ବନ୍ଦିତା ଦାଶ
ସତକୁ ଖୋଜିଖୋଜି ପହଞ୍ଚିଲି ଯେଉଁ ଇଲାକାରେ
ସେଠାରେ ଭେଟିଲି ପ୍ରତ୍ୟୟକୁ
ବିଶ୍ୱାସର ସ୍ୱଚ୍ଛରଙ୍ଗରେ ହଜିଗଲା ମୋ’ ସତ୍ତା ।
‘ମୁଁ ‘ ପଣ ଲୁଚିଗଲା ……
ଲିଭିଗଲା ଅହଂର ଅନ୍ଧାର।
କେଉଁ ଅନାମ ମୁଦ୍ରାରେ
କିଛି କହିବାକୁ ଚାହିଁ ହୋଇଗଲି ମୂକ ;
‘ସର୍ବେ ଭବନ୍ତୁ ସୁଖୀନଃ’……
ଏ କଥା ବି ପାରିଲିନି ଉଚ୍ଚାରି ।
ନିଷ୍ପଲକ ଆଖିରେ ଯାହାସବୁ ଦେଖିଲି
ତା’କୁ ଶବ୍ଦରେ ବଖାଣିବା କଷ୍ଟକର ।
ନିରୁତା ସତ୍ୟକୁ କେଉଁ ଭାଷାରେ ପ୍ରକାଶିବି ?
ସେବେଳରେ ସବୁ ଏକାକାର….
ଏକାତ୍ମଭାବରେ ଦଣ୍ଡେ ରହି ସଜାଡିଲି,
ଫୁଲ, ଦୁବ, ଅଳତା, କଜଳ….
ଭୋଗରାଗ, ନୁଆଶାଢୀ ମୋ ‘ ଦେହ ଚାଙ୍ଗୁଡିରେ ।
ମୋ’ଆଖି, ମୁହଁ ହୋଇଗଲା ଫୁଲ,
ଆଙ୍ଗୁଳିସବୁ ଦୂବରେ ରୂପାନ୍ତର….
ଓଠରୁ ଝରିଲା ଲାକ୍ଷା…
ମୋ’କର୍ମର କାଳିମା ହେଲା କଜଳ,
ହସ ମୋ’ର ସୁବାସ ଚନ୍ଦନ…
ଚର୍ମ ହେଲା ଇନ୍ଦ୍ରମେଘି ପାଟ,
ସମର୍ପିତ ହୋଇଗଲି….
ଲାଗି ହୋଇଗଲି
ସତ୍ୟର ସାରଥି ,
ଯୁଗ ଯୁଗ ଧରି ।
କାଂଶବାହାଲ
Comments are closed.