୁଚାପ ଜନିତ ବର୍ଷା ଯୋଗୁଁ ନଈଗୁଡିକର ଉପର ମୁଣ୍ଡରେ ପୁଣି ପାଣି। ତା’ ସାଙ୍ଗକୁ ହୀରାକୁଦର ଗେଟ ଖୋଲା ହୋଇଛି। ତଳ ମୁଣ୍ଡରେ ଥିବା ଗାଁମାନଙ୍କୁ ବିପଦ।

– ଦେଖନ୍ତୁ ସାର,ରିଲିଫ ନେଇକି ଗଲାବେଳେ ଆମେ ସାଙ୍ଗରେ ପୋଲିସ ବି ନେଇକି ଯିବା।”

-କାହିଁକି ? ପଚାରିଲେ ଦୀପକ।

-ଲୋକଗୁଡ଼ାକ ପରା ଜିନିଷପତ୍ର ଛଡା ଛଡି କରୁଛନ୍ତି। ଡ଼ଙ୍ଗାରେ ଗଲାବେଳେ ପ୍ରଥମରୁ ପଡୁଥିବା ଗାଁ ବାଲା ସବୁ ମାଡି ବସୁଛନ୍ତି। ରିଲିଫ ସାମଗ୍ରୀ ଜିଲ୍ଲାର ଅଭ୍ୟନ୍ତର ଅଞ୍ଚଳରେ ପହଞ୍ଚି ପାରୁନି। ତେଣୁ ଆପଣ ହେଲିକ୍ୟାପ୍ଟର ପାଇଁ କୁହନ୍ତୁ।”

ହସିଲେ ଦୀପକ।

ପାଖରେ ବସିଥିବା ବନ୍ଧୁ ଆଶୁତୋଷ କହିଲା, ଖାଲି କଣ ସେତିକି ? ରିଲିଫ ଦେଲା ଆଗରୁ ମନ୍ତ୍ରୀ,ନେତାଙ୍କ ଗାଁରେ ଆଗେ ଦେବାକୁ ଭିତିରିଆ ନିର୍ଦ୍ଦେଶ। ନକଲେ ନାଲି ଆଖି। କିରେ,ଯଦି ତମର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଏତେ ଦରଦ,ତେବେ ସରକାରୀ ରିଲିଫ ପୂର୍ବରୁ ନିଜେ ରିଲିଫ ବାଣ୍ଟ।

ଫେଁ କିନା ହସିଦେଇ କେଦାର କହିଲା, ରିଲିଫ ବାଣ୍ଟିବେ କଣ ? ବନ୍ୟା ଆହୁରି ଅଧିକ କ୍ଷୟ କ୍ଷତି କରୁ ବୋଲି ଠାକୁର ଠାକୁରାଣୀଙ୍କ ନିକଟରେ ପ୍ରାର୍ଥନା କରୁଥିବେ ମନ୍ତ୍ରୀ,ଯନ୍ତ୍ରୀ ଓ ଠିକାଦାର।”

-କାହିଁକି ?

– ଆରେ,ବନ୍ୟାରେ କ୍ଷତି ଅଧିକ ହେଲେ, ମରାମତି ପାଇଁ ଠିକା କାମ ମିଳିବ। ଟେଣ୍ଡର ହେବ। ପି ସି କାରବାର। ଅଧିକ ଲାଭ । ବନ୍ୟାରେ କାହାର ପୁଷମାସ ତ କାହାର ସର୍ବନାଶ। କେବଳ ନିରୀହ ସାଧାରଣ ଲୋକ ହିଁ ବନ୍ୟା ନହେବା ପାଇଁ ଠାକୁରଙ୍କୁ ଡାକେ।”

ସକାଳୁ ସକାଳୁ ଶୁଖିଲା ରିଲିଫ ସାମଗ୍ରୀ ବାଣ୍ଟି ସାରି ,କନ୍ଟ୍ରୋଲ ରୁମକୁ ଫେରି ଖରାବେଳକୁ ରନ୍ଧା ଖାଦ୍ୟ ନେଇ ରାସ୍ତା ଓ ନଈ ବନ୍ଧ ଉପରେ ଆଶ୍ରା ନେଇଥିବା ଲୋକଙ୍କୁ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଆସିଥିଲା।

ବନ୍ଧ ପାଖରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଗଲା ଦୀପକ। ଟେଣ୍ଟ ବାନ୍ଧି ଲୋକ ଗୁଡାକ ମୋବାଇଲରେ ଗୀତ ବଜାଇ ହୋ ହାଲ୍ଲା କରି ସେଲ୍ଫି ନେବାରେ ବ୍ୟସ୍ତ ଥିଲେ। ଚୁଲି ଲଗାଇ କିଛି ରାନ୍ଧୁଥିଲେ। କିଛି ଦୂରରେ ମଦ ବୋତଲ ସବୁ ପଡିଥିଲା।

