ବିବାସିନୀ ପଟ୍ଟନାୟକ
ମାଲିକ ବିନା ଯେ ସେବକ ସୁଆର
ନିସ୍ପନ୍ଦ ହୋଇ ରହିଲେ,
ମଙ୍ଗଳ ଆଳତୀ ଗହଳ ଚହଳ
ଧ୍ୱନି ବି ନଶୁଭେ ମନ୍ଦିରେ।
ଏବେ ତ ସମସ୍ତେ ତତ୍ପର ହେଲେଣି
ମନ୍ଦିରର ଚତୁର୍ଦ୍ଦିଗ,
ଗମ୍ଭୀରା ଭିତର ରତ୍ନ ସିଂହାସନ
ସବୁ ହେଲେଣି ସଜାଗ।
ରହଣି ସରିଲା ନବଦିନଯାତ୍ରା
ଛାଡି ଗୁଣ୍ଡିଚା ମନ୍ଦିର,
ରଥ ହୋଇଲାଣି ଦକ୍ଷିଣୀ ମୋଡ ଯେ
ବାହୁଡିବେ କଳାଠାକୁର।
ଆଡପ ମଣ୍ଡପ ଦର୍ଶନ ଭୋଜନ
ସରଗ ଦେବତା ଇଛି,
ନବମୀ ଦିନର ବ୍ରାହ୍ମଣ ଭୋଜନେ
ପିତୃପୁରୁଷ ଯେ ଶାନ୍ତି।
ଆଡପ ମଣ୍ଡପେ କୋଟି ପୁଣ୍ୟ ବାଣ୍ଟି
ଆସିବ ଶିରୀକ୍ଷେତର,
ମନେ ପଡେ ଯେବେ କମଳାଙ୍କ କଥା
ହୃଦ ହୁଅଇ ବିକଳ।
ଯିବା ଦିନଠାରୁ ଆସିବାର କଥା
ଧରି ନ ଥିଲେ ତ ମନେ,
ବଶୀକରଣର ଦଶେ ବଶ ହେଲେ
ଲକ୍ଷ୍ମୀଙ୍କର ମୋହଚୂର୍ଣ୍ଣେ।
ସାରା ସଂସାରର ପଡିଦାତ୍ରୀଙ୍କୁ
ଯେପଡି ଦେଇଥିଲେ ବୋଲି,
ତଥାପି ସେ ସବୁ ସହିଯାଇଥିଲେ
ନାରୀର କର୍ତ୍ତବ୍ୟ ବୋଲି।
ସବୁ ସହି ନାରୀ ଶେଷରେ ସ୍ୱାମୀକୁ
ଦେଖାଏ ଉଚିତ ପଥ
ନାରୀ ଲାଗି ସିନା ସୁଢଳ ରୁହଇ
ସଂସାର କଷଟି ପଥ।
ଏବେ ପ୍ରଭୁ ଆସି ଗଞ୍ଜଣା ସହିବେ
କରିବେ ମାନଭଞ୍ଜନ,
ଜାଣିବେ ସେ ତେଣୁ ନାରୀ ବିନା ନର
ଜୀବନେ ନାହିଁ ତ ମାନ।
ନିଜକୁ ସଜେଇ କମଳା ଏଣିକି
ପ୍ରଭୁଙ୍କୁ କରିବେ ବଶ,
ବାହୁଡିବେ କାଲି କଳା ଠାକୁର ଯେ
ଲକ୍ଷ୍ମୀ ହେଲେଣି ହରଷ।
ନୀଜ ହାତେ ରାନ୍ଧି ଚୌଷଠି ବ୍ୟଞ୍ଜନ
ଶୟନେ ବିଡିଆ ପାନ,
ମନ କିଣିନେବେ କଳା ଠାକୁରର
ଶ୍ରୀକ୍ଷେତ୍ର ହୁଏ ଉଚ୍ଛନ୍ନ।
କାଳୁପଡା ଘାଟ
ଖୋର୍ଦ୍ଧା
Comments are closed.