Latest Odisha News

କବିତା : ପ୍ରତୀକ୍ଷା

ନିବେଦିତା ରଥ

ମୁଁ ଏବେ ବୁଝି ଗଲିନି
ମୋ ଯନ୍ତ୍ରଣାର ଉତ୍ତପ୍ତ ମରୁଭୂମି ପରେ
କେବେ ବି ଫୁଲଟିଏ ଫୁଟିବନି ଆଉ,
ଏ ଧରିତ୍ରୀ କେବେ ବି ଭିଜି ଯିବନି
ମୋ ତତଲା ଲୁହରେ କି ରକ୍ତର ନଈରେ,
ଖାଲି ଯାହା ମୋ ପ୍ରଶ୍ନର ବର୍ଷାରେ
ମୁଁ ନିଜେ ହିଁ ଭିଜୁ ଥିବି ବାରମ୍ବାର ।

ରୂପାଝରା ନିଶୁନ ଏ ଜହ୍ନ ରାତିରେ
ଅବା ଏ ସହରର ଲମ୍ବା ରାଜରାସ୍ତାରେ,
ଚାଲି ଥିବି ଏକା ଏକା
ତାରା ଭର୍ତି ଆକାଶର ତଳେ ।

ମୁଁ ଏମିତି
ମୋର ସବୁ ଦୁଃଖକୁ ବୋହି ଚାଲିଥିବି
ଯୁଗ ଯୁଗ ଧରି,
ଯାତନାର ପଥଧାରେ
ପାଦରେ ମୋ କଣ୍ଟା ଫୁଟି
କ୍ଷତାକ୍ତ ହେଉଥିବି ଥରକୁ ଥର,
ତଥାପି ବି ମୁଁ ଥିବି ନିର୍ବିକାର, ନିରୁତ୍ତର
ତୁମେ ପଚାରିଥିବା ସମସ୍ତ ପ୍ରଶ୍ନର,
ସବୁ ଦୁଃଖକୁ କବର ଦେଇ
ଫେରୁ ଥିବା ବାଟରେ
ଦେଖା ତୁମ ସହ ମୋର,
ତୁମ ଆଖିରେ ଅନେକ ପ୍ରଶ୍ନର ସମ୍ଭାର,
ଠିକ ସେତିକି ବେଳେ ମୋ ଓଠରୁ ଝରିପଡ଼େ
କେବେ ନ ହସିଥିବା ହସ ଯୁଗ ଯୁଗର ।

ଷ୍ଟେସନ ରୋଡ
ଢେଙ୍କାନାଳ

Comments are closed.