ଏମାନଙ୍କୁ ଦେଖି ଦଳେ ଟୋକା ଆଗକୁ ଆସି ପଚାରିଲେ,

– କଣ ଆଣିଛ ?”
– ଭାତ,ଡାଲମା।”
– ଛିଃ, ସବୁବେଳେ ସେଇ ଭାତ,ଡାଲମା ନହେଲେ ଚୁଡ଼ା ଗୁଡ଼। କିହୋ ଆମେ ମଣିଷ ନା କୁକୁର ! ରିଲିଫ ଟଙ୍କା ମାରି କି ଖାଉଛ ଆଉ ଆମକୁ ଭାତ,ଡାଲମା ନହେଲେ ଖେଚେଡ଼ି ? ଭାତ ସାଙ୍ଗରେ ଚିକେନ, ମାଛ,ଅଣ୍ଡା ତରକାରୀ ଟିକେ କରିପାରିବନି ? କିଛି ନହେଲେ ବିରିଆନି ତ ଦେଇ ପାରିବ।ଏଗୁଡା ଏଠି ନଦେଇ ଆଗକୁ ଯାଅ ।ଅନ ଲାଇନରେ ଆମ ପାଇଁ ପିଜା, ବର୍ଗର ବି ଦେଇ ପାରନ୍ତ। ଆସିଲେ ବାବୁ ରିଲିଫ ବାଣ୍ଟିବା ପାଇଁ।ଗୋଟେ ଗୋଟେ ଗୋପବନ୍ଧୁ ତ।”

କାନଟା ଭାଁ ଭାଁ ହେଉଥିଲା ଦୀପକର।

ଆବାକାବା ହୋଇ ଦୀପକ ଦେଖୁଥିଲା ରିଲିଫ ଦେବାକୁ ଆସିଥିବା ଲୋକଙ୍କ ଅସଲ ଚେହେରାକୁ। ସତରେ ଭଲ ହୋଇଛି ଗୋପବନ୍ଧୁ ଆଜି ବଞ୍ଚିନାହାନ୍ତି। ନହେଲେ ଆଜି ଏଇଠି ଟଳି ପଡିଥାନ୍ତେ।”

ଚୁପ ଚାପ ସେଇ ରନ୍ଧା ଖାଦ୍ୟକୁ ଡଙ୍ଗାରେ ଲଦି ଅନ୍ୟ ଭିତରି ଇଲାକାକୁ ବାହାରିଲା ଦୀପକ।ସାଙ୍ଗରେ ଓଡ୍ରାଫ୍ଟ ଟିମ।
ଡ଼ଙ୍ଗା ବାଲା କହୁଥିଲା, ଏଇ ଦେଖନ୍ତୁ ସାର,କାଲି ରାତିରେ ସେଇ ଘାଇଟା ହୋଇଛି। ଆମ ଗାଁକୁ କେବେ ବନ୍ୟା ଆସେନା।ଏଥର ସବୁ ଭାସିଗଲା।”

ଦୀପକ ଦେଖୁଥିଲା ଘାଇକୁ। ଦୀର୍ଘ ନିଶ୍ଵାସ ନେଇ କହିଲା,

– ଭଗବାନ ଙ୍କ ବରାଦ ଯାହା ଥିବ ,ତା ହେବ।କିଏ ବଦଲାଇବ ଭାଗ୍ୟ ?

ଏକ ଶୁଖିଲା ହସ ହସି ଡ଼ଙ୍ଗା ବାଲା କହିଲା, ଭଗବାନ ନୁହେଁ ସାର। ମଣିଷ କରିଛନ୍ତି ଏହାକୁ। ନିଜ ଅଞ୍ଚଳ ବଞ୍ଚାଇବା ପାଇଁ, ଏଇଠି ଘାଇ କରିଛନ୍ତି ନେତା। ଏତେ କୋଟି ଖର୍ଚ୍ଚ ହୋଇ ନୁଆ ଚଉଡା ବନ୍ଧ ରାସ୍ତା ଗତବର୍ଷ ହୋଇଥିଲା। ଫାଟ ବି ନଥିଲା।ରାତାରାତି ପାରଦ, ଡିନାମାଇଟ ପକାଇ ଘାଇ ହୋଇଛି। ଆମେ ଭାସିଗଲୁ ସାର।”

– ବ୍ୟସ୍ତ ହୁଅନା ମଉସା।ସରକାର ରିଲିଫ,କ୍ଷତିପୂରଣ ଦେବେ।” କହିଲା କେଦାର।

କାନ୍ଦ କାନ୍ଦ ହୋଇ ଡ଼ଙ୍ଗା ବାଲା କହିଲା, ଦୁଇଶହ ପାଞ୍ଚଶ ଟଙ୍କା,ପଚାଶ କିଲୋ ଚାଉଳରେ ଆମ କ୍ଷତିପୂରଣ ହୋଇଯିବ ବାବୁ ? ହଜାର ହଜାର ଏକର ସୁନା ଜମିରେ ବାଲି ଚଢି ଗଲା। କେତେ ବର୍ଷ ଲାଗିବ କିଏ ଜାଣେ ଫସଲ ହେବା ପାଇଁ ? ଏ ରାସ୍ତା,ବନ୍ଧ ପୁଣି ତିଆରି ହେବ। କୋଟି କୋଟ ଟଙ୍କା ପୁଣି ଖର୍ଚ୍ଚ ହେବ। ଠିକାଦାର,ଯନ୍ତ୍ରୀ,ଆଉ ନେତାଙ୍କ ପକେଟ ଗରମ ହେବ। ଅସଲ ରିଲିଫ ତ ସେମାନେ ମାରିବେ, ବିନା ବନ୍ୟା ଘେରରେ ରହି। ତେବେ ଆପଣମାନେ ଓ ଏଇ ଓଡ୍ରାଫ୍ଟ ଭାଇମାନେ ଦିନ ରାତି ନିଜ ପରିବାରକୁ ଛାଡି ଆମକୁ ସାହାଯ୍ୟ କରୁଛନ୍ତି ,ସେଥିପାଇଁ ଆପଣ ମାନଙ୍କୁ କୋଟି କୋଟି ଦଣ୍ଡବତ।”

ଦୀପକ ବୁଝି ପାରୁଥିଲା ଲୋକଟିର ଦୁଃଖକୁ। ଅନେକ ଗାଁ, ସାହି ବୁଲି ସେମାନେ ଭୋକିଲା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ବେଳେ ମନ ଆତ୍ମ ସନ୍ତୋଷରେ ଭରି ଯାଉଥାଏ। ଫେରିଲା ବେଳେ କେଦାର କହୁଥିଲା – ସତରେ ସାର, ବନ୍ୟାର

ଘରକୁ ଫୋନ ଲଗାଇ କଥା ହେଲା ଦୀପକ। ଦୀପକକୁ ଅନାଇ ପୁଣି କେଦାର କହିଲା, ମ୍ୟାଡ଼ମ ନିଶ୍ଚେ ଆପଣଙ୍କ ପାଇଁ ବ୍ୟସ୍ତ ହେଉଥିବେ। ବନ୍ୟା ଚିତ୍ର ଟିଭିରେ ଦେଖି ବ୍ୟସ୍ତ ହେଉଥିବେ।”ରୂପ ରଙ୍ଗ କେତେ ଭିନ୍ନ।”

ଅନ୍ୟମନସ୍କ ହୋଇ ଦୀପକ କହିଲା, ପାଞ୍ଚ ବର୍ଷ ତଳେ, ଜିପ ନେଇ ଆମେ ଆସୁଥିଲୁ। ଅଚାନକ ବର୍ଷା ଯୋଗୁଁ ପୋଲ ଉପରେ ବନ୍ୟା ପାଣି ଚାଲୁଥିଲା। ମନା କରିବା ସତ୍ତ୍ୱେ ଡ୍ରାଇଭର କହିଲା କିଛି ହେବନି। ଜିପ ଭାସିଗଲା। ମୁଁ ,ମୋ ସ୍ତ୍ରୀ ବଞ୍ଚି ଗଲୁ।ଡ୍ରାଇଭର ଓ ଆମର ଏକମାତ୍ର ଛ ବର୍ଷର ପୁଅର ପତ୍ତା ମିଳିଲାନି। ଦୁଇ ଦିନ ପରେ ଲାସ ମିଳିଲା।ସେଇ ଦିନଠୁ ପଥର ପାଲଟି ଯାଇଛି ମୋ ମିସେସ। ସତରେ ଏ ବନ୍ୟା ଜୀବନ ବଦଳାଇ ଦିଏ। ଧନୀ,ଗରିବ ସମସ୍ତଙ୍କର।”

ଫ୍ଲାଟ ୧୦୩,ହୋରାଇଜନ ଏନକ୍ଲେଭ,
ମହାରାଣୀପେଟା,
ବିଶାଖାପାଟଣା-୫୩୦୦୦୨

 

 

Leave A Reply

Your email address will not be published.