Latest Odisha News

କବିତା : ରଜ ମଉଜ 

ବାସନ୍ତୀ ଲତା ଜେନା 

ରଜ ଆସିଛିରେ ସଜବାଜ ହୋଇ
ଖୁସିର ପସରା ନେଇ
ଜୀବନ ସରସ ପର୍ବ ପର୍ବାଣୀରେ
ରଜ ଦିଏତ ବତାଇ। (ଘୋଷା)

ରଜ ପୂର୍ବ ଦିନ ସାଜସଜ୍ଜା ହୁଏ
ରଜ ପାଇଁ ଆୟୋଜନ
ପାରମ୍ପରିକ ଏ ପ୍ରଚଳିତ ପର୍ବ
ଖୁସି ଆଣି ଦିଏ ଦିନ
ପହିଲି ରଜରେ ପ୍ରତ୍ୟୁଷରୁ ଉଠି
ସ୍ନାନ ଶୌଚ ହେଉ ଥାଇ
ଜୀବନ ସରସ…….. ‌‌। ୧।

ଝିଅ ବହୂ ମାନେ ନୂଆ ଲୁଗା ପୁନ୍ଧି
ସଜବାଜ ହୋଇ ଥାନ୍ତି
କୁଆଁରୀ ଝିଅର ପାଦରେ ଅଳତା
ଚନ୍ଦନ ଟୋପା ଲାଗନ୍ତି
ଆନନ୍ଦରେ ଦୋଳି ଖେଳି ଥାନ୍ତି ସର୍ବେ
ପୋଡ଼ ପିଠା ମିଠା ଖାଇ
ଜୀବନ ସରସ…….. । ୨।

ରଜ ଗୀତ ପରା ଭାରି ମିଠା ଲଗେ
ଚାଲିଯିବା ଲୋକ ଶୁଣେ
ରଜ ଖିଲି ପାନ ତା ଠାରୁ ମଧୁର
ବନ୍ଧୁତା ଯୋଡେ ବନ୍ଧନେ
ଗାଁ ଦାଣ୍ଡ ହସେ ଫୁଲ ଦୋଳି ସାଥେ
କୁଆଁରୀ ପୁଚି ଖେଳଇ
ଜୀବନ ସରସ…… । ୩।

କୃଷି ଭିତ୍ତିକ ଏ ସାମାଜିକ ପର୍ବ
ପିଲାରୁ ବୁଢା ପାଳନ୍ତି
ମାତା ବସୁମତୀ ରଜସ୍ୱାଳା ହୁ’ନ୍ତି
ଚାଷି କାମ ନ କରନ୍ତି
ରଜ ତିନି ଦିନ ପାଳନ କରନ୍ତି
କଟା ବାଟ ନ ହୁଅଇ
ଜୀବନ ସରସ……. । ୪।

ପ୍ରଥମ ଦିନକୁ ପହିଲି ରଜ ଯେ
ଦ୍ଵିତୀୟ ରଜ ସଂକ୍ରାନ୍ତି
ତୃତୀୟ ଦିନରେ ଭୂମି ଦାହ ହୁଏ
ଅଗ୍ନି ଦେବଙ୍କୁ ପୂଜନ୍ତି
ଚତୁର୍ଥ ଦିବସେ ବସୁମତୀ ସ୍ନାନ
କୃଷକ କାର୍ଯ୍ୟ କରାଇ
ଜୀବନ ସରସ………. । ୫।

ରଜ ଆଣିଦିଏ ଶାନ୍ତି ମୈତ୍ରୀ ପ୍ରିତି
ଜାଗେ ପ୍ରେମ ସଦ୍ଭାବନା
ଆନନ୍ଦ ଉଲ୍ଲାସେ ଶାନ୍ତି ଭରି ଦିଏ
ସ୍ମୃତି ନାହିଁ ତା ତୁଳନା
ଜୀବନ ସରସ…….. । ୬।

ଗାନ୍ଧୀନଗର, ନବରଙ୍ଗପୁର

Leave A Reply

Your email address will not be published.