Latest Odisha News

କବିତା : ବାପା

ଆଦ୍ୟାଶା ନନ୍ଦ

ମୋ ଦେହେ ଜୀବନ ସଞ୍ଚରିଛ ତୁମେ
ତୁମେ ପରା ମୋ ସ୍ପନ୍ଦନ
ତୁମେ ମୋର ଗର୍ବ ତୁମେ ଗୌରବ
ଈଶ୍ୱରଙ୍କ ବରଦାନ ।

ଅକୁହା ମନର କୋହକୁ ବୁଝିଛ
ବୁଝିଛ ଅବ୍ୟକ୍ତ ଦୁଃଖ
ମୋ ଆୟୁଷ ବାପା ତୁମକୁ ଲାଗୁ ହେ
ଜୀବନ ହେଉ ସାର୍ଥକ ।

ସଂସାର ବାଟରେ ହେଲେ ବାଟବଣା
ମନ ଖୋଜୁଥାଏ ତୁମକୁ
ତୁମେ ମୋ ସାହସ, ତୁମେ ମୋ ଶକତି
ହରିନିଅ ସବୁ କଷ୍ଟକୁ ।

ଅମଡ଼ା ବାଟରେ ପାଦ ପଡିଗଲେ
ଆଖି ଖୋଜିବୁଲେ ତମକୁ
ତୁମେ ପାଖେ ଥିଲେ କିଛି ଲୋଡ଼ା ନାହିଁ
ଖୁସି ଛୁଏଁ ଆକାଶକୁ ।

ସୁଖର ଆରମ୍ଭ ତୁମ ଠାରେ ମୋର
ଅନ୍ତ ହୁଏ ସବୁ ଦୁଃଖ
ତୁମ ନୀତି ଆଦର୍ଶ ହେଉ ମୋ ପାଥେୟ
ତୁମ ପାଖେ ସ୍ୱର୍ଗ ସୁଖ ।

ଦୁଃଖର ଶିରିପା ପିନ୍ଧିଣ ମଥାରେ
କୁହ ତୁମେ ସୁଖୀ ବାପା
କୋଟି ଜନମର ପୁଣ୍ୟଫଳ ତୁମେ
ମୋ ଖୁସିର ଲୁହ ଟୋପା ।

ନୟାପଲ୍ଲୀ, ଭୁବନେଶ୍ୱର

Leave A Reply

Your email address will not be published.