ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ପୁରୋହିତ ‘ରୁ ‘ପୌରୋହିତ୍ୟ’
ଶବ୍ଦ ହେଉଥିଲେ ହେଁ ଜାତ
ଲେଖିବା ବେଳେ ଆମ ହାତ
ଲେଖିପକାଏ ‘ ପୌରହିତ୍ୟ’
ମନ ସହିତ ସ୍ବହସ୍ତର
ସଂପର୍କ ହୋଇଲେ ଅସ୍ଥିର
ଏପରି ଭୁଲ୍ ବାରଂବାର
କରଇ ସ୍ବହସ୍ତ ଆମର
‘ଭୂଗୋଳ’ ସହ ମିଶି ‘ଇକ’
ହେଉଥିଲେ ହେଁ ‘ଭୌଗୋଳିକ’
ଆମର ଅନେକ ଲେଖକ
ଲେଖିଦିଅଂତି ‘ଭୌଗଳିକ’
ଏପରି ହେଲେ ଭୁଲାମନ
ଆମ ଭାଷାର ଉନ୍ନୟନ
ସତରେ ଘଟିବ କେମିତି
ବୁଝେନି ମୋ ନିରୀହ ମତି
ଉଦାହରଣ ମାଳ ମାଳ
ଦେଖିଲେ ସୁଦ୍ଧା ତା’ର ଫଳ
କେହି ଏଯାଏଁ ଦେଖିନାହିଁ
ଏମିତି ହୋଇଛୁଁ କିପାଇଁ ?
‘ଉଚିତ, ରଚିତ, ସୂଚିତ’
‘ତ୍’ ଲୋଡ଼ା ନ ପଡ଼ିବା ସତ
ନ କଲେ ଏବେ ହିଁ ସ୍ବୀକାର
ସ୍ବଭାଷା ହେବ ନାରଖାର
ଯେତେକ ଉଦ୍ୟମ ଆମର
ନ ପାଇ ସାମାନ୍ୟ ଆଦର
କାଳଗର୍ତରେ ହେବ ଲୀନ
ରହିବନାହିଁ ଚିହ୍ନ, ବର୍ଣ
ଭୁଲ୍ ହୁଏନି, ଆମେ କରୁଁ
ଏ କଥା ଏବେ ହିଁ ସ୍ବୀକାରୁଁ
ତା’ପରେ ହେଉଁ ସାବଧାନ
ହେବ ଭୁଲ୍ର ଅବସାନ