Latest Odisha News

କବିତା : ରୂପସୀ ରୀଟା

ସାଗରିକା ଦାସ

ତୁମେ ଯେ ରୂପ ବାଣ୍ଟ
ଦୁଆରୁ ଦୁଆର ,ହସାଇ ରସାଇ ,
କଥାର ମଧୁରେ ଛଳାଇ କୁହନା
ତୁମକାମ ତୁମ ବାହାନା ଅବା ସାଧନା

ନୀଳ ଆଖିତଳ କାଳିମା ଯେ କୁହେ
ତୁମ ଏକାଙ୍କ ନାଟକେ କାହିଁ ଯବନିକା ?

ବାଲି ଘଡ଼ି ପରାଏ ଯୌବନ,
ତା’ ରି ନିଶାରେ ତାଳୁରୁ ତଳିପା ମଜା,ସଜାରେ
ସାହାଯ୍ଯକାରିଣୀ ତୁମେ ସତେବା ଦିବ୍ଯ ସମ୍ଭବା ?
କାନ୍ଧରେ ଦୁଇ ବ୍ୟାଗ୍ ଭରା ଯନ୍ତ୍ରପାତି
ଅ ଠୁ କ୍ଷ କସ୍ମେଟିକସ୍ ବୋଳି
ଲାଳସାର ତନ୍ତ୍ରବତୀ ଜଳାଅ ଆମ ମନେ !

ଆମ ଚମରୁ ଚୂଳ ସମ୍ଭଳା ,ସଜଡା ବେଳେ
ଆଖିପାଟି ବନ୍ଦ, କେ’ ବା ଅର୍ଦ୍ଧନଗ୍ନ ଚିତ୍ ବା ପଟ୍
ନିର୍ବିକାରେ ରଚ ସୌନ୍ଦର୍ଯ୍ୟର ନିଖୁଣ କଳା
ଏଇତ ଆନନ୍ଦ, ଦେଣନେଣ ,ସମ୍ପର୍କର ସୂତ୍ର
ଯେବେଠୁ ତେଜିଲ ମଦ୍ୟପ ପତିଗୃହ
ରାସ୍ତାର ସାଥୀ ଦୁଇ ଶିଶୁପୁତ୍ର ଓ ଦୁଇଟି ବ୍ୟାଗ୍ ।

କାହିଁ ଜନକପୁରୀ କାହିଁ ଚନ୍ଦରବିହାର
କୁଳୀନା ସେ ଥିଲା କେବେ ଧାବନ ବା ଦହିୟା
ଆଜି ଖୋଜେ ଲିତା ବିଲିତାରେ ତା’ ପରିଚୟ
ପରିଜନ ଛାଡିଯାନ୍ତି ଚୋରାବାଲି ପରାଏ
ଯନ୍ତ୍ରଣାର କାରାଗୃହେ ତୁମେ ଓ ତୁମ ଇଶ୍ବର
ବାହାରେ ରୀଟା ସେ ରୂପସୀ ବିୟୁଟିସିଆନ୍ ।

ଦୁନିଆଁ କୁହେ ରୀଟାଏ ଲଢନ୍ତୁ
ଜୀବନଟା ପଚିସଢି ମିଳେଇ ଯାଉପଛେ,
ତେବେ, ସବୁନାରୀ କ’ଣ ବିପ୍ଳବିନୀ ?
ସ୍ବାଭିମାନେ ମଥାଟେକି ଜୀଏଁ ସେ ସୁଚେତା,
ଶ୍ରଦ୍ଦା,ସମ୍ମାନେ ନିଏ ସେ ଦାନ, ଉତ୍ତରଣ
କେବେ ସ୍ବାସ୍ଥ୍ୟ ବା ସ୍ବାର୍ଥ ଯଜ୍ଞକୁଣ୍ଡେ ଆହୁତି ।

ରୁଦ୍ର ହତାଶେ ମନକୁ କେ’ ପଚାରେ
ସମସ୍ତ ଅସ୍ତିତ୍ବ ଜଳେ ଦୁର୍ଭାଗ୍ଯ ଉହ୍ନେଇରେ
ଭର୍ତ୍ତା ଦୁରୁ ତିତିକ୍ଷାରେ ହସେ ଦୂରୁ ,
କାମନା ଶତଲହଲହ ଜିହ୍ଵାରୁ ଶିଖେସେ
ଅନ୍ୟକୁ ଚାରିକାତ କରିବାର ରାସ୍ତା ମୂହୁମୂହୂ
ଜୀବନ ସଂଗ୍ରାମ ଟାଉନବସ୍ ରୁ ବସ୍ତିଶ୍ବାନ ସହ ।

ଚୋରି ,ଜାଲିଆତି ଜାଣେନା ରୀଟା
ମିନତି ,ଲବି ପ୍ରତିଶୋଧ ବି ବୁଝେନା ,
ଦୂରଦେଶୀ ଆତ୍ମୀୟଙ୍କ ଭ୍ରୁକୁଞ୍ଚନେ
ପୁରୁଣା ପାସପୋର୍ଟ ଉଈ ଖାଈଯାଏ
ପୁତ୍ର ପୃଚ୍ଛେ ମା’ ତୁମେକି ସ୍ବେଚ୍ଛଚାରିଣୀ?
ସ୍ବଜଂ ଜାଳେ ଜଳୁଥାଏ ସେ କ୍ରାନ୍ତିକାରିଣୀ ।

ସଦା ଜାଳୁଥାଏ ଆମ ବିବେକ ମଶାଲ
କା’ ଟେ ଆହା ଟେ ନୁହେଁ ସେ ‘ସ୍ବୟଂସମ୍ପୂର୍ଣ୍ଣା’
କୁହେ ଫେରାଅନି ପାଦ ଯେ ସଂହାରେ ଉଠିଛି ,
ସାଲିସ୍ କିଆଁ ସବୁବେଳ ଅନ୍ୟ କା’ ପାଇଁ
ଏଇତ ଅଗ୍ନିପରିକ୍ଷା ତୁମ କିଏ କାହିଁ ?
ସେ ଅଦୃଷ୍ଟ ଯେ ଅବିରାମେ ନେଉଛି । 8

ଧାଁଦୌଡ ଜୀବନସ୍ରୋତୁ କ୍ଷଣେ ଥମି ଦେଖ
ଆଭିମାନୀ ସେ ସର୍ବ ଆସକ୍ତି ବିମୁକ୍ତା
ଜଳିପେଶି ନୟାନ୍ତ ତଥାପି ସିଏଁ ମାନବିକତା
ନୁହଁ ଦୟା ,ଦାନ ଅବା ତାତ୍ସଲ୍ୟ
ପାର ଯଦି ଆପଣେଇ ନିଅ ତା’
ଧୂସର ଜୀବନ, ତୀବ୍ର ପ୍ରମତ୍ତ ସତ୍ୟକୁ
ନଇଲେ ଭିଡ଼ଭାଙ୍ଗି ଯିବାରାସ୍ତା ଦିଅ ।

ନୂଆ ଦିଲ୍ଲୀ

ବିଦ୍ର : ଜନକପୁରୀ – ସମ୍ଭ୍ରାନ୍ତ ଅଞ୍ଚଳ, ଚନ୍ଦରବିହାର – ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ, ଧାବନ ବା ଦହିୟା – ସମ୍ଭ୍ରାନ୍ତ ଗୋଷ୍ଠୀ

Comments are closed.