Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ହଁ ଦି’, ସେମାନେ ଖୁବ୍ ମଜାଳିଆ ।” “ହଉ, ଏବେ ଚାଲ୍ ଟିକେଟିକେ ଶୋଇପଡ଼ିବା”, ହାଇ ମାରୁ ମାରୁ ସମୀରା କହିଲା । ଆଉ ବୀରା ବାଥ୍‌ରୁମ୍‌ରୁ ଧୁଆଧୋଇ ହୋଇ ଆସିବା ଭିତରେ ସେ ଶୋଇପଡ଼ି ଘୁଙ୍ଗୁଡ଼ି ମାରୁଥିଲା । ତାକୁ ଦେଖି ବୀରା ଟିକେ ହସିଦେଲା ଓ ସାଙ୍ଗେ ସାଙ୍ଗେ ନିଜେ ବି ଶୋଇପଡ଼ିଲା ।

ନିଦରୁ ଉଠି କଫି ଟେବୁଲ୍ ପାଖରେ ବସି ଦି’ଭଉଣୀ ହଟ୍ ଚକୋଲେଟ୍ ପିଉଥିଲା ବେଳେ ମିସେସ୍ ମାହେଶ୍ୱରୀ ରୁମ୍‌କୁ ପଶିଆସି ପଚାରିଲେ, “ଆଜି ଦିନଟା କେମିତି କଟିଲା ପିଲେ?”

“ଆଜି ଦିନଟା ବହୁତ ବଢ଼ିଆ ଥିଲା, ମାମା । ଜାଣିଛ, କାଲି ସନ୍ଧ୍ୟାର ପାର୍ଟିରେ ଆମ ଟେବୁଲ୍‌ରେ ଆମ ସହ ଥିବା ଦି’ଜଣ ପିଲା ସିଡ଼୍ ଓ ରୋହାନ୍‌ଙ୍କ ସହ ମିଶି ଆମେ ଦିନସାରା ଜାହାଜ ଗୋଟାକ ଯାକ ବୁଲି ଖୁବ୍ ମଜା କଲୁ । ତାପରେ ଲଞ୍ଚ କରି ସାରି ଆସି ଟିକେ ଶୋଇଥିଲୁ । ମିସେସ୍ ମାହେଶ୍ୱରୀ ବି ତାଙ୍କର ଆଜି ସକାଳର ଅନୁଭୂତି ବିଷୟରେ ପିଲାଙ୍କ ସାଙ୍ଗେ କିଛି ସମୟ ଗପସପ କଲାପରେ ପ୍ରାୟ ଅଧଘଚାା ପରେ ସେଠୁ ବିଦାୟ ନେଲେ ।

ସମୀରା ହାତକୁ ଫୋନ୍ ବଢ଼େଇ ଦେଉଦେଉ ବୀରା କହିଲା, “ସିଡ଼୍ ଗୋଟେ ମେସେଜ୍‌ ଦେଇଛି ଦି’ – ହାଏ ବୀରା । ତମେ ଦିହେଁ କିଛି ସମୟ ପାଇଁ ଆମ ରୁମ୍‌କୁ ଆସିପାରିବ? ରୁମ୍‌ ନଂ-୨୬୨, ଡିଲକ୍ସ ସୁଇଟ୍‌” । ବୀରା ମେସେଜ୍‌ଟି ପଢ଼ିସାରି ପଚାରିଲା, “କ’ଣ କହୁଛ?

ଯିବା? ଯିବା?” “ହଉ । ଠିକ୍ ଅଛି ଚାଲ ।” ଉତ୍ସାହିତ ହୋଇ ସମୀରା କହିଲା । ଆଉ ତାପରେ ଦି’ଜଣଯାକ ଡିଲକ୍ସ ସୁଇଟ୍ ଆଡ଼କୁ ଚାଲିଲେ ।

ସିଡ଼୍ ଓ ରୋହାନ୍‌ଙ୍କର ରୁମ୍ ଭିତରକୁ ପଶିବାମାତ୍ରେ ବୀରା ମୁଗ୍‌ଧ ହୋଇ ଚାରିଆଡ଼କୁ ଚାହିଁଲା । ସୁଇଟ୍‌ଟି ଖୁବ୍ ସୁନ୍ଦର – ତିନିଟା ବେଡ଼୍ ରୁମ୍‌, ଗୋଟେ ଡାଏନିଂ ଟେବୁଲ୍‌, ରୋଷେଇଘର, ବୈଠକ ଘର ଛାତରୁ ଝୁଲୁଥାଏ ସୁଦୃଶ୍ୟ ସ୍ୟାଣ୍ଡେଲିଅର୍ । “ଏବେ ମୁଁ ବୁଝୁଛି ଯେ ଏ ସବୁ କ୍ୟାବିନ୍ ଗୁଡ଼ାକୁ ଡିଲକ୍ସ ସୁଇଟ୍ କାଇଁକି କହୁଚନ୍ତି! ଗୋଟେ ହଲିଉଡ଼୍ ଫିଲ୍‌ମ ଷ୍ଟାର୍‌ର ବେଡ଼୍‌ରୁମ ପରି ଲାଗୁଚି ।” ବିମୋହିତ ହୋଇ କହିଲା ସମୀରା । ସେ ଦି’ଜଣ ଏମିତି ଆଶ୍ଚର୍ଯ୍ୟ ହଉଥିବାର ଦେଖି ସେ ଦୁଇଭାଇ ବି ଭାରି ଖୁସି ହଉଥା’ନ୍ତି । ଅଭିଯୋଗ କଲା ସ୍ୱରରେ ସେମାନଙ୍କୁ ବୀରା କହିଲା, “ତମେମାନେ ଏତେ ଧନୀ ବୋଲି ଆମକୁ ତ କାଇଁ କହି ନଥିଲ?”

କ୍ରମଶଃ

Leave A Reply

Your email address will not be published